ଏବେ ଦିଲ୍ଲୀପ ଯିବେ କୁଆଡେ? ବିଜେଡିକୁ ଫେରିବାରେ ବିଳମ୍ବ ଓ ବିଜୟଙ୍କ ବିଜେପିକୁ ପ୍ରତ୍ୟାବର୍ତ୍ତନ ପରେ ଜୋର ଧରିଲା ଏହି ପ୍ରଶ୍ନ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ କେଉଁ ଦଳକୁ ଯିବେ?ଏ ପ୍ରଶ୍ନ ଭାରତୀୟ ଜନତା ପାର୍ଟିକୁ ଅସନ୍ତୁଷ୍ଟ ନେତା ବିଜୟ ମହାପାତ୍ର ଫେରିବା ପରେ ଜୋର୍‌ ଧରିଛି। ଶ୍ରୀ ରାୟ ଶ୍ରୀ ମହାପାତ୍ରଙ୍କର ଜଣେ ଘନିଷ୍ଠ ତଥା ଦୀର୍ଘ ଦିନର ବନ୍ଧୁ। ଗତ ନଭମ୍ବର ୩୦ ତାରିଖରେ ଉଭୟେ ଭାରତୀୟ ଜନତା ପାର୍ଟି ରୁ ଇସ୍ତଫା ଦେଇଥିଲେ। ତା’ପରେ ସେ ଦୁହେଁ କେଉଁ ଦଳକୁ ଯିବେ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା। ଶ୍ରୀ ରାୟ ବିଜୁ ଜନତା ଦଳ ଫେରି ଯାଇପାରନ୍ତି ବୋଲି ବିଭିନ୍ନ ମହଲାରେ ଚର୍ଚ୍ଚା ହେଉଥିଲା।

ହଠାତ୍‌ ଗତ ୧୬ ତାରିଖ ସଂଧ୍ୟାରେ ଶ୍ରୀ ରାୟ ଦୀର୍ଘ ୧୭ ବର୍ଷ ପରେ ନବୀନ ନିବାସରେ ପହଞ୍ଚିଥିଲେ ଏବଂ ନବୀନଙ୍କ ସହ ନିଭୃତ ଆଲୋଚନା କରି ଫେରି ଯାଇଥିଲେ। ତା’ପରେ ସେ ବିଜୁ ଜନତା ଦଳକୁ ଯେ କୌଣସି ମୁହୂର୍ତ୍ତରେ ଫେରି ଆସିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଲା।

ଅନ୍ୟ ପକ୍ଷରେ ବିଜୁ ଜନତା ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ପ୍ରକାଶ ଯେ, ଶ୍ରୀ ରାୟ ତାଙ୍କର ବଂଧୁ ଶ୍ରୀ ମହାପାତ୍ରଙ୍କ ସହିତ ବିଜେଡ଼ିକୁ ଫେରି ଆସିବା ପାଇଁ ଚାହୁଁଥିଲେ। ‘‘ତେବେ ସେଥିରେ ନବୀନ ରାଜି ହୋଇ ନ ଥିଲେ। ମୂଲ ଚାଲ ନ ଛିଣ୍ଡିବାରୁ ଶ୍ରୀ ରାୟ କୁଆଡ଼େ ବିଜୁ ଜନତା ଦଳକୁ ବାହୁଡ଼ି ନାହାନ୍ତି ’’ ବୋଲି ଜଣେ ବରିଷ୍ଠ ଦଳୀୟ ନେତା ନିଜର ନାମ ଗୋପନ ରଖିବାକୁ ଅନୁରୋଧ କରି କହିଛନ୍ତି। ‘‘ଶ୍ରୀ ରାୟଙ୍କର ପ୍ରତ୍ୟାବର୍ତ୍ତନ ସମ୍ଭାବନା କ୍ଷୀଣ ହେବାରେ ଲାଗିଛି। କାରଣ ତାଙ୍କ ପାଇଁ ‘ସ୍ପେସ୍‌’କମିଯାଉଛି। ଅର୍ଥାତ୍‌ ସେ ଯେଉଁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାର ସୁଯୋଗ ଓ ସମ୍ଭାବନା ଥିଲା,ସେସବୁ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇ ଚାଲିଛି। ’’ ବୋଲି ଏହି ନେତା ପ୍ରକାଶ କରିଛନ୍ତି।

ଏହି ପ୍ରରିପ୍ରେକ୍ଷୀରେ ଆଗାମୀ ଦିନରେ ଦିଲ୍ଲୀପ କେଉଁ ଦଳକୁ ଯିବେ ନା ଚୁପ୍‌ ରହିବେ ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଅସମାହିତ ହୋଇ ରହିଛି।

ସମ୍ବନ୍ଧିତ ଖବର