ରାଉରକଲା: ରାଜ୍ୟରେ ସରକାର ବଦଳିଲା। କିନ୍ତୁ ବଦଳିଲାନି ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ସ୍ବାସ୍ଥ୍ୟସେବା। ଉପାନ୍ତ ବ୍ଲକର ଚିକିତ୍ସାସେବା ଏବେ ଆଣ୍ଠେଇଛି। ଏଥିରୁ ବାଦ୍‌ପଡ଼ିନି ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)। ବର୍ଷବର୍ଷ ଧରି ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଆନ୍ଦୋଳନ, ବିକ୍ଷୋଭ କରାଯାଉଛି। ହେଲେ ସମସ୍ୟାର ସମାଧାନ ହୋଇପାରୁନି। ଡାଇଲିସିସ୍‌, ସିଟିସ୍କାନ୍‌ ହେଉ ଅବା ପାଥୋଲ୍ୟାବ୍‌, ସବୁ ତୃତୀୟପକ୍ଷ ଘରୋଇ ସଂସ୍ଥା ଗୁଡ଼ିକ ଦ୍ବାରା ପରିଚାଳିତ ହେଉଛି। ଏମାନେ ସରକାରଙ୍କଠାରୁ ରୋଗୀପିଛା ଧାର୍ଯ୍ୟ ମୁତାବକ ଅର୍ଥ ପାଉଛନ୍ତି। ହେଲେ ରୋଗୀମାନଙ୍କୁ ଆବଶ୍ୟକ ଚିକିତ୍ସାସେବା ଯୋଗାଇ ପାରୁନାହାନ୍ତି। ସିଟି ସ୍କାନ୍‌ ‘ସନ୍ଦନ’ ଓ ଡାଇଲିସିସ୍‌ ‘ରାହି କେୟାର’ ସଂସ୍ଥାଦ୍ବାରା ପରିଚାଳିତ ହେଉଛି। ପ୍ରତିଟି ଡାଇଲିସିସ୍‌ ପାଇଁ ସରକାରଙ୍କଠୁ ରାହିକେୟାର ୧୦୩୭ ଟଙ୍କା ନେଉଛି। ଦୈନିକ ୧୮ରୁ ୨୨ ଜଣ, ଅର୍ଥାତ୍ ହାରାହାରି ୨୦ ରୋଗୀଙ୍କ ଡାଇଲିସିସ୍‌ କରାଯାଉଛି। ମାସକୁ ହାରାହାରି ୬ ଲକ୍ଷ ଟଙ୍କା ସରକାରଙ୍କଠୁ ନେଉଥିବା ଏହି ସଂସ୍ଥା ସେବା ଦେବାରେ କିନ୍ତୁ ପଛରେ ରହିଛି। ଆର୍‌ଜିଏଚ୍‌ରେ ଡାଇଲିସିସ୍‌ ସେବା ପାଇଁ ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ସ୍ବାସ୍ଥ୍ୟବିଭାଗ ସହ ଚୁକ୍ତି କରିଥିବା ଏହି ସଂସ୍ଥା ପୂର୍ବରୁ ଆର୍‌ଜିଏଚ୍‌ରେ ଜାଲ୍‌ ସାର୍ଟିଫିକେଟ୍‌ଧାରୀ ଜଣେ ନକଲି ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲା। ଧରାପଡ଼ିବା ପରେ ସମ୍ପୃ୍କ୍ତ ଡାକ୍ତର ଗିରଫ ହୋଇ ଜେଲଗଲେ। ଏହାପରେ ମଧ୍ୟ ଉକ୍ତ ସଂସ୍ଥାକୁ କଳା ତାଲିକାଭୁକ୍ତ କରିବା ବଦଳରେ ଅଯାଚିତ ଅନୁକମ୍ପା ଦେଖାଇ କାର୍ଯ୍ୟ ଜାରି ରଖିବାକୁ ସୁଯୋଗ ଦିଆଯାଇଛି। 
ଏହାପରେ ବି ରୋଗୀଙ୍କ ଡାଇଲିସିସ୍‌ରେ ଯାବତୀୟ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଆର୍‌ଜିଏଚ୍‌ ପକ୍ଷରୁ ମେସିନ୍‌ ସହ ସବୁ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ହେଲେ ରୋଗୀମାନେ ଅନେକ ସମୟରେ ଠିକ୍‌ଭାବେ ଡାଇଲିସିସ୍‌ ସେବା ପାଉନାହାନ୍ତି। ବିଜୁଳି ଚାଲିଗଲେ ପ୍ରାୟତଃ ଡାଇଲିସିସ୍‌ ବନ୍ଦ ରହୁଛି। ଠିକ୍‌ ଭାବେ କ୍ୟା‌ଟ୍‌ରିଜ୍‌ ବ୍ୟବହାର ହେଉନଥିବାରୁ ଅଧିକାଂଶ ରୋଗୀ ନିଜ ଖର୍ଚ୍ଚରେ କ୍ୟାଟ୍‌ରିଜ ଆଣିବାକୁ ବାଧ୍ୟ ହେଉଛନ୍ତି। ହେଲେ ସଂସ୍ଥା ରୋଗୀଙ୍କ କ୍ୟାଟ୍‌ରିଜକୁ ବ୍ୟବହାର କରି ମାସକୁ ମାସ ବିଲ୍‌ କରୁଥିବା ଅଭିଯୋଗ ହେଉଛି। ବ୍ୟବହାର ହେଉଥିବା କେମିକାଲ୍‌ର ମାନ ଠିକ୍‌ ଅଛି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉ ନାହିଁ। ନକଲି ଡାକ୍ତର ଗିରଫ ହେବା ପରେ ସଂସ୍ଥାପକ୍ଷରୁ ନିଯୁକ୍ତି ଦିଆଯାଇଥିବା ଅନ୍ୟ ଜଣେ ଡାକ୍ତରଙ୍କ ଚିକିତ୍ସା ସେବାକୁ ନେଇ ରୋଗୀମାନେ ଅନେକ ସମୟରେ ପ୍ରଶ୍ନ ଉଠାଉଛନ୍ତି। ମାସମାସ ଧରି ଏଭଳି ଡାଇଲିସିସ୍‌ ସେବା​ରେ ଏଭଳି ଅବ୍ୟବସ୍ଥା ପାଇଁ ସଂପୃକ୍ତ ସଂସ୍ଥା ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ରୋଗୀ ଓ ପରିଜନମାନେ ପ୍ରଶ୍ନ କରୁଛନ୍ତି।

Advertisment

ସିଟି ସ୍କାନ୍‌ରେ ବିଶେଷ ସମସ୍ୟା ନଥିବା ରୋଗୀମାନେ କହିଛନ୍ତି। ଡାଇଲିସିସ୍‌ ପରି ପାଥୋଲ୍ୟାବ୍‌ରେ ମଧ୍ୟ ସମାନ ସ୍ଥିତି ଉପୁଜିଛି। ଶୁକ୍ରବାର ସ୍ବାସ୍ଥ୍ୟସଚିବ ତୃତୀୟପକ୍ଷ ଘରୋଇ ସଂସ୍ଥା ପରିଚାଳିତ ଏସବୁ ବିଭାଗ ଯାଞ୍ଚ କରିଥିଲେ ହେଁ ​ସେମାନଙ୍କ ବିରୋଧରେ କୌଣସି ଟିପ୍ପଣୀ ନଦେଇ ନିରବ ରହିଛନ୍ତି। ଆର୍‌ଜିଏଚ୍‌ ନିର୍ଦ୍ଦେଶକ ଡାକ୍ତର ମନୋଜ ଉପାଧ୍ୟାୟ କହିଛନ୍ତି, ଏମିତି ହେବା କଥା ନୁହେଁ। ଯଦି ରୋଗୀମାନଙ୍କ ପ୍ରତି ଏଭଳି ଅବହେଳା କରାଯାଉଛି, ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ସ୍ବାସ୍ଥ୍ୟବିଭାଗର ଦୃଷ୍ଟି ଆକର୍ଷଣ କରାଯିବ।