ଚେନ୍ନାଇ: ମାର୍ଚ୍ଚ ୨୬ରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଆଇପିଏଲ୍‌ର ଆଗାମୀ ସଂସ୍କରଣରେ ପୁରୁଖା କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନି ନିଜ ପ୍ରିୟ ଦଳ ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ପକ୍ଷରୁ ଖେଳିବେ। ତେବେ ପୂରା ଋତୁ ପରିବର୍ତ୍ତେ କେତେକ ବଛାବଛା ମ୍ୟାଚ୍‌ରେ ତାଙ୍କୁ ଦେଖିବାକୁ ମିଳିବ। ଯେଉଁ ମ୍ୟାଚ୍‌ରେ ସେ ଖେଳିବେନି ସେଥିରେ ଦଳ ନିକଟରେ କିଣିଥିବା ସଞ୍ଜୁ ସାମସନ୍‌ଙ୍କୁ ୱିକେଟ୍‌ ରକ୍ଷକ ଭୂମିକାରେ ଦେଖିବାକୁ ମିଳିବ।

Advertisment

ସିଏସ୍‌କେ ପକ୍ଷରୁ ରବିବାର ଅନୌପଚାରିକ ଭାବେ ଏହି ସଙ୍କେତ ଦିଆଯାଇଛି। ଦଳର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ମୁଁ ଆପଣଙ୍କୁ ସ୍ପଷ୍ଟ କରି ଦେଇପାରେ ଯେ ୪୫ବର୍ଷୀୟ ଧୋନି ଆଗାମୀ ଆଇପିଏଲ୍‌ ଋତୁରେ ଆମ ଦଳରୁ ଖେଳିବେ। ହେଲେ ସେ ପୂରା ଋତୁ ଖେଳିବାର ଗ୍ୟାରେଣ୍ଟି ମୁଁ ଦେଇ ପାରିବି ନାହିଁ।

ଚଳିତ ଋତୁରେ ସିଏସ୍‌କେରେ ଧୋନି, ସାମସନ ଓ ଉର୍ଭିଲ ପଟେଲଙ୍କ ରୂପରେ ତିନି ଜଣ ୱିକେଟ୍‌ ରକ୍ଷକ ବ୍ୟାଟର୍‌ ଅଛନ୍ତି। ସାମସନ ଓ ଧୋନିଙ୍କ ଉପସ୍ଥିତି ପାଇଁ ଉର୍ଭିଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବାର ସମ୍ଭାବନା କମ୍‌ ରହିଛି।