ପୁରୀ: ଶ୍ରମିକ କଲ୍ୟାଣ କେବଳ ଏକ ସାଂଗଠନିକ କାର୍ଯ୍ୟ ନୁହେଁ, ବରଂ ଏହା ଏକ ଦାୟିତ୍ୱବାନ ବୈଚାରିକ ଆନ୍ଦୋଳନ। ଶ୍ରମିକଙ୍କ ପରିଶ୍ରମ ଓ ଦକ୍ଷତା ବଳରେ ଭାରତର ଅର୍ଥନୀତି ମଜଭୁତ ହୋଇଛି। ପୁରୀ ବଗଲା ଧର୍ମଶାଳାରେ ଆୟୋଜିତ ଭାରତୀୟ ମଜଦୁର ସଂଘର ୨୧ତମ ଅଖିଳ ଭାରତୀୟ ତ୍ରୈବାର୍ଷିକ ଅଧିବେଶନରେ ଯୋଗଦେଇ ଏଭଳି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭାରତୀୟ ମଜଦୁର ସଂଘ ପ୍ରତିଷ୍ଠା କାଳରୁ ରାଷ୍ଟ୍ରହିତ, ଶ୍ରମିକ କଲ୍ୟାଣ ଓ ‘ଆତ୍ମନିର୍ଭର ଭାରତ’ର ସଂକଳ୍ପ ସହିତ କାର୍ଯ୍ୟ କରୁଛି। ଶ୍ରମିକମାନଙ୍କ ଅଧିକାର, ମର୍ଯ୍ୟାଦା ଓ ସାମାଜିକ ନ୍ୟାୟକୁ ନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଶ୍ରମଶକ୍ତି ଉପଯୁକ୍ତ ସମ୍ମାନ ପାଇଲେ ଦେଶର ଅର୍ଥନୀତି ଦ୍ବିଗୁଣିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଛନ୍ତି। ମଧ୍ୟାହ୍ନ ଭୋଜନରେ କାର୍ଯ୍ୟରତ ଥିବା ୨୫ ଲକ୍ଷ ସହାୟିକା, ଅଙ୍ଗନବାଡି ତଥା ଆଶା ଦିଦିଙ୍କ କଲ୍ୟାଣ ଦିଗରେ ସରକାର ନିରନ୍ତର କାମ କରୁଛନ୍ତି।
ମନ୍ତ୍ରୀ ଶ୍ରୀ ପ୍ରଧାନ ମଜଦୁର ସଂଘର ଜଣେ କାର୍ଯ୍ୟକର୍ତ୍ତା ଭାବେ କାମ କରିଥିଲେ। ଏହା ଏକ ସୌଭାଗ୍ୟର ବିଷୟ ବୋଲି ସୂଚନା ଦେବା ସହ ସେ କହିଛନ୍ତି, ଭାରତୀୟ ମଜଦୁର ସଂଘ ଆଜି ଏକ ଦାୟିତ୍ୱବାନ ସାମାଜିକ ଆନ୍ଦୋଳନର ରୂପ ନେଇଛି। ଭାରତରେ ‘ୱାର୍କିଂ ଏଜ୍ ଗ୍ରୁପ୍’ ମଧ୍ୟରେ ପ୍ରାୟ ୯୦ କୋଟି ଲୋକ ଅଛନ୍ତି। ଯେଉଁଥିରୁ ପ୍ରାୟ ୫୦ ପ୍ରତିଶତ ବାସ୍ତବରେ କାର୍ଯ୍ୟରତ। ଏହି ୫୦ କୋଟି ଶ୍ରମଜୀବୀଙ୍କୁ ବୈଚାରିକ ସ୍ପଷ୍ଟତା ପ୍ରଦାନ କରିବାରେ ବିଏମଏସ ଏକ ‘କଷଟି ପଥର’ ସଦୃଶ କାମ କରୁଛି। ବର୍ତ୍ତମାନର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଯୁଗରେ ଆମ ଶ୍ରମଶକ୍ତିର ଅଂଶଗ୍ରହଣକୁ ୫୦ ପ୍ରତିଶତରୁ ୭୫ ପ୍ରତିଶତକୁ ବୃଦ୍ଧି କଲେ ହିଁ ଦେଶ ବିକଶିତ ହେବାର ଲକ୍ଷ୍ୟ ପୂରଣ କରିପାରିବ ବୋଲି ସେ କହିଛନ୍ତି।
ଦେଶ ୱାର୍କଫୋର୍ସକୁ ନିରନ୍ତର ‘ସ୍କିଲିଂ, ରି-ସ୍କିଲିଂ ଓ ଅପ-ସ୍କିଲିଂ’ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ନୂତନ ଜାତୀୟ ଶିକ୍ଷା ନୀତିରେ ‘ରୋଜଗାର ସହିତ ପଢିବା’ ବ୍ୟବସ୍ଥା କରାଯାଇଛି। ଏକବିଂଶ ଶତାବ୍ଦୀର ୱାର୍କଫୋର୍ସକୁ ‘ଗ୍ଲୋବାଲ ଷ୍ଟାଣ୍ଡାର୍ଡ’ କରିବା ଲକ୍ଷ୍ୟ ରହିଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/07/img-20260207-wa0034-2026-02-07-14-47-28.jpg)