ଦିଲ୍ଲୀରେ ଉପନିର୍ବାଚନ ଘୋଷଣା ଉପରେ ସାମୟିକ ରୋକ ଲଗାଇଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀହାଇକୋର୍ଟରୁ ବି ନିରାଶ ହୋଇଛି ଆମ୍‌ ଆଦମୀ ପାର୍ଟି (ଆପ୍‌) । ୨୦ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ମାମଲାରେ କୌଣସି ମଧ୍ୟବର୍ତ୍ତିକାଳୀନ ସ୍ଥଗିତାଦେଶ ଲଗାଇବାକୁ ହାଇକୋର୍ଟ ମନା କରିଦେଇଛନ୍ତି । ତେବେ ପରବର୍ତ୍ତି ଶୁଣାଣୀ ପର୍ଯ୍ୟନ୍ତ ଉପନିର୍ବାଚନ ସଂପର୍କରେ ଘୋଷଣା ନ କରିବାକୁ ନିର୍ବାଚନ ଆୟୋଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଅଫିସ୍‌ ଅଫ ପ୍ରଫିଟ୍‌ ମାମଲାରେ ୨୦ ଜଣ ବିଧାୟକଙ୍କୁ ନିର୍ବାଚନ ଆୟୋଗ ପକ୍ଷରୁ ଅଯୋଗ୍ୟ ଘୋଷଣା ପରେ ଆପ୍‌ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା । ତେବେ ନିର୍ବାଚନ ଆୟୋଗର ସୁପାରିଶକୁ ରାଷ୍ଟ୍ରପତି ମଂଜୁରୀ ଦେବାପରେ ଆପ୍‌ ନିଜର ପୂର୍ବ ପିଟିସନକୁ ପ୍ରତ୍ୟାହାର କରି ପୁଣି ଥରେ ଆବେଦନ କରିଥିଲା ।
ନିଜ ଆବେଦନରେ ଆପ୍‌ ବିଧାୟକମାନେ ଦର୍ଶାଇଛନ୍ତି ଯେ ଏହି ନିଷ୍ପତ୍ତି ନେବା ପୂର୍ବରୁ ନିର୍ବାଚନ ଆୟୋଗ ସେମାନଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେଇନାହିଁ ଓ ଅତ୍ୟନ୍ତ ତରବରିଆ ଭାବେ ସଭ୍ୟପଦ ରଦ୍ଦ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କରିଛି ।

ଏହି ମାମଲାର ପରବର୍ତ୍ତି ଶୁଣାଣୀ ଆସନ୍ତା ୨୯ ତାରିଖରେ ହେବ । ସେ ପର୍ଯ୍ୟନ୍ତ ଉକ୍ତ ୨୦ଟି ଆସନରେ ଉପନିର୍ବାଚନ ଲାଗି କୌଣସି ଘୋଷଣା ନ କରିବାକୁ କୋର୍ଟ ନିର୍ବାଚନ ଆୟୋଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ବିଧାୟକ ଅଯୋଗ୍ୟ ଘୋଷଣା ମାମଲାରେ ଆସନ୍ତା ଫେବ୍ରୁଆରୀ ୬ ତାରିଖ ସୁଦ୍ଧା ନିଜର ଜବାବ ରଖିବାକୁ ମଧ୍ୟ ନିର୍ବାଚନ ଆୟୋଗକୁ କୋର୍ଟ କହିଛନ୍ତି ।

ସମ୍ବନ୍ଧିତ ଖବର