ବାଲୁଗାଁ ବିଜ୍ଞପିତ ଅଂଚଳ ସଫେଇ କର୍ମଚାରୀଙ୍କ ୭ ଦଫା ଦାବିପତ୍ର

ଖୋର୍ଦ୍ଧା : ବାଲୁଗାଁ ବିଜ୍ଞପିତ ଅଂଚଳ ସଫେଇ କର୍ମଚାରୀମାନେ ଆଜି ୭ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରି ଯଥାଶୀଘ୍ର ଏହାର ସମାଧାନ କରିବାକୁ ଦାବି କରିଛନ୍ତି ।

ଆଜି ଅପରାହ୍ଣରେ ଜିଲ୍ଲାସ୍ତରୀୟ ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘର ନେତୃତ୍ୱରେ ବାଲୁଗାଁ ଏନ୍ଏସିରେ କାମ କରୁଥିବା ପ୍ରାୟ ୪୦ରୁ ଉଦ୍ଧ୍ୱର୍ ସଫେଇ କର୍ମଚାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କିଛି ସମୟ ଧାରଣା ଦେବା ପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ଦେଇଥିଲେ । ଦାବି ସମ୍ପର୍କରେ ସୂଚନା ଦେଇ ସଂଘର ସଭାପତି ମୋହନ ନାୟକ କହିଛନ୍ତି ଯେ ବାଲୁଗାଁ ଏନ୍ଏସିରେ ଦୀର୍ଘ ଦିନ ଧରି ସଫେଇ କର୍ମଚାରୀମାନେ ଏକ ଠିକା ସଂସ୍ଥା ମାଧ୍ୟମରେ କାମ କରୁଛନ୍ତି । ମାସିକ ୩୦ ଦିନ କାମ କରୁଥିବା ବେଳେ ସେମାନଙ୍କୁ ୨୬ ଦିନର ମଜୁରୀ ପ୍ରଦାନ କରାଯାଉଛି । ୧ରୁ ୭ ତାରିଖ ମଧ୍ୟରେ ମଜୁରି ପ୍ରଦାନ କରିବା ନିୟମ ରହିଥିବା ବେଳେ ଏହି ସମୟରେ ପ୍ରଦାନ କରାଯାଉନାହିଁ । ଏନେଇ ପ୍ରତିବାଦ କଲେ ଚୁକ୍ତି ବାତିଲ କରି ଚାକିରିରୁ ଛଟେଇ କରିବାକୁ ଠିକାସଂସ୍ଥା ଧମକ ଦେଉଛନ୍ତି ।

ଏନ୍ଏସି ଓ ଠିକା ସଂସ୍ଥା ଇପିଏଫ୍ ବାବଦରେ ମଜୁରିରୁ ଟଙ୍କା କଟାଯାଉଥିବା କୁହାଯାଉଛି, କିନ୍ତୁ ଏନେଇ କୌଣସି ସଠିକ୍ ପ୍ରମାଣପତ୍ର ପ୍ରଦାନ କରାଯାଉନାହିଁ । କରୋନା ସଂକ୍ରମଣ ସମୟରେ ମାସ୍କ, ସାବୁନ୍, ହାତ ଗ୍ଲୋବ୍ ଆଦି ଦେବା ନିୟମ ରହିଥିବା ବେଳେ ସେଗୁଡ଼ିକ ପ୍ରଦାନ କରାଯାଉନାହିଁ କି ସେମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରାଯାଉନାହିଁ ।

ସଂଘର ସହ ସମ୍ପାଦକ ସାବିତ୍ରୀ ନାୟକ କହିଛନ୍ତି ଯେ ନିକଟରେ ସମସ୍ତ ସଫେଇ କର୍ମଚାରୀ ଟିକା ନେଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ମଧ୍ୟରେ ସ୍ୱାସ୍ଥ୍ୟଗତ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ସେମାନେ କାମକୁ ଯାଇପାରୁନାହାନ୍ତି । ଏହି ସମୟରେ ସେମାନଙ୍କ ପରିବାର ଆର୍ଥିକ ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଏଣୁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହ ପରବର୍ତୀ ଚିକିତ୍ସା ପାଇଁ ମଧ୍ୟ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ।

ସମ୍ବନ୍ଧିତ ଖବର