ଉଚ୍ଚଶିକ୍ଷାରେ ସାଂଘାତିକ କେଳେଙ୍କାରୀ: ସରକାର ନିଜେ ଭାଙ୍ଗୁଛନ୍ତି ବଦଳି ନୀତି

ଅଧ୍ୟାପକ ଅଭାବ ଉତ୍କଟ; ଅତିଥି ଅଧ୍ୟାପକଙ୍କ କାନ୍ଧରେ ବୋଝ

ଭୁବନେଶ୍ବର, ୨/୨ (ଇମିସ): ବଦଳି ନୀତି କାର୍ଯ୍ୟକାରୀ ହେଉନି। ଅଧ୍ୟାପକଙ୍କ ଅଭାବକୁ ସାମୟିକ ଭାବେ ଦୂର କରିବା ଲାଗି ଅତିଥି ଅଧ୍ୟାପକ ନିଯୁକ୍ତି ଉପରେ ଜୋର ଦିଆଯାଇଥିଲା। ହେଲେ ଆଜି ଦିନରେ କିଛି ଅନୁଷ୍ଠାନରେ ଅତିଥି ଅଧ୍ୟାପକଙ୍କ ଉପରେ ଛାତ୍ରଛାତ୍ରୀ ଅଧିକ ନିର୍ଭରଶୀଳ। ସବୁଠାରୁ ବଡ କଥା ହେଲା, ମହାବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବି ଦୃଷ୍ଟିରେ ରଖି ବଦଳି ନୀତି କାର୍ଯ୍ୟକାରୀ ହେଉନାହିଁ। ଏଥିରେ ବିଧାୟକ ଓ ସାଂସଦଙ୍କ ଲେଟର ପ୍ୟା଼ଡ୍‌ ଏକ ବଡ଼ ଅସ୍ତ୍ର ପାଲଟିଛି।

ଭାରତର ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ମ୍ୟାନେଜମେଣ୍ଟ ଲେଟର ଜାରି କରି ଏଭଳି କିଛି ସମ୍ବେଦନଶୀଳ ପ୍ରସଙ୍ଗକୁ ଚର୍ଚ୍ଚାକୁ ଆଣିଛନ୍ତି। ଏହା ସୂଚାଇ ଦେଉଛି ଯେ ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ସମ୍ଭବତଃ ଠିକ୍ ରାସ୍ତାରେ ନାହିଁ। ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି ଯେ ରାଜ୍ୟ ୫୨ଟି ଡିଗ୍ରି କଲେଜ ମଧ୍ୟରୁ ମାତ୍ର ୨୯ ପ୍ରତିଶତ (୧୫ଟି) ସରକାରୀ ଡିଗ୍ରି କଲେଜକୁ ନେଇ ଅଡିଟ କରାଯାଇଥିଲା। ୟୁଜିସି ନିୟମ ଅନୁସାରେ, ପ୍ରତି ୨୫ ଜଣ ଛାତ୍ରଛାତ୍ରୀରେ ଜଣେ ଶିକ୍ଷକ ବା ଅଧ୍ୟାପକ ରହିବା କଥା। ବିଜ୍ଞାନ ଓ ବାଣିଜ୍ୟ କ୍ଷେତ୍ରରେ ଏହା ୩୦:୧। କିନ୍ତୁ ଅଡିଟ ବେଳେ ଦେଖାଯାଇଥିଲା ଯେ ଏମିତି କଲେଜ ଥିଲା, ଯେଉଁଠାରେ ୨୭୫ ଛାତ୍ରଛାତ୍ରୀରେ ଜଣେ ଅଧ୍ୟାପକ ପାଠ ପଢ଼ାଉଥିଲେ। ସେହିପରି ବାଣିଜ୍ୟ କ୍ଷେତ୍ରରେ ଏହି ସଂଖ୍ୟା ୧୫୬ ଥିଲା। ଏସବୁ କଲେଜରେ ୮୩୬ଟି ପଦବି ଥିବା ବେଳେ ୪୨୮ଟି ପଦବି ଖାଲି ପଡ଼ିଥିଲା। ସେବେ ଅଡିଟ୍ ଟିମକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ କହିଥିଲେ ଯେ ଖୁବ୍ ଶୀଘ୍ର ଖାଲି ପଦବିକୁ ନିଯୁକ୍ତି ଏବଂ ଅତିଥି ଅଧ୍ୟାପକ ନିୟୋଜିତ କରି ପୂରଣ କରି ଦିଆଯିବ। ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ଆଇଏଏସ୍ ଓ ଓଏଏସ ଅଫିସରମାନଙ୍କୁ ଅବସରପରେ ବିଭିନ୍ନ ପଦପଦବି ନିଯୁକ୍ତି ଦେବା ଲାଗି ଆଦୌ ସମୟ ନେଉନଥିବା ବେଳେ ପାଖାପାଖି ୫୦ ପ୍ରତିଶତ ପଦବି ଖାଲିପଡ଼ିଗଲା, ଅଥଚ ଉଚ୍ଚଶିକ୍ଷା ବିଭାଗ ଜାଣିପାରିଲାନି କେମିତି? ସରକାର ଏହି ପ୍ରସଙ୍ଗକୁ ଅଣଦେଖା କଲେ କେମିତି?

ଏହି ପ୍ରସଙ୍ଗକୁ ନେଇ ତନାଘନା ବେଳେ ଅଡିଟ୍ ଟିମ୍ ଆଉ ଗୋଟିଏ ଚାଞ୍ଚଲ୍ୟକର ଘଟଣା ଦେଖିଥିଲେ। ତାହା ହେଲା, କଟକ ଶୈଳବାଳା ମହିଳା ମହାବିଦ୍ୟାଳୟର ଦୁଇ ଜଣ ଅଧ୍ୟାପକ ଯଥାକ୍ରମେ ୧୭ବର୍ଷ ୯ମାସ ଓ ୧୫ବର୍ଷ ୧୧ମାସ କାର୍ଯ୍ୟ କରି ସାରିଥିଲେ। ଭବାନୀପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟରେ ଜଣେ ୨୫ବର୍ଷ ୯ମାସ, ଆଉ ଜଣେ ୨୪ବର୍ଷ ୮ମାସ, ଅନ୍ୟ ଜଣେ ୨୨ବର୍ଷ ୧୧ମାସ ଏବଂ ଆଉ ଜଣେ ଅଧ୍ୟାପକ ୧୫ବର୍ଷ ୧୧ମାସ କାର୍ଯ୍ୟ କରିଛନ୍ତି। କେବଳ ଏହି ଦୁଇଟି କଲେଜ ନୁହେଁ, ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟ, ବାଲେଶ୍ବର କେକେଏସ ମହିଳା ମହାବିଦ୍ୟାଳୟ, ଜୟପୁର, ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟ, କୋରାପୁଟ ସରକାରୀ କଲେଜ, ବାରିପଦା ସରକାରୀ ମହିଳା ମହାବିଦ୍ୟାଳୟ, ଏମପିସି ସ୍ବଂୟଶାସିତ କଲେଜ, ସମ୍ବଲପୁର ମହିଳା ମହାବିଦ୍ୟାଳୟରେ ମଧ୍ୟ ପରିସ୍ଥିତି ଏମିତି।
୧୯୯୧ ଜୁଲାଇରେ ସରକାର ବଦଳି ସଂକ୍ରାନ୍ତରେ ଯେଉଁ ନିର୍ଦେଶନାମା ଜାରି କରିଛନ୍ତି, ସେ ଅନୁସାରେ ଜଣେ କ୍ଲାସ-୨ ଓ ତଦୁର୍ଧ୍ବ ପାହ୍ୟାର କର୍ମଚାରୀ ଗୋଟିଏ ଜିଲ୍ଲାରେ ୬ବର୍ଷରୁ ଅଧିକ ଦିନ ରହିପାରିବେ ନାହିଁ। ତିନିବର୍ଷ ପରେ ତାଙ୍କର ଗୋଟିଏ ସ୍ଥାନରୁ ଅନ୍ୟତ୍ର ବଦଳି ହେବା କଥା। କିନ୍ତୁ ଅଡିଟ୍ ଟିମ ଦେଖିଛନ୍ତି ଯେ ୧୫୦ ଜଣ ଅଧ୍ୟାପକ ୩ବର୍ଷରୁ ୩୦ବର୍ଷ ଯାଏ ଗୋଟିଏ ଗୋଟିଏ ଜିଲ୍ଲାରେ କାର୍ଯ୍ୟ କରିଥିଲେ। ଏମାନଙ୍କ ମଧ୍ୟରୁ ୧୨୮ ଜଣ ଶିକ୍ଷକ ୩ରୁ ୧୫ବର୍ଷ ରହିଥିବା ବେଳେ ବଳକା ୨୨ ଅଧ୍ୟାପକ ଗୋଟିଏ ଗୋଟିଏ କଲେଜରେ ୧୫ବର୍ଷରୁ ଅଧିକ ସମୟ ବିତାଇ ସାରିଥିଲେ। ୬୫ ଜଣ ଅଧ୍ୟାପକ ୬ବର୍ଷରୁ ଅଧିକ ସମୟ ଧରି ଗୋଟିଏ ଜିଲ୍ଲାରେ କାମ କରିଥିବା ବେଳେ ୫୫ ଜଣ ନିଜ ଜିଲ୍ଲାରେ ହିଁ ଅଟକି ଯାଇଥିଲେ।

ଅଧ୍ୟାପକ ଅଭାବ ଉତ୍କଟ; ଅତିଥି ଅଧ୍ୟାପକଙ୍କ କାନ୍ଧରେ ବୋଝ
ସରକାର ନିଜେ ଭାଙ୍ଗୁଛନ୍ତି ବଦଳି ନୀତି
ଗୋଟିଏ ଗୋଟିଏ କଲେଜରେ ଅଟକିଛନ୍ତି ପ୍ରଭାବଶାଳୀ ଅଧ୍ୟାପକ
ସାଂସଦ ଓ ବିଧାୟକଙ୍କ ଲେଟର ପ୍ୟାଡ୍ ଅସ୍ତ୍ର ପାଲଟିଛି

ଏହି ତଥ୍ୟ ସଙ୍କେତ ଦେଉଛି ଯେ ଅଧ୍ୟାପକଙ୍କ ବଦଳି କ୍ଷେତ୍ରରେ ସରକାରୀ ନୀତି ନିୟମକୁ ସମସ୍ତେ ଦଳିଚକଟି ଦେଇଛନ୍ତି। ସବୁଠାରୁ ଦୁର୍ଭାଗ୍ୟର କଥା ଯେ ନିଜେ ରାଜ୍ୟ ସରକାର ଏହାକୁ ବାରମ୍ବାର ଅନୁମୋଦନ କରି ନିଜ ନିର୍ଦେଶନାମାକୁ ଅକାମୀ କରିବା ଲାଗି ବାଟ ଖୋଲିଦେଇଛନ୍ତି। କୌତୂହଳ କଥାଟି ହେଉଛି, ରାଜ୍ୟରେ ମନଇଚ୍ଛା ବଦଳି ହୋଇଛି। ଅଧ୍ୟାପକମାନଙ୍କର ଦରଖାସ୍ତ ଉପରେ ମୁଖ୍ୟତଃ ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ହିଁ ବଦଳି କରିଛନ୍ତି। ଏହା କାର୍ଯ୍ୟକାରୀ କରିବା ବେଳେ ଖାଲିଥିବା ପଦବି, ଛାତ୍ର ଓ ଶିକ୍ଷକ ଅନୁପାତ ଠିକ୍ ରହିଛି କି ନାହିଁ ଏହା କେବେ ଗୁରୁତ୍ବ ପାଇନାହିଁ। ଏକଥା ବି ଦେଖାଯାଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ଅଫିସକୁ ଯେଉଁ ଦରଖାସ୍ତ ଯାଇଛି, ସେଥିରେ ଅନେକ ପରିବର୍ତ୍ତନ ହୋଇ ପରବର୍ତ୍ତୀ ସମୟରେ ନାମ ଯୋଡାଯାଇଛି। କିଛି ଅଧ୍ୟାପକଙ୍କ ବଦଳି ବିଧାୟକ ଓ ସାଂସଦଙ୍କ ସୁପାରିସ ଭିତ୍ତିରେ କରାଯାଇଛି।

ପରିଣାମ କିନ୍ତୁ ଅତ୍ୟନ୍ତ ଭୟଙ୍କର ହେଲାଣି। ନିଜେ ଲୋକପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପରୋକ୍ଷ ବା ପ୍ରତ୍ୟକ୍ଷ ଭାବେ ଉଚ୍ଚଶିକ୍ଷାକୁ ଦିଶାହୀନ କରିବା କାର୍ଯ୍ୟରେ ଅଛନ୍ତି ବୋଲି କୁହାଯାଉଛି। କାରଣ ନିୟମ ଅନୁସାରେ, ଜଣେ ଜଣେ ନିୟମିତ ଶିକ୍ଷକ ବା ଅଧ୍ୟାପକ ସପ୍ତାହରେ ୨୫ଟି ପିରିୟଡ ପାଠ ପଢ଼ାଇବା କଥା। ଏହିଭଳି ଭାବେ ସେମାେନ ମାସକରେ ୧୦୦ଟି ପିରିୟଡ ପଢାଇବେ। ଯେତେବେଳେ ନିୟମିତ ଅଧ୍ୟାପକ ପଦବି ଖାଲିପଡ଼ିଲା, ସେଠାରେ ଛାତ୍ରଛାତ୍ରୀମାନଙ୍କର ପାଠପଢ଼ା କେତେ ପ୍ରଭାବିତ ହୋଇଥିବ? ଏହି କ୍ଷତି କାହାଠାରୁ ଭରଣା କରାଯିବ?

ରାଜ୍ୟ ସରକାର ଶିକ୍ଷକ ଅଭାବକୁ ଦୂର କରିବା ଲାଗି ଅତିଥି ଅଧ୍ୟାପକ ନିଯୁକ୍ତି ବ୍ୟବସ୍ଥା କରିଛନ୍ତି। ସରକାର ନିଜେ ସ୍ଥିର କରିଛନ୍ତି ଯେ ସେମାନେ ମାସିକ ୨୦ ହଜାର ଟଙ୍କା ଯାଏ ପାରିଶ୍ରମିକ ପାଇବେ ଓ ୪୦ଟି ପିରିୟଡ ପଢ଼ାଇବେ। ହେଲେ ବାସ୍ତବରେ ଦେଖାଯାଇଛି ଯେ ଅନେକ ସ୍ଥାନରେ ଅତିଥି ଅଧ୍ୟାପକଙ୍କ କାନ୍ଧରେ ହିଁ ଶିକ୍ଷା ବ୍ୟବସ୍ଥାର ବୋଝ। ସେମାନଙ୍କୁ ଅଧିକ ପିରିୟଡ ପାଠ ପଢ଼ାଇବାକୁ କୁହାଯାଇଛି ବା ସମସ୍ତଙ୍କ ଜାଣତରେ ତାଙ୍କ କାନ୍ଧରେ ଏବେ ଉଚ୍ଚଶିକ୍ଷାର ଭାଗ୍ୟ ଲଦି ହୋଇ ରହିଛି।
ରାଜ୍ୟ ସରକାର ଶିକ୍ଷାକୁ ପ୍ରାଥମିକତା ଦେଇ ଯେବେ ତୃଣମୂଳସ୍ତରରୁ ଭିତ୍ତିଭୂମି ସଜାଡୁଛନ୍ତି, ସେବେ ଶୀର୍ଷସ୍ତରରେ ଶିକ୍ଷା ବ୍ୟବସ୍ଥା ଯେ ଭୁଶୁଡି ଗଲାଣି ଏକଥା ଜାଣିପାରିନାହାନ୍ତି।

 

ସମ୍ବନ୍ଧିତ ଖବର