ଖୋର୍ଦ୍ଧା: ହୋଟେଲ ପଛପଟୁ ୨ ନବଜାତଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପୁଣି ଥରେ ଶିଶୁ ଅଲୋଡ଼ା ହୋଇଥିବା ମଙ୍ଗଳବାର ପ୍ରମାଣିତ ହୋଇଛି। ଜାତୀୟ ରାଜପଥ ୧୬ ନମ୍ବର କଡ଼ରେ ଥିବା ଏକ ହୋଟେଲ ପଛପଟରୁ ଦୁଇ ଜଣ ନବଜାତ ଶିଶୁପୁତ୍ରର ମୃତଦେହକୁ ପୁଲିସ ଉଦ୍ଧାର କରିଛି। ସୂଚନା ଅନୁସାରେ ଜାତୀୟ ରାଜପଥ ପିତାପଲ୍ଲୀ ପାଖ ଏକ ହୋଟେଲ ପଛପଟରେ ୨ ଶିଶୁପୁତ୍ରର ମୃତଦେହ ପଡ଼ିଥିବା ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି। ଶିଶୁପୁତ୍ର ଦ୍ୱୟର ମୃତଦେହ ହୋଟେଲ ପଛକୁ କିପରି ଆସିଲା? ଦୁଇ ଜଣ ଶିଶୁକୁ ହତ୍ୟା କରାଯାଇଛି ନାଁ ମୃତ୍ୟୁ ପରେ ଏଠାରେ ପକାଇ ଦିଆଯାଇଛି ବିଭିନ୍ନ ଆଧାରକୁ ନେଇ ପୁଲିସ ଘଟଣାର ତଦନ୍ତ କରୁଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରି ନାହିଁ।

ଓଡ଼ିଶାରେ ପରିତ୍ୟକ୍ତ ସ୍ଥାନରୁ ନବଜାତର ମୃତଦେହ ମିଳିବା ନୂଆ ଘଟଣା ନୁହେଁ। ଏଭଳି ଉଦାହରଣ ୨୦୧୮ରେ ଅନେକ ସ୍ଥାନରେ ଦେଖିବାକୁ ମିଳିଛି। ମେ’ ମାସ ୨୬ରେ ସୋନପୁର ସହରର ଘୋଡ଼ାଘାଟପଡ଼ା ନିକଟ ମହାନଦୀ ଘାଟରୁ ଏକ ନବଜାତ ଶିଶୁପୁତ୍ରର ମୃତଦେହ ମିଳିଥିଲା। ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଥାନା ଅନ୍ତର୍ଗତ ତିଲେଶ୍ୱର ପଂଚାୟତ ଲକ୍ଷ୍ମୀ ନାଳରୁ ଏପ୍ରିଲ ୧୪ରେ ଏକ ନବଜାତ ଶିଶୁପୁତ୍ରର ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା।

ସେହିପରି ଏପ୍ରିଲ ୭ରେ କଟକ ଜିଲ୍ଲାର ବାଙ୍କି ଥାନା ଅନ୍ତର୍ଗତ ବ୍ରହ୍ମପୁରା ଗ୍ରାମର ଏକ ଅଳିଆ ଗଦାରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଥିଲା। ସମ୍ବଲପୁର ଚିପିଲିମା ପାଓ୍ଵାର ଚାନେଲରେ ୨ଟି ଶିଶୁଙ୍କ ମୃତଦେହ ଭାସିବା ଘଟଣା ରାଜ୍ୟସାରା ଚର୍ଚ୍ଚା ହୋଇଥିଲା। ଏହି ଘଟଣା ମେ’ ମାସ ୯ ତାରିଖରେ ସକାଳୁ ଜଣା ପଡ଼ିଥିଲା।

ନୟାଗଡ଼ ସହରର ଛାତି ଉପରେ ଥିବା ରାଜାବଗିଚା ସିଂହ ଗଳିରେ ଏପ୍ରିଲ ୧୩ରେ ନବଜାତକୁ କୁକୁର ଝୁଣିଝୁଣି ଖାଇଯିବା ଘଟଣା ହୃଦୟ ବିଦାରକ ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଥାନା ଅନ୍ତର୍ଗତ ଜଗନ୍ନାଥପୁର ନିକଟରେ ନଭେମ୍ବର ୧୩ରେ ପୋଖରି ହୁଡ଼ାରୁ ନବଜାତ ଶିଶୁପୁତ୍ରର ଗଳିତ ମୃତଦେହ ମିଳିବାକୁ ନେଇ ସ୍ଥାନୀୟ ଅଚଂଳରେ ଜୋରଦାର ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧିତ ଖବର