ନବରଙ୍ଗପୁର: ଜିଲ୍ଲାରେ ଅଦିନିଆ ଲଘୁଚାପ ଜନିତ, କାଳବୈଶାଖୀ ବର୍ଷା ଆଦି ବର୍ଷ ତମାମ ଲାଗି ରହୁଛି। ଏ ସମୟରେ ହେଉଥିବା ବଜ୍ରପାତରେ ମୃତ୍ୟୁ ବି ବେଶି ପରିମାଣର ହେଉଛି। ଗତ ୧୦ ବର୍ଷରେ ୧୪୭ଜଣଙ୍କର ଏଥିରେ ମୃତ୍ୟୁ ହୋଇଛି। କୃଷି ପ୍ରଧାନ ନବରଙ୍ଗପୁର ଜିଲ୍ଲାର ଲୋକେ ଜମିରେ କାମ କରୁଥିବା ବେଳେ ବେଶିମାତ୍ରାରେ ଏଥିରେ ମୃତ୍ୟୁବରଣ କରୁଛନ୍ତି। ଖାସ୍ କରି ସଚେତନତା ଅଭାବରୁ ବେଶି ମରୁଛନ୍ତି। ତାଳଗଛ ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବାରେ ସହାୟକ। ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା କମାଇବାକୁ ରାଜ୍ୟ ସରକାର ତାଳଗଛ ଲଗାଇବାକୁ ଚିନ୍ତା କରିଛନ୍ତି।
ବଜ୍ରପାତଜନିତ ମୃତ୍ୟୁର ଅନ୍ୟ ଏକ କାରଣ ହେଲା ଜଙ୍ଗଲ ଅବକ୍ଷୟ । ବନ ବିଭାଗର ପାଖାପାଖି ୩୦ହଜାର ହେକ୍ଟର ଜମି ଜିଲ୍ଲାରେ ଜବରଦଖଲରେ ରହିଛି। କେଉଁଟି ମକାଚାଷ ତ ଆଉ କେଉଁଟି ନିଳଗିରୀ ଗଛ ଲାଗିଛି। ରାଜସ୍ବ ବିଭାଗ ପାଖରେ ଗ୍ରାମ୍ୟ ଜଙ୍ଗଲ ଜବରଦଖଲର ହିସାବ ନାହିଁ I ଜିଲ୍ଲାରେ ଉମରକୋଟ ବ୍ଲକ୍ରେ ବଜ୍ରପାତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି। ତା ପରେ ପର୍ଯ୍ୟାୟକ୍ରମେ ରାଇଘର, କୋଷାଗୁମୁଡ଼ା, ଝରିଗାଁ, ପାପଡ଼ାହାଣ୍ଡି, ନବରଙ୍ଗପୁର, ତେନ୍ତୁଳିଖୁଣ୍ଟି, ଡାବୁଗାଁ ଓ ଚନ୍ଦାହାଣ୍ଡି ରହିଛି। ଚନ୍ଦାହାଣ୍ଡିରେ ବଜ୍ରପାତ ଜନିତ ମୃତ୍ୟୁ ସର୍ବନିମ୍ନ ରହିଛି। ଜିଲ୍ଲାରେ ବଜ୍ରପାତରେ ଗତ ୨୦୧୫-୧୬ରେ ୧୯ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୨୦୧୬-୧୭ରେ ୧୯, ୨୦୧୭– ୧୮ରେ ୧୮, ୨୦୧୮-୧୯ରେ ୧୪ ଓ ୨୦୧୯-୨୦ରେ ୧୭, ୨୦୨୦ -୨୦୨୧ରେ ୨୦,୨୦୨୧-୨୨ରେ ୮, ୨୦୨୨-୨୩ରେ ୧୬ , ୨୦୨୩-୨୪ରେ ୧୦ଜଣ ଓ ୨୦୨୪-୨୫ରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ୮୨ଟି ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ଘଟିଛି। ୨୦୧୫ ମସିହା ପରଠୁ ଦୈବୀ ଦୁର୍ବିପାକଜନିତ ମୃତ୍ୟୁ ହେଲେ ସରକାର ୪ଲକ୍ଷ ଟଙ୍କା ସହାୟତା ଦେଉଛନ୍ତି। ଏଥିପାଇଁ ଶବ ବ୍ୟବଚ୍ଛେଦ ରିପୋର୍ଟ ବାଧ୍ୟତାମୂଳକ ରହିଛି। ତେବେ ଅନେକ ସମୟରେ ଲୋକେ ମୃତଦେହ ବ୍ୟବଚ୍ଛେଦ ପାଇଁ ଗାଁଠାରୁ ଅନ୍ୟ ସ୍ଥାନକୁ ନେବାକୁ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ସେ ଘଟଣାଗୁଡ଼ିକ ସରକାରୀ ରିପୋର୍ଟକୁ ଆସିପାରୁନାହିଁ। ଏଣୁ ଏହି ସଂଖ୍ୟା ବୃଦ୍ଧି ପାଇବ। କାଳବୈଶାଖୀ ବେଳେ ଏଭଳି ମୃତ୍ୟୁ ଅଧିକ । ସମ୍ଭାବ୍ୟ ବଜ୍ରପାତ ନେଇ ଗତ କିଛିବର୍ଷ ହେବ ରାଜ୍ୟ ପାଣିପାଗ ବିଭାଗ ରିପୋର୍ଟ ପ୍ରକାଶ କରୁଥିବା ବେଳେ ତାହା ଗାଁ ଗହଳିରେ ପହଂଚିପାରୁନାହିଁ। ଫଳରେ ଅଘଟଣ ଅଧିକ ଘଟୁଛି। ବଜ୍ରପାତ ଓ ସାପକାମୁଡା ମୃତ୍ୟୁ କମାଇବାକୁ ସଚେତନତା ରଥ ହେଉଛି ସତ ଏହି ରଥ ସବୁ ଗାଁରେ ପହଚିଂ ପାରୁନି। ଗାଁରେ କାମ କରୁଥିବା କ୍ଷେତ୍ର କର୍ମଚାରୀମାନେ ବି ଏ ନେଇ ସଚେତନତା ସୃଷ୍ଟି କରୁନାହାନ୍ତି। ସେହି ଅନୁପାତରେ ଲୋକେ ସଚେତନ ହେଉ ନ ଥିବା ଦେଖିବାକୁ ମିଳୁଛି।
୨୦୨୪-୨୫ ଆର୍ଥିକ ବର୍ଷ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ନବରଙ୍ଗପୁର ବନଖଣ୍ଡ ପକ୍ଷରୁ ଜିଲ୍ଲାରେ ୫୦ ହଜାର ଗଛ ଲଗାଇବା ପାଇଁ ନିଷ୍ପତ୍ତି ନେଇଛି। ନବରଙ୍ଗପୁର, ଉମରକୋଟ, ଝରିଗାଁ, କୋଡ଼ିଙ୍ଗା, ଡାବୁଗାଁରେ ଓ ରାଇଘର ବନାଞ୍ଚଳ ଅଧୀନ ୪୪ ଫରେଷ୍ଟ ଅଞ୍ଚଳ ଓ ୧୨୮ ଚାରାରୋପଣ ଅଞ୍ଚଳର ୧୭୨ ସ୍ଥାନରେ ୩୭ ହଜାର ୪୩୬ଟି ସ୍ଥାନରେ ତାଳମଞ୍ଜି ଲଗା ଯାଇଛି। ଏହି ଗଛଗୁଡିକର ଯତ୍ନ ନିଆଯିବ। ଚାରା ହେବା ପରେ ଏହାକୁ ନେଇ ଗଛ ଲଗାଯିବ ବୋଲି ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା କହିଛନ୍ତି।