କରୋନା ମୁକାବିଲା ପାଇଁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶା ପ୍ରଭାରି ଦାୟିତ୍ୱ, ରାଜ୍ୟର ସ୍ଥିତି ସଂପର୍କରେ ପିଏମଓକୁ ଜଣାଇବେ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୧ ଦିନ ପାଇଁ ସାରାଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଦେଶରେ କରୋନା ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଦେଶର ବିଭିନ୍ନ ରାଜ୍ୟରେ କରୋନା ସ୍ଥିତି ସମ୍ପର୍କରେ ଅବଗତ କରିବା ପାଇଁ କେନ୍ଦ୍ର ସରକାର କେନ୍ଦ୍ରମନ୍ତ୍ରୀମାନଙ୍କୁ ଗୋଟିଏ ଗୋଟିଏ ରାଜ୍ୟର ଦାୟିତ୍ୱ ପ୍ରଦାନ କରିଛନ୍ତି । ଓଡ଼ିଶାର ସ୍ଥିତି ତଦାରଖ ପାଇଁ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟର ସ୍ଥିତି ସଂପର୍କରେ ସେ ପ୍ରତିଦିନ ପିଏମଓକୁ ଜଣାଇବେ । ରାଜ୍ୟ ସରକାରଙ୍କ ଆବଶ୍ୟକତା ସଂପର୍କରେ ମଧ୍ୟ କେନ୍ଦ୍ର ସରକାରଙ୍କୁ ଜଣାଇବେ ।

ଅନ୍ୟପକ୍ଷରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ରାମ ବିଳାସ ପାସଓ୍ୱାନ ବିହାର, ନିତିନ ଗଡ଼କରୀ ମହାରାଷ୍ଟ୍ର, ଜେନେରାଲ ଭି.କେ ମଲ୍ଲିକ ଆସାମର ଦାୟିତ୍ୱ ପ୍ରଦାନ କରାଯାଇଛି । ଆଜି ମଧ୍ୟ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଦେଶର ଗରିବ ଲୋକମାନଙ୍କ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ୨୧ ଦିନିଆ ଲକଡାଉନ ସମୟରେ ଯେପରି ଗରିବ, ଶ୍ରମିକ, କୃଷକ, ଦିବ୍ୟାଙ୍ଗ, ବରିଷ୍ଠ ନାଗରିକମାନେ ସମସ୍ୟାର ସମ୍ମୁଖୀନ ନହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ଏସବୁ ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

ସମ୍ବନ୍ଧିତ ଖବର