ଜୈବିକ ଘଡ଼ି ଓ ଦିନଚର୍ଯ୍ୟା: ସମୟ ହିସାବରେ କରନ୍ତୁ ନିତ୍ୟକର୍ମ, ରୋଗ ପାଖ ପଶିବନି

କୃତି ସହ ଜଡ଼ିତ ଜୀବଜଗତ, ସେ ମଣିଷ ହେଉ, ପଶୁ ବା ଉଦ୍ଭିଦ ପ୍ରତ୍ୟେକଙ୍କ ପାଇଁ ପ୍ରକୃତି ଖଞ୍ଜି ଦେଇଛି ଏହି ଜୈବିକ ଘଡ଼ି। ବାହାରେ କୌଣସି ପରିବର୍ତ୍ତନ ଘଟିଲେ ଶରୀର ଭିତରର ଏହି ଜୈବିକ ଘଡ଼ିଟି ସେହି ଅନୁଯାୟୀ ଶରୀରର ସବୁ କାର୍ଯ୍ୟକଳାପକୁ ନିୟନ୍ତ୍ରିତ କରିଥାଏ। ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ଯାଏଁ, ସନ୍ଧ୍ୟାରୁ ରାତି ପାହିବା ଯାଏଁ ଶରୀର ବିଭିନ୍ନ ଅବସ୍ଥା ଦେଇ ଗତି କରେ। କେତେବେଳେ କର୍ମଚଞ୍ଚଳ ରହେ, କେତେବେଳେ ନିଦ୍ରା ଯାଏ, ଏମିତି ନିତିଦିନିଆ କାର୍ଯ୍ୟ ଜାରି ରଖେ। ପ୍ରକୃତିର ପରିବର୍ତ୍ତନକୁ ଦେଖି ଶରୀରର ପରିବର୍ତ୍ତନ ଘଟେ। ପ୍ରତ୍ୟେକ ଜୀବଙ୍କର ଦୈନିକ କ୍ରିୟା ଏହି ଜୈବିକ ଘଡ଼ି ମୁତାବକ ଚାଲେ। ଶରୀର ଏହି ଘଡ଼ି ମୁତାବକ ନ ଚାଲିଲେ ଶରୀର ଏବଂ ମନରେ ବିପରୀତ ପ୍ରଭାବ ପଡ଼ିଥାଏ।
ଏହି ପୃଥିବୀରେ ଯେତେ ଜୀବଜନ୍ତୁ ରହୁଛନ୍ତି ପ୍ରତ୍ୟେକଙ୍କ ଜୈବିକ ଘଡ଼ି ପ୍ରାୟତଃ ଏକପ୍ରକାରର। ଲକ୍ଷ ଲକ୍ଷ ବର୍ଷ ଧରି ଏମିତି ରହି ଆସିଛି। ଗବେଷଣା ମୁତାବକ ଏହି ଜୈବିକ ଘଡ଼ି ଆମର ମସ୍ତିଷ୍କରେ ରହିଛି। ମସ୍ତିଷ୍କ ହିଁ ଆମକୁ ଜାଗ୍ରତ କରେ ପୁଣି ନିଦ୍ରାଭିଭୂତ କରେ। ଆମର ଦିନଚର୍ଯ୍ୟାର ସମସ୍ତ କାର୍ଯ୍ୟର ସଞ୍ଚାଳନ ମସ୍ତିଷ୍କରେ ଥିବା ଏହି ଘଡ଼ିଟି କରିଥାଏ। ଏହି ଘଡ଼ିର କାର୍ଯ୍ୟରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେଲେ ମୁଣ୍ଡବିନ୍ଧା, ଥଣ୍ଡା କିମ୍ବା କ୍ୟାନ୍‌ସର ପରି ଭୟଙ୍କର ରୋଗକୁ ଡାକି ଆଣିଥାଏ। ଅବସାଦ ଏବଂ ଅନିଦ୍ରା ପରି ମାନସିକ ରୋଗ, ପୁଣି ମୂତ୍ର ସମ୍ବନ୍ଧିତ ରୋଗ, ଉଚ୍ଚ ରକ୍ତଚାପ, ମଧୁମେହ, ମେଦମହୁଳତା ଏବଂ ହୃଦ୍‌ରୋଗର କାରଣ ମଧ୍ୟ ଏହା ପାଲଟିଥାଏ। ଆହୁରିମଧ୍ୟ ଏହି ଜୈବିକ ଘଡ଼ିରେ ସମସ୍ୟା ଦେଖାଦେଲେ ଶରୀରର ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇଥାଏ। ଏବେ ଜାଣନ୍ତୁ ଜୈବିକ ଘଡ଼ି ମୁତାବକ କେଉଁ ଅଙ୍ଗ କେଉଁ ସମୟରେ ସକ୍ରିୟ ରହିଥାଏ।


ପ୍ରାତଃ ତିନିଟାରୁ ପାଞ୍ଚଟା: ଏହି ସମୟରେ ଆମର ଫୁସ୍‌ଫୁସ୍‌ ବେଶ୍‌ ସକ୍ରିୟ ରହେ। ତେଣୁ ଏହି ସମୟରେ ନଖଉଷୁମ ପାଣି ପିଇ ଟିକେ ଖୋଲାରେ ବୁଲାବୁଲି କଲେ ବିଶୁଦ୍ଧ ବାୟୁ ପାଇ ଏହାର କାର୍ଯ୍ୟ କ୍ଷମତା ବୃଦ୍ଧି ପାଇଥାଏ।
ପ୍ରାତଃ ପାଞ୍ଚଟାରୁ ସାତଟା: ଏହି ସମୟରେ ବୃହଦନ୍ତ୍ର ସକ୍ରିୟ ରହିଥିବାରୁ ଶୌଚ କାର୍ଯ୍ୟ ଶେଷ କରିବା ଦରକାର। ଏହି ସମୟ ଗଡ଼ିଗଲେ କୋଷ୍ଠକାଠିନ୍ୟ ହୁଏ। ଏହା ଅନେକ ରୋଗକୁ ଡାକି ଆଣିଥାଏ।
ସାତଟାରୁ ଏଗାରଟା: ସକାଳ ସାତଟାରୁ ନଅଟା ଆମାଶୟ କ୍ରିୟାଶୀଳ ଥାଏ ଏବଂ ନଅଟାରୁ ଏଗାରଟା ଅଗ୍ନାଶୟ ଏବଂ ପ୍ଲୀହା ସକ୍ରିୟ ଥାଏ। ଏହି ସମୟରେ ଯଥେଷ୍ଟ ପାଚକ ରସ ଝରୁଥିବାରୁ ନଅଟାରୁ ଏଗାରଟା ହିଁ ଭୋଜନର ଉପଯୁକ୍ତ ସମୟ। ଏହା ମଧ୍ୟ ଏକାଗ୍ରତାର ସମୟ। ଏହି ସମୟରେ ବିଚାର ଶକ୍ତି ଉତ୍ତମ ଏବଂ ତୀବ୍ର କାର୍ଯ୍ୟକ୍ଷମ ଥାଏ।
ଦ୍ୱି’ପ୍ରହର ଏଗାରଟାରୁ ଗୋଟେ: ଏହି ସମୟରେ ଶକ୍ତିର ପ୍ରବାହ ହୃଦୟ ଆଡ଼କୁ ହୋଇଥାଏ। ତେଣୁ ଏ ସମୟରେ ହୃଦୟ କ୍ରିୟାଶୀଳ ରହେ।
ଦ୍ୱି’ପ୍ରହର ଏକଟାରୁ ତିନିଟା: ଏହି ସମୟରେ କ୍ଷ୍ରୁଦ୍ରାନ୍ତ୍ର ସକ୍ରିୟ ରହେ। ଏହି ସମୟରେ ଭୋଜନରୁ ପୋଷକତତ୍ତ୍ୱର ଅବଶୋଷଣ ସହ ଅନାବଶ୍ୟକ ପଦାର୍ଥକୁ ବୃହଦନ୍ତ୍ରକୁ ଠେଲି ପଠାଇ ଦେଇଥାଏ। ଏହି ସମୟରେ ପାଣି ପିଇବା ଲାଭଦାୟକ ହୋଇଥାଏ। ଏହି ସମୟରେ ଭୋଜନ କରିବା, ଶୋଇବା, ଚା’ ପିଇବା ଶରୀର ପାଇଁ ଲାଭଦାୟକ ନୁହେଁ। ଏହା କରିବା ଦ୍ୱାରା ଶରୀର ରୋଗଗ୍ରସ୍ଥ ହୁଏ।
ତିନିଟାରୁ ପାଞ୍ଚଟା: ଏହି ସମୟରେ ମୂତ୍ରାଶୟ ସକ୍ରିୟ ରହିଥାଏ।
ସନ୍ଧ୍ୟା ପାଞ୍ଚଟାରୁ ସାତଟା: ସକାଳେ ଗ୍ରହଣ କରିଥିବା ଖାଦ୍ୟ ଏତେବେଳକୁ ସମ୍ପୂର୍ଣ୍ଣ ହଜମ ହୋଇ ସାରିଥାଏ। ଏହି ସମୟରେ ହାଲ୍‌କା ଭୋଜନ କରିନେବା ଦରକାର। ସୂର୍ଯ୍ୟାସ୍ତର ୪୦ ମିନିଟ୍‌ ପୂର୍ବରୁ ଏବଂ ୧୦ ମିନିଟ୍‌ ପରେ ଅର୍ଥାତ୍‌ ସନ୍ଧ୍ୟା ସମୟରେ ଖାଦ୍ୟଗ୍ରହଣ କରିବା ଉଚିତ ନୁହେଁ।
ରାତି ସାତଟାରୁ ନଅଟା: ଏହି ସମୟରେ ଅଗ୍ନାଶୟ ସକ୍ରିୟ ରହିଥାଏ। ମସ୍ତିଷ୍କ ମଧ୍ୟ ବିଶେଷ ଭାବେ କ୍ରିୟାଶୀଳ ରହେ। ତେଣୁ ଏହି ସମୟରେ ପ୍ରାତଃ ସମୟ ପରି ପଢ଼ାପଢ଼ି ବେଶ୍‌ ଲାଭଦାୟକ ହୋଇଥାଏ।

ରାତି ନ’ରୁ ଏଗାର: ଏହି ସମୟରେ ଗ୍ରହଣ କରିଥିବା ଖାଦ୍ୟ ସକାଳ ପର୍ଯ୍ୟନ୍ତ ମଧ୍ୟ ଭଲ ଭାବେ ହଜମ ହୋଇ ନ ଥାଏ। ଏହା ଅମ୍ଳ ସୃଷ୍ଟି ସହ ଅନ୍ୟ ରୋଗର ମଧ୍ୟ କାରଣ ହୋଇଥାଏ। ତେଣୁ ଏହି ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହି ସମୟରେ ନିଦ ବେଶ୍‌ ଶାନ୍ତିଦାୟକ। ଏହି ସମୟରେ ବାମକଡ଼ ମାଡ଼ି କିମ୍ବା ଉପରକୁ ମୁହଁ କରି ଶୋଇବା ଦ୍ୱାରା ଲାଭଦାୟକ ହୋଇଥାଏ।
ରାତି ଏଗାରଟାରୁ ଗୋଟେ: ଏହି ସମୟରେ ଯକୃତ ଏବଂ ପିତ୍ତାଶୟ ସକ୍ରିୟ ରହିଥାଏ। ଏ ସମୟରେ ଅନିଦ୍ରା ରହିଲେ ପିତ୍ତ ବଢ଼େ। ଏହାଦ୍ୱାରା ଅନିଦ୍ରା, ମୁଣ୍ଡବିନ୍ଧା ଏବଂ ଚକ୍ଷୁରୋଗ ହୋଇଥାଏ। ରାତି ୧୨ଟା ପରେ ଦିନରେ କରାଯାଇଥିବା ଭୋଜନ ଦ୍ୱାରା କ୍ଷତିଗ୍ରସ୍ତ କୋଷଗୁଡ଼ିକ ବଦଳରେ ନୂତନ କୋଷ ନିର୍ମିତ ହୋଇଥାଏ। ଏହି ସମୟରେ ଅନିଦ୍ରା ରହୁଥିବା ବ୍ୟକ୍ତିକୁ ଖୁବ୍‌ଶୀଘ୍ର ବାର୍ଦ୍ଧକ୍ୟ ଗ୍ରାସ କରିଥାଏ।
ରାତି ଗୋଟାଏରୁ ତିନିଟା: ଏହି ସମୟରେ ଲିଭର୍‌ ସକ୍ରିୟ ରହୁଥିବାରୁ ଗ୍ରହଣ କରିଥିବା ଖାଦ୍ୟର ସୂକ୍ଷ୍ମ ପାଚନ ଘଟିଥାଏ। ଏ ସମୟରେ ଗାଢ଼ ନିଦର ଆବଶ୍ୟକତା ରହିଛି। ଯେଉଁମାନେ ଗାଢ଼ ନିଦରେ ଶୋଇ ପାରନ୍ତି ନାହିଁ ସେମାନଙ୍କ ପାଚନତନ୍ତ୍ର ଉପରେ ନିଶ୍ଚିତ ଭାବେ କୁପ୍ରଭାବ ପଡ଼ିଥାଏ।
ଏପରିକି ଆମର ଔଷଧ ସେବନ ଜୈବିକ ଘଡ଼ି ଦ୍ୱାରା ପ୍ରଭାବିତ ହୋଇଥାଏ। ଉପଯୁକ୍ତ ସମୟରେ ଗ୍ରହଣ କରାଯାଇଥିବା ଔଷଧ ଲାଭଦାୟକ ହୋଇଥିବା ବେଳେ ଭୁଲ୍‌ ସମୟରେ ଔଷଧ ସେବନ କ୍ଷତିକାରକ ହୋଇଥାଏ। ତେଣୁ ଏହି ଜୈବିକ ଘଡ଼ି ଦ୍ୱାରା ନିୟନ୍ତ୍ରିତ ବ୍ୟକ୍ତି ସୁସ୍ଥ ତଥା ନିରାମୟ ଜୀବନଯାପନ କରିଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ଭିତରର ଏହି ଘଡ଼ିର ଟିକ୍‌..ଟିକ୍‌ ଆଓ୍ଵାଜ ଶୁଣି ନିଜର ଦିନଚର୍ଯ୍ୟା କରିବା ଉଚିତ।

ସମ୍ବନ୍ଧିତ ଖବର