ଭୁବନେଶ୍ୱର: ଦଳେ କଳାପାହାଡଙ୍କ ହାତରେ ମୁଖ୍ୟମନ୍ତ୍ରୀ ସଖୀ କଣ୍ଢେଇ ସାଜିଛନ୍ତି । ଓଡିଶାର ପରିଚୟ ନବୀନ ବୋଲି ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ କହୁଛନ୍ତି । ୭୦ ଦଶକରେ ଏକଛତ୍ରବାଦୀ ଶାସନ କଂଗ୍ରେସ ଲାଗୁ କରିବା ସମୟରେ ତତକାଳୀନ କଂଗ୍ରେସର ସଭାପତି ଦେବକାନ୍ତ ବୋରୁଆ ଇନ୍ଦିରା ଇଜ୍ ଇଣ୍ଡିଆ, ଇଣ୍ଡିଆ ଇଜ୍ ଇନ୍ଦିରା ମନ୍ତବ୍ୟ ଦେଇଥିଲୋ ନବୀନଙ୍କର ଏପରି ମନ୍ତବ୍ୟ ତାଙ୍କର ସ୍ୱେଚ୍ଛାଚାରୀତା ଓ ଏକଚାଟିଆ ମନୋବୃତିକୁ ପଦାରେ ପକାଇ ଦେଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଓଡିଶାର କିଛି ନକଲି ଓଡିଆ ବର୍ଷକୁ ୧୦ ହଜାର କୋଟି ଟଙ୍କା ଲୁଟ କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି । ସେମାନେ ପ୍ରତିପକ୍ଷକୁ ସୁଯୋଗ ନଦେଇ ପାର୍ ହୋଇଯିବେ ବୋଲି ଭାବୁଛନ୍ତି ।
ନଖକାଟି ସହିଦ ହେବା ପାଇଁ ନବୀନ ବାବୁ ଯେଉଁ ସୁଆଙ୍ଗ କରୁଛନ୍ତି। ତାହାକୁ ରାଜ୍ୟବାସୀ ଜାଣିଗଲେଣି ବୋଲି ସେ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ସଂସ୍କୁତି ଓ ଓଡିଆ ଭାବାବେଗକୁ ବୁଝିପାରୁନଥିବା କଳାପାହାଡ ମଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କୁ ଦାରୁର ବିଗ୍ରହ ଭାବିଥିଲା । ମାତ୍ର ମହାପ୍ରଭୁ ଜଗନ୍ନାଥ ଦାରୁର ବିଗ୍ରହ ନୁହେଁ, ବ୍ରହ୍ମ ଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ପରିଚୟ ନବୀନ ବୋଲି ମୁଖ୍ୟମନ୍ତ୍ରୀ ପ୍ରଚାରରେ କହୁଛନ୍ତି । ପାଦତଳୁ ମାଟି ଆସେ ଏପ୍ରକାର ହତାଶର ମନ୍ତବ୍ୟ ଆସେ । ଏହା ବିଜେଡିର ୧୯ ବର୍ଷ ଶାସନ ଅହଙ୍କାରର ପ୍ରତିଫଳନ । ନବୀନ ଯଦି ଓଡିଶାର ପରିଚୟ ତେବେ ମହାପ୍ରଭୁ ଜଗନ୍ନାଥ, ମହାପ୍ରଭୁ ଲିଙ୍ଗରାଜ, ମାଁ ସମଲେଶ୍ୱରୀ, ଧର୍ମପଦ, ଚାଖି ଖୁଂଟିଆଙ୍କ ବଳିଦନ, ଚିଲିକା ହ୍ରଦ, ସମୁଦ୍ର କୂଳ, କୋଣାର୍କ ମନ୍ଦିର, ସମ୍ବଲପୁର ଶାଢୀ କଣ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।