ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ: ଡିସେମ୍ବର ୪ରୁ ଧାନ କ୍ରୟ ନିଷ୍ପତ୍ତି

ଦେବଗଡ଼: ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ମଙ୍ଗଳବାର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରବିନାରାୟଣ ସି, ସାଂସଦ ପ୍ରତିନିଧି ଗୁଣାକର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ୨୦୨୦-୨୧ ଖରିଫ୍ ବର୍ଷ ନିମନ୍ତେ ଧାନକ୍ରୟ ସମ୍ବନ୍ଧୀୟ ନୀତି ନିର୍ଦ୍ଧାରଣ ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା।

ବୈଠକର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଡିସେମ୍ବର ମାସ ୪ ତାରିଖଠାରୁ ଜିଲ୍ଲାରେ ଧାନକ୍ରୟ ନିମନ୍ତେ ମଣ୍ଡି ଖୋଲାଯିବା ପାଇଁ ସ୍ଥିର କରାଯାଇଛି। ଆଲୋଚନାରେ ଅଂଶଗ୍ରହଣ କରି ବିଧାୟକ ଶ୍ରୀ ପାଣିଗ୍ରାହୀ ମଣ୍ଡିମାନଙ୍କରେ ଚାଷୀମାନେ ଯେଭଳି ସୁବିଧାରେ ତାଙ୍କର ଧାନ ବିକ୍ରୟ କରିପାରିବେ, ସେଥିପାଇଁ ଆବଶ୍ୟକୀୟ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ କହିବା ସଙ୍ଗେ ସଙ୍ଗେ ମଣ୍ଡିମାନଙ୍କରେ ଦଲାଲଙ୍କ ପ୍ରଭାବ ରୋକିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହା ବ୍ୟତୀତ ସେ ରିଆମାଳ ଏବଂ ବାରକୋଟ ବ୍ଲକରେ ଧାନ ରଖିବା ନିମନ୍ତେ ଗୋଦାମଗୃହ ସ୍ଥାପନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କହିଥିଲେ।

ଜିଲ୍ଲାପାଳ ଶ୍ରୀ ସାମଲ ଚାଷୀମାନଙ୍କଠାରୁ ସୁଚାରୁରୂପରେ ଧାନ ସଂଗ୍ରହ ନିମନ୍ତେ ମଣ୍ଡିମାନଙ୍କରେ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ଏଆରସିଏସ ଏବଂ ନିୟନ୍ତ୍ରିତ ବଜାର କମିଟିର ସଂପାଦକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମଣ୍ଡିମାନଙ୍କରେ ଦଲାଲଙ୍କ ପ୍ରଭାବ ରୋକିବା ନିମନ୍ତେ ପ୍ରଶାସନ ପକ୍ଷରୁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିବା ସହିତ ଦଲାଲଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଏ ଦିଗରେ କୃଷକ ସଂଗଠନମାନେ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ମଣ୍ଡିମାନଙ୍କରେ ଧାନ କ୍ରୟ ସମ୍ବନ୍ଧୀୟ ସମସ୍ତ ପ୍ରକାର ସୂଚନା ଏବଂ ଚାଷୀମାନେ ଯେଭଳି ସୁରୁଖୁରରେ ସେମାନଙ୍କର ଧାନ ବିକ୍ରୟ କରିପାରିବେ, ସେଥିପାଇଁ ପ୍ରଚାର ପ୍ରସାର ବ୍ୟବସ୍ଥା ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କରାଯିବ।

ମଣ୍ଡିମାନଙ୍କରେ ଧାନ କ୍ରୟ, ବିକ୍ରୟ ସମୟରେ କୋଭିଡ-୧୯ ସମ୍ବନ୍ଧୀୟ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଆରସିଏସ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଉପସ୍ଥିତ ଚାଷୀ ପ୍ରତିନିଧି ପ୍ରମୋଦ ଝାଙ୍କର, ଅରୁଣ ସାହୁ, ତରଣୀସେନ ପ୍ରଧାନ, ଦାଶରଥି କିଷାନ ଧାନ ବିକ୍ରୟ ସମୟରେ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବୈଠକ ପ୍ରାରମ୍ଭରେ ଜିଲ୍ଲା ଯୋଗାଣ ଅଧିକାରୀ ଗଣେଶ୍ବର ଚୌଧୁରୀ ସମସ୍ତଙ୍କୁ ସ୍ୱାଗତ ଜଣାଇବା ସଂଗେ ସଂଗେ ଆଲୋଚ୍ୟ ବିଷୟ ଉପସ୍ଥାପନ କରିଥିଲେ ଏବଂ ଶେଷରେ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଏଆରସିଏସ୍‌, ଲିଡ୍‌ବ୍ୟାଙ୍କ ମ୍ୟାନେଜର, କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ, ଏଫ୍‌ସିଆଇର ଆଞ୍ଚଳିକ ପରିଚାଳକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ନିୟନ୍ତ୍ରିତ ବଜାର କମିଟିର ସଂପାଦକଙ୍କ ସମେତ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହକାରୀ ଯୋଗାଣ ଅଧିକାରୀ, ଯୋଗାଣ ନିରୀକ୍ଷକ ଏବଂ ମିଲରମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର