ଭବାନୀପାଟଣା: ଦୁଃଖ ଯନ୍ତ୍ରଣା ଦୁର୍ବିପାକ ଦୁର୍ଘଟଣା ମଣିଷର ଜୀବନରେ କେତେ ବେଳେ କେଉଁ ମୋଡ଼ରେ ନେଇ ଛିଡା କରାଇ ଦିଏ ତାହାର କୌଣସି ନିଶ୍ଚିତତା ନ ଥାଏ। ସ୍ୱାଭାବିକ ଭାବେ ଜୀବନ ଜିଉଁଥିବା ମଣିଷ କେତେବେଳେ କେଉଁ ଦୁର୍ଘଟଣାର ଶିକାର ହୋଇ ପରିବାରର ବୋଝ ଉଠାଉ ଉଠାଉ ବୋଝ ହୋଇ ପଡନ୍ତି ପରିବାର ପାଇଁ। ଏଭଳି ଏକ ଅଭାବନୀୟ ଦୃଶ୍ୟ ନଜରକୁ ଆସିଛି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ ଦୁଡ଼କାରଂଜା ପଂଚାୟତର ଶିକୁଲି ଗ୍ରାମରେ।

Advertisment

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଦୁଡ଼କାରଞ୍ଜା ପଂଚାୟତର ଶିକୁଲି ଗ୍ରାମର କରୁଣା ମାଝୀ(୪୫) ୨୦୦୮ ମସିହା ମାର୍ଚ୍ଚ ମାସର ଏକ ସନ୍ଧ୍ୟାରେ ଲଣ୍ଠନ ମରାମତି କରୁଥିଲେ। ସେହି ସମୟରେ ଅସାବଧାନତା ଯୋଗୁଁ ଲଣ୍ଠନର ସଳିତାରେ ନିଆଁ ଲାଗି ବିସ୍ଫୋରଣ ହୋଇ ଯାଇଥିଲା। ପାଖରେ ବସି ଥିବା ତାଙ୍କ ସ୍ତ୍ରୀ ରେବତୀ ମାଝୀଙ୍କ ଦେହରେ ପ୍ରଥମେ ନିଆଁ ଲାଗି ଥିଲା। କରୁଣା ନିଜ ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ ନିଜେ ଜଳି ଯାଇଥିଲେ। ପରିବାର ସଦସ୍ୟଙ୍କ ଦ୍ୱାରା ଉଦ୍ଧାର କରାଯିବା ପର୍ଯ୍ୟନ୍ତ ଦୁଇ ସ୍ୱାମୀ ସ୍ତ୍ରୀ ନିଆଁରେ ପୋଡି ଯାଇଥିବା ବେଳେ ସ୍ତ୍ରୀ ରେବତୀ ମାଝୀ ଅଳ୍ପ ଗୁରୁତ୍ରର ଅବସ୍ଥାରେ ଉଦ୍ଧାର ହୋଇଥିଲେ। କରୁଣା ମାଝୀ ଦୁଇ ଗୋଡ଼ଠୁ ଅଣ୍ଟା ପର୍ଯ୍ୟନ୍ତ ଅତି ଗୁରୁତର ଭାବେ ପୋଡି ଯାଇଥିଲେ।

ଚିକିତ୍ସା ପରେ ରେବତୀ ମାଝୀ ସ୍ୱାଭାବିକ ସ୍ଥିତିକୁ ଆସି ଯାଇଛନ୍ତି। କିନ୍ତୁ କରୁଣା ମାଝୀ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟଠୁ ଆରମ୍ଭ କରି ବିଷମ କଟକ ମିଶନାରୀ ହସ୍ପିଟାଲ ପର୍ଯ୍ୟନ୍ତ ଚିକିତ୍ସା ଚାଲିିିଛି। ଧାର କରଜ କରି ସବୁ ଆର୍ଥିକ ସର୍ବସ୍ୱାନ୍ତ ହୋଇଛି। ଗରିବ ଯନ୍ତ୍ରଣାରେ ଛଟପଟ ହେଉ ଥିବା ପରିବାର ବର୍ଗ ଡାକ୍ତରଙ୍କ ପରାମର୍ଶ ପରେ ଅଧିକ ଚିକିତ୍ସା ପାଇଁ ବୁର୍ଲା କଟକ ଭଳି ବଡ ଡାକ୍ତରଖାନାରେ ଭର୍ତ୍ତି କରାଇ ପାରି ନଥିଲେ। ଉପାର୍ଜନ କ୍ଷମ ମଣିଷ ଯେତେବେଳେ ଯନ୍ତ୍ରଣା ରେ ଶଯ୍ୟାଶାୟୀ କୁନି କୁନି କଅଁଳ ବୟସର ତିନି ଛୁଆଙ୍କୁ ପରିବାର ବୋଝ ସହିବାକୁ ପଡିଲା।

ଏଭଳି ପରିସ୍ଥିତିରେ ଅଧିକ ଚିକିତ୍ସା ଅଭାବ ଯୋଗୁଁ ନିଆଁରେ ପଡିଥିବା କରୁଣା ମାଝୀଙ୍କ ଦୁଇ ଗୋଡ଼ ଜଙ୍ଘ ସହିତ ଲଟକି ଯାଇଛି। ଫଳରେ ଦଶ ବର୍ଷରୁ ଅଧିକ ସମୟ ହେବ କରୁଣା ଦୁଇ ହାତରେ କାଠ ପଟା ଧରି ଘୁରୁଣ୍ଡି ଘୁରୁଣ୍ଡି ଚଲାବୁଲା କରୁଛନ୍ତି। ତିନି ପୁଅରୁ ବଡ ପୁଅ ରାଜୁ ମାଝୀ ରାଜକୋଟରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ବେଳେ ଦୁଇ ପୁଅ ଆନନ୍ଦ ଓ ପରମା ଗାଁ ରେ ଏଠି ସେଠି ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିବା ଜଣା ପଡ଼ିଛି। ବର୍ତ୍ତମାନ ଭିନ୍ନକ୍ଷମ ଜୀବନ ଜିଉଁ ଥିବା କରୁଣାଙ୍କୁ ସରକାରୀ ସହାୟତାରେ ଆବାସ ଗୃହ ଟିଏ ଓ ଭିନ୍ନକ୍ଷମ ଭତ୍ତା ମିଳୁଛି। ସୁବିଧାରେ ଚଳ ପ୍ରଚଳ ପାଇଁ ହୁଇଲ ଚ୍ୟାର ଟିଏ ଯୋଗାଇ ଦେବାକୁ ଅନେକ ଦିନରୁ ନିବେଦନ କରି ଆସୁଥିଲେ ସୁଦ୍ଧା ସ୍ଥାନୀୟ ପ୍ରଶାସନ କରୁଣାଙ୍କ ଦୁଃଖ ବୁଝିବାକୁ ସମୟ ନାହିଁ। ତେବେ କେବେ ଚେତିବ ପ୍ରଶାସନ ଗରିବ ନିଶହାୟ ଓଏଭଳି ବିକଳାଙ୍ଗଙ୍କ ପାଇଁ ତାହା ଦେଖିବାକୁ ବାକି ରହିଲା।