କିଛି ସରକାରୀ ଅଧିକାରୀ ଦଳୀୟ କର୍ମୀ ପରି କାମ କରୁଛନ୍ତି, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଧର୍ମେନ୍ଦ୍ରଙ୍କ ଫେରାଦ

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ଅଫିସକୁ ଯାଇ ଫେରିବାର କିଛି କ୍ଷଣ ପରେ ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସେଠାକୁ ଯାଇ ସିଇଓଙ୍କୁ ଭେଟିଛନ୍ତି । ସିଇଓଙ୍କୁ ଭେଟିବା ପରେ ସେ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳାରେ ଅବନତି ଦେଖାଦେଇଛି । ନିର୍ବାଚନ ସମୟରେ ବୁଥଗୁଡ଼ିକର ଯେପରି ଲୁଟ ହୋଇନପାରିବ ସେ ସଂପର୍କରେ ଏସପି ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେବାକୁ ସେ ସିଇଓଙ୍କୁ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ କେତେଜଣ ସରକାରୀ ଅଧିକାରୀ ସୀମା ବାହାରକୁ ଯାଇ ଦଳୀୟ କର୍ମୀଭାବେ କାମ କରୁଛନ୍ତି । ଏହା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ ସେ ଅନୁରୋଧ କରିଥିବା କହିଛନ୍ତି ।

କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ସିଇଓଙ୍କୁ ଭେଟି କାଳିଆ ଟଙ୍କା ଅଟକାଯିବା ନେଇ ଫେରାଦ ହୋଇଥିଲେ । କାଳିଆ ଟଙ୍କା ଚାଷୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ, ଏହାକୁ ଅଟକାଯିବା ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି । କାଳିଆ ଯୋଜନାର ହିତାଧିକାରୀମାନଙ୍କୁ ପୂର୍ବରୁ ହିଁ ଚିହ୍ନଟ କରାଯାଇଛି । ଏଣୁ ଏହା ନିର୍ବାଚନ ଆଚରଣବିଧିର ଉଲ୍ଲଙ୍ଘନ କରୁନାହିଁ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଚାଲୁଥିବାବେଳେ କାଳିଆ ଯୋଜନାକୁ ଅଟକାଯିବା ଦୁର୍ଭାଗ୍ୟଜନକ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର