ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୪ର ସମାପ୍ତି ପରେ ରିକି ପଣ୍ଟିଂ ଦିଲ୍ଲୀ କ୍ୟାପିଟାଲସର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଥିଲେ। ବର୍ତ୍ତମାନ ଆଇପିଏଲ୍ ୨୦୨୫ ମେଗା ନିଲାମ ପାଖେଇ ଆସୁଛି, କିନ୍ତୁ ଏହାପୂର୍ବରୁ ହେମାଙ୍ଗ ବଦାନୀଙ୍କୁ ଦିଲ୍ଲୀର ମୁଖ୍ୟ ପ୍ରଶିକ୍ଷକ କରିବା ନେଇ କଳ୍ପନାଜଳ୍ପନା ଚାଲିଛି। ପିଟିଆଇ ଅନୁଯାୟୀ, ପୂର୍ବତନ ଭାରତୀୟ କ୍ରିକେଟର ମୁନାଫ ପଟେଲଙ୍କୁ ଦିଲ୍ଲୀ କ୍ୟାପିଟାଲସର କୋଚିଂ ଷ୍ଟାଫରେ ମଧ୍ୟ ଏକ ବଡ଼ ଦାୟିତ୍ୱ ଦିଆଯାଇପାରେ। ଏକ ରିପୋର୍ଟ ସୂତ୍ରରୁ ଜଣାପଡିଛି ଯେ ଦିଲ୍ଲୀ କ୍ୟାପିଟାଲସର ମ୍ୟାନେଜମେଣ୍ଟ ଟିମ ଏବେ ଜଣେ ଭାରତୀୟ କୋଚ୍ ଖୋଜୁଛି। ଏହି ଖୋଜାଖୋଜି ଭିତରେ ଦୁଇ ପୂର୍ବତନ ଭାରତୀୟ କ୍ରିକେଟର ହେମାଙ୍ଗ ବଦାନୀ ଏବଂ ମୁନାଫ ପଟେଲଙ୍କ ନାମ ସାମ୍ନାକୁ ଆସିଛି। 

Advertisment

ବଦାନୀଙ୍କୁ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ୱ ଦିଆଯିବାକୁଥିବାବେଳେ ମୁନାଫ ପଟେଲଙ୍କୁ ବୋଲିଂ ପ୍ରଶିକ୍ଷକ ଭାବରେ ଦାୟିତ୍ୱ ଦିଆଯାଇପାରେ। ସେହିପରି ଦିଲ୍ଲୀ କ୍ୟାପିଟାଲସ ଋଷଭ ପନ୍ତ, ଅକ୍ଷର ପଟେଲ ଏବଂ କୁଲଦୀପ ଯାଦବଙ୍କୁ ରିଟେନ କରିବାକୁ ନିଷ୍ପତ୍ତି ନେଇଛି । ପନ୍ତକୁ ୧୮ କୋଟି, ଅକ୍ଷରଙ୍କୁ ୧୪ କୋଟି, ଓ କୁଲଦୀପଙ୍କୁ ୧୧ କୋଟି ଟଙ୍କାରେ ରିଟେନ କରାଯାଇପାରିବ | ଏହା ବ୍ୟତୀତ ଦିଲ୍ଲୀ ମ୍ୟାନେଜମେଣ୍ଟ ଅଷ୍ଟ୍ରେଲୀୟ ତାରକା ଜେକେ ଫ୍ରେଜର ମ୍ୟାକଗର୍କଙ୍କ ଉପରେ ମଧ୍ୟ ନଜର ରଖିବ, ଯିଏ ଆଇପିଏଲ ୨୦୨୪ରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ। 

ଉଲ୍ଲେଖ ଥାଉ କି ହେମାଙ୍ଗ ଭାରତ ପାଇଁ ୪ଟି ଟେଷ୍ଟ ମ୍ୟାଚରେ ୯୪ ରନ୍ ସଂଗ୍ରହ କରିଥିବାବେଳେ ୪୦ଟି ଦିନିକିଆ ମ୍ୟାଚରେ ୮୬୭ ରନ୍ କରିଥିଲେ । ଡିସେମ୍ବର ୨୦୨୧ରେ, ତାଙ୍କୁ ସନରାଇଜର୍ସ ହାଇଦ୍ରାବାଦର ଫିଲ୍ଡିଂ କୋଚ୍ କରାଯାଇଥିଲା । ବର୍ତ୍ତମାନ ଯଦି ସେ ଦିଲ୍ଲୀ କ୍ୟାପିଟାଲସର ମୁଖ୍ୟ ପ୍ରଶିକ୍ଷକ ପଦବୀ ପାଆନ୍ତି, ତେବେ ଏହା ତାଙ୍କ କୋଚିଂ କ୍ୟାରିୟର ପାଇଁ ଏକ ବଡ଼ ମାଇଲେଜ ହେବ |