ଆମ୍ମାକୁଣ୍ଡ ଅଂଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କଲା ବ୍ଲକ ପ୍ରଶାସନ, ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଯେତେ ପର୍ଯ୍ୟଟନସ୍ଥଳୀ ରହିଛି ସେଥିମଧ୍ୟରୁ ଖଇରପୁଟ ବ୍ଲକରେ ରହିଥିବା ଆମ୍ମାକୁଣ୍ଡ ଅନ୍ୟତମ।ପ୍ରତିବର୍ଷ ଶହ ଶହ ପର୍ଯ୍ୟଟକ ଆମ୍ମାକୁଣ୍ଟକୁ ବୁଲିବାକୁ ଆସିଥାନ୍ତି ।ଏହାର ମନରୋମ ଦୃଶ୍ୟ ସାଂଗକୁ ଶୈବପୀଠ ଏବଂ ଏଠାରେ ରହିଥିବା ପ୍ରାକୃତିକ ପାଣି କୁଣ୍ଡରେ ମାଛଙ୍କୁ ଖାଇବାକୁ ଦେବା ଅତି ଅନନ୍ୟ । ଶିବରାତ୍ରୀ ସମେତ କାର୍ତ୍ତିକ ମାସରେ ଏଠାରେ ପ୍ରବଳ ଜନସମାଗମ ହୋଇଥାଏ । ତେବେ ଏହାର ଉନ୍ନତିକରଣ କରିବା ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ପ୍ରଶାସନ ନିକଟରେ ଦାବି କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲେ।

ତେବେ ଗତ କିଛି ଦିନ ତଳେ ପିଡି,ଡିଆରଡିଏ ବାଳମୁକୁନ୍ଦ ଭୂୟାଁ ଏବଂ ସାଂସଦ ପ୍ରତିନିଧି ଜଗନ୍ନାଥ ମାଝି ଏହି ଅଂଚଳ ଗସ୍ତକରି ଏହାର ଉନ୍ନତି ପାଇଁ ଜିଲ୍ଲାପାଳଙ୍କ ପରାମର୍ଶ ଲୋଡିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଆଜି ଜିଲ୍ଲାପାଳଙ୍କ ନିର୍ଦେଶକ୍ରମରେ ଖଇରପୁଟ ବିଡିଓ ହୃଦାନନ୍ଦ ସାହୁ ଏବଂ ଏକ ଟିମ ଆମ୍ମାକୁଣ୍ଡ ଗସ୍ତକରି ଏହାର ଉନ୍ନତି ପାଇଁ ଏକ ବ୍ୟୟ ଅଟକଳ କରିଥିବା ଜଣାପଡିଛି । ଆଗାମୀ ଦିନରେ ଏହି ଅଂଚଳର ବିକାଶ କରାଯାଇ ଅଧିକାରୁ ଅଧିକା ଯେପରି ପର୍ଯ୍ୟଟକ ଏହି ଅଂଚଳକୁ ଆସିବେ ସେନେଇ ଯୋଜନା ପ୍ରସ୍ତୁତ କରାଯାଉଥିବା କୁହାଯାଇଛି।ପର୍ଯ୍ୟଟକଙ୍କ ଭିଡ ହେଲେ ଏଠାରେ ସ୍ଥାନୀୟ ଲୋକେ ମଧ୍ୟ ନିଜର ବ୍ୟବସାୟକୁ ବଢାଇପାରିବେ ବୋଲି କୁହାଯାଇଛି ।ଏଥିସହ ଏହି ଅଂଚଳର ମଧ୍ୟ ବିକାଶ ହୋଇପାରିବ।ସାଂସଦ ପ୍ରତିନିଧି ଶ୍ରୀ ମାଝିଙ୍କ କହିବା ଅନୁଯାୟୀ ବ୍ଲକ ପ୍ରଶାସନ ତରଫରୁ ଆମ୍ମାକୁଣ୍ଡର ବିକାଶ ହେଲେ ଏହି ଅଂଚଳ ଜିଲ୍ଲାର ଏକ ନମ୍ବର ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ପାଇବ । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏତେ ମନରୋମ ଯେ ପର୍ଯ୍ୟଟକ ଥରେ ଆସିଲେ ଆଉ ଥରେ ଆସିବାକୁ ପସନ୍ଦ କରିଥାନ୍ତି । ପାଣିରେ ମାଛଙ୍କୁ ନିଜ ହାତରେ ଖୁଆଇବା ଏକ ଆଶ୍ଚର୍ଯ୍ୟ ହୋଇଥିଲେ ବି ଏଠାରେ ପର୍ଯ୍ୟଟକ ନିଜ ହାତରେ ମାଛ ଦେଉଥିବା ବେଳେ ମାଛ ଆସି ଖାଦ୍ୟ ଛଡାଇ ନେଇ ଖାଉଥିବା ଦୃଶ୍ୟକୁ ଫଟୋ ଉଠାଉଥିବା ଦେଖିବାକୁ ମିଳେ।ତେଣୁ ଜିଲ୍ଲା ପ୍ରଶାସନ ଏହାର ଉନ୍ନତି କରଣ ଏବଂ ବିକାଶ କରିବା ଜରୁରୀ ହୋଇପଡିଥିବା ଶ୍ରୀ ମାଝି ଯୁକ୍ତି ବାଢିଥିଲେ ।

ସମ୍ବନ୍ଧିତ ଖବର