ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗରେ ଦେବାଶିଷଙ୍କ ଜବାବ : ଭର୍ତ୍ତୃହରି ସହରକୁ ଅଶାନ୍ତ କରୁଛନ୍ତି

ଭୁବନେଶ୍ବର : ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ ମୁହାଁମୁହିଁ ବିଜେଡି ନେତା । ଗତକାଲି ମୂର୍ତ୍ତି ଉଚ୍ଚତା ପ୍ରସଙ୍ଗକୁ ନେଇ କଟକ ସାଂସଦ ଭର୍ତ୍ତୁହରି ମହତାବଙ୍କ ବୟାନକୁ ନେଇ ଟାର୍ଗେଟ କରିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ । ଦେବାଶିଷ କହିଛନ୍ତି କି, ଭର୍ତ୍ତୁହରି ସହରକୁ ଅଶାନ୍ତ କରୁଛନ୍ତି । ସେ ମଣ୍ଡପ ଦର୍ଶନ କଥା କହି କେରଳ ଉଦାହରଣ ଦେଉଛନ୍ତି । ଯଦି ସଂକ୍ରମଣ ବୃଦ୍ଧି ପାଏ ତେବେ ସେ ଏଥିପାଇଁ ଦାୟୀ ରହିବେ । ଜଣେ ବିଜ୍ଞ ସାଂସଦ ହୋଇ ଏଭଳି କହିବା ଠିକ୍ ହୋଇନି ।

ଯେ କୌଣସି ମୂର୍ତ୍ତିକୁ ଆମେ ପୂଜା କରିପାରିବା । କେବଳ ଯେ ନିର୍ଦ୍ଦିଷ୍ଟ ଉଚ୍ଚତା ଥିଲେ ମାଆଙ୍କ ଆରାଧନା ହୋଇପାରିବ ଏହା ଆଦୌ ଠିକ୍ ନୁହେଁ । ବହୁତ ଲୋକ ନିଜ ଘରେ ଦୁର୍ଗାପୂଜା କରୁଛନ୍ତି । ଗଣେଶଠୁ ଲକ୍ଷ୍ମୀ ବିଭିନ୍ନ ଦେବାଦେବୀଙ୍କୁ ପୂଜାର୍ଚ୍ଚନା କରୁଛନ୍ତି । ସେଥିରେ ତ କିଛି ଅସୁବିଧା ହେଉନି, ତେଣୁ ସାଂସଦଙ୍କ ଏଭଳି ବୟାନ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଦେବାଶିଷ ।

ତେବେ ଗତକାଲି ଦୁର୍ଗାପୂଜା ମୂର୍ତ୍ତିର ଉଚ୍ଚତା ନ ବଢିବା ନେଇ ନିଆଁରେ ଘିଅ ଢାଳିଥିଲେ ସ୍ଥାନୀୟ ସାଂସଦ ଭର୍ତ୍ତୃହରି ମହତାବ । ସେ କହିଛନ୍ତି, ମୂର୍ତ୍ତି ଉଚ୍ଚତା ନ ବଢିବା ଅର୍ଥ ପୂଜାରେ ବିଘ୍ନ ହେବା । କଟକ ଶାନ୍ତି କମିଟି ବୈଠକରେ ଏପରି କହି ନିଆଁରେ ଘିଅ ଢାଳିଛନ୍ତି କଟକ ସାଂସଦ । ମହାରାଷ୍ଟ୍ର ଓ କୋଲକାତାରେ ମୂର୍ତ୍ତିର ଉଚ୍ଚତା କମ୍ ହୋଇନଥିବା କହି ଉଦାହରଣ ଦେଇଛନ୍ତି ସାଂସଦ । ତେଣୁ କଟକଣା କୋହଳ ପାଇଁ ସରକାରଙ୍କୁ ପୁଣି ନିବେଦନ କରାଯାଉ ବୋଲି ସାଂସଦ କହିଛନ୍ତି ।

ସେହିପରି ବିଜେପି ଉପରେ ବର୍ଷିଛନ୍ତି ଦେବାଶିଷ । କହିଛନ୍ତି କି, ବିଜେପି କ’ଣ ଏକ ସହରର ଦଳ? ମୂର୍ତ୍ତି ତ ଓଡ଼ିଶାର ସବୁଠି ହେଉଛି ଖାଲି କଟକୁ କେନ୍ଦ୍ର କରି ବନ୍ଦ ଡାକରା ବିକ୍ଷୋଭ କରିବାକୁ କାହିଁକି ଯୋଜନା କରିଛି ବିଜେପି? ତେବେ ନିକଟରେ ମୂର୍ତ୍ତିର ଉଚ୍ଚତା ବଢାଇବା ପାଇଁ ବିଭିନ୍ନ ସଂଗଠନ ଦାବି କରିଥିଲେ । ଏହାପରେ ଶୁକ୍ରବାରଦିନ ଏସଆରସି ପକ୍ଷରୁ କୁହାଯାଇଥିଲା କରୋନାର ତୃତୀୟ ଲହରକୁ ଆଖି ଆଗରେ ରଖି ରାଜ୍ୟ ସରକାର ପାର୍ବଣ ପାଇଁ କୌଣସି କଟକଣାରେ କୋହଳ କରିବେ ନାହିଁ । ତେଣୁ ଅଗଷ୍ଟ ୯ରେ ସରକାର ଜାରି କରିଥିବା ଗାଇଡଲାଇନ ବଳବତ୍ତର ରଖିଛନ୍ତି ।

ସମ୍ବନ୍ଧିତ ଖବର