ଭୁବନେଶ୍ବର : ସରକାରୀ ବିଶ୍ବବିଦ୍ୟାଳୟରେ ଖାଲିଥିବା ଅଧ୍ୟାପକ ଓ ଅଣ-ଶିକ୍ଷକ ପଦବି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି ଉଚ୍ଚଶିକ୍ଷା ବିଭାଗ। ବିଶ୍ବବିଦ୍ୟାଳୟଗୁଡ଼ିକର ରେଗୁଲାର ଓ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମରେ ଥିବା ଅଧ୍ୟାପକଙ୍କ ସଂଖ୍ୟା, ଛାତ୍ରଛାତ୍ରୀଙ୍କ ସଂଖ୍ୟା ଓ ଅଣ-ଶିକ୍ଷକ କର୍ମଚାରୀଙ୍କ ତଥ୍ୟ ଏକ୍ସେଲ୍ ସିଟ୍ ମାଧ୍ୟମରେ ଇ-ମେଲ୍ରେ ପଠାଇବା ପରେ ବିଭାଗ ପକ୍ଷରୁ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ବିଶ୍ବବିଦ୍ୟାଳୟ କୁଳସଚିବମାନଙ୍କୁ କୁହାଯାଇଛି।
ବିଶ୍ବବିଦ୍ୟାଳୟ ପାଇଁ କେତେ ସଂଖ୍ୟକ ଅଧ୍ୟାପକ ଅନୁମୋଦିତ ହୋଇଛନ୍ତି, କେତେ ଜଣ ଅଛନ୍ତି, କେତେ ସଂଖ୍ୟାରେ ସିଟ୍ ଖାଲି ପଡ଼ିଛି ଆଦି ଜଣାଇବେ। ୟୁଜି(ସ୍ନାତକ), ପିଜି(ସ୍ନାତକୋତ୍ତର), ଏମ୍ ଫିଲ୍, ପିଏଚ୍ଡିରେ ନାମଲେଖା ଲାଗି କେତେ ସିଟ୍ ଅନୁମୋଦନ ହୋଇଛି ଏବଂ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ସଂଖ୍ୟା କେତେ ରହିଛି। ସେହିପରି ଅଣ-ଶିକ୍ଷକଙ୍କ ପଦବି ସଂଖ୍ୟା, ସ୍କେଲ୍ ଅଫ୍ ପେ’, ୭ମ ବେତନ କମିସନ ଆଧାରରେ ଦରମା, କେଉଁ ବିଭାଗରେ କାର୍ଯ୍ୟରତ ଅଛନ୍ତି। ସେହିପରି ଅଣ-ଶିକ୍ଷକ ଅନୁମୋଦନ ସଂଖ୍ୟା, କେତେଜଣ ରହିଛନ୍ତି ଏବଂ ଆଉଟ୍ସୋର୍ସିଂରୁ କେତେଜଣ ନିୟୋଜିତ ହୋଇଛନ୍ତି, ସେ ବିଷୟରେ ଜଣାଇବାକୁ କୁହାଯାଇଛି।