ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବଡ଼ ଟେମେରା ପଞ୍ଚାୟତ ଅନ୍ତର୍ଗତ ଚେପଟିଆମ୍ବା ଗ୍ରାମରେ ଝାଡ଼ାବାନ୍ତି ଥମିବାର ନାଁ ନେଉନି। ଗତ ୧୮ ଦିନ ମଧ୍ୟରେ ଦୁଇ ଜଣ ମହିଳା ବିମଳା ମାଝୀ ଏବଂ ରାମା ଜାନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଭୋର ୩ ଘଣ୍ଟା ସମୟରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଯୁବକ ମଧୁ ଜାନୀ(୨୨)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଫଳରେ ଚେପଟିଆମ୍ବା ଗ୍ରାମରେ ଝାଡାବାନ୍ତିରେ ମୃତ୍ୟୁ ସଂଖ୍ୟା ତିନିକୁ ବୃଦ୍ଧି ପାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସୁଦ୍ଧା ୨୯କୁ ବୃଦ୍ଧି ପାଇଛି।

Advertisment

ଗତକାଲି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହେବାରୁ ପଲ୍ଲବୀ ଜାନୀ(୫)ଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଆଜି ଭୋର ସକାଳୁ ଗୁରୁତର ଅବସ୍ଥାରେ ଅନ୍ୟ ଜଣେ ମହିଳା ମୁଗାଇ ଜାନୀ(୬୦)ଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେହିପରି ଆଜି ସକାଳୁ ଗ୍ରାମର ଶୁକମତୀ ଜାନୀ(୪୫), ନୀଳ ଜାନୀ(୨୪) ଏବଂ ରାମଧର ଜାନୀ(୩୦) ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ପରେ ଶୁକମତୀ ଏବଂ ନୀଳ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଯୋଗୁଁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସେହିପରି ଅନେକ ଗ୍ରାମରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଝରିଗାଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୨୪ ଘଣ୍ଟା ସ୍ୱାସ୍ଥ୍ୟ ସେବା ଚେପଟିଆମ୍ବରେ ଯୋଗାଇ ଦିଆଯାଇଛି ବୋଲି କହୁଥିବା ବେଳେ ଗତକାଲି ରାତ୍ର ୪ଘଣ୍ଟା ସମୟ ପରେ ଡାକ୍ତର ଟିମ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

କେବଳ ଆମ୍ବୁଲାନ୍ସ ଏବଂ ଡ୍ରାଇଭର ଥିବା ବେଳେ ଗୁରୁତର ଅବସ୍ଥାରେ ମୁଗାଇ ଜାନୀଙ୍କୁ ଝରିଗାଁ ଆଣିଥିବା ଅଭିଯୋଗ କରିଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ବଡ଼ି ଚାଲିଥିବା ବେଳେ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଚେପଟିଆମ୍ବା ଗ୍ରାମରେ ଆୟୁଷ ଡାକ୍ତରମାନଙ୍କୁ ନିଯୁକ୍ତି କରାଯାଇଛି। 

ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏମବିବିଏସ ଡାକ୍ତର ଥାଇ ମଧ୍ୟ ପଠା ଯାଉନଥିବା ଅଭିଯୋଗ ହୋଇଛି। ତେଣୁ ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତ୍ୱ ଦେବା ପାଇଁ ଦାବି ହୋଇଛି। ଖବର ପାଇ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏବଂ ପୂର୍ବତନ ସାଂସଦ ରମେଶ ମାଝୀ ଚେପଟିଆମ୍ବା ଗ୍ରାମ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରି ଫେରିଛନ୍ତି। ସାଂସଦ ବଳଭଦ୍ର ମାଝୀ ଗ୍ରାମରେ ପ୍ରାୟ ୨୭ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିବା କହିବା ସହ ସେଥି ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି। ସେହିପରି ସ୍ୱାସ୍ଥ୍ୟ ବିଭାଗ ୨୪ ଘଣ୍ଟା ସଜାଗ ରହି ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ବେଳେ ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି ହେବା ଦରକାର ବୋଲି କହିଛନ୍ତି।

ପୂର୍ବତନ ସାଂସଦ ରମେଶ ମାଝୀ ଗସ୍ତ କରି ପ୍ରଶାସନ ଚେପଟିଆମ୍ବା ଗ୍ରାମକୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ପଠାଇ ଆକ୍ରାନ୍ତ ମାନଙ୍କ ଚିକିତ୍ସା କରିବା ପାଇଁ ଦାବି କରିବା ସହ ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ସେହିପରି ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ମହିଳା ସ୍ୱାସ୍ଥ୍ୟ କର୍ମୀ ମାନକୁ ନିଯୁକ୍ତି କରିବା ପାଇଁ ଦାବି କରିଥିଲେ। ସେହିପରି ମୃତକଙ୍କ ପରିବାର ଲୋକଙ୍କୁ ଭେଟି ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଥିବା ନେଇ ସୂଚନା ମିଳିଛି।