କୁକୁର ମନୁଷ୍ୟର ଖୁବ୍‌ ବିଶ୍ବସ୍ତ ସହଚର। ସେ ରହୁଥିବା ପରିବାରର ସଦସ୍ୟମାନଙ୍କୁ ସୁରକ୍ଷା ତ ଦିଏ ଏବଂ ପ୍ରୟୋଜନ ହେଲେ ବୁଦ୍ଧି ଖଟାଇ ସାହାଯ୍ୟ ବି କରେ। ତେଣୁକରି ଦୁନିଆର ଏକତୃତୀୟାଂଶ ପରିବାର ଘରେ କୁକୁର ପୋଷନ୍ତି। ବିଶେଷଜ୍ଞମାନେ କହନ୍ତି, ପ୍ରାୟ ୨୦ ହଜାର ବର୍ଷ ତଳେ ମନୁଷ୍ୟ ପ୍ରଥ‌ମେ ଘରେ କୁକୁର ପାଳିବା ଆରମ୍ଭ କରିଥିଲା। ବିଲୁପ୍ତ ହୋଇଯାଇଥିବା ଏକ ପ୍ରକାର ଗଧିଆ ପ୍ରଜାତିରୁ କୁକୁରର ଉତ୍ପତ୍ତି। କାଳକ୍ରମେ କୁକୁରର ଖପୁରି, ଦାନ୍ତ ଓ ଗୋଡ଼ ଛୋଟ ହୋଇଯିବାରୁ ସେ ଅଧିକ କର୍ତ୍ତବ୍ୟନିଷ୍ଠ ଓ ଆଜ୍ଞାଧୀନ ହୋଇଗଲା।

Advertisment

ପୋଷା କୁକୁର ଥିବା ବ୍ୟକ୍ତିଙ୍କ ଆକର୍ଷଣ ଅଧିକ  
କୁକୁରକୁ ନେଇ ଆଉ ଏକ କୌତୁହଳ ସୃଷ୍ଟିକାରୀ ତଥ୍ୟ ହେଉଛି, ଯେଉଁ ପୁରୁଷମାନେ ପୋଷା କୁକୁର ରଖିଥାଆନ୍ତି ସେମାନଙ୍କ ପ୍ରତି ମହିଳାମାନେ ଅଧିକ ଆକୃଷ୍ଟ ହୋଇଥାଆନ୍ତି। ଏକ ଆନ୍ତର୍ଜାତିକ ଅନୁଧ୍ୟାନରୁ ଏହି ବ୍ୟାବହାରିକ ତଥ୍ୟ ସାମ୍ନାକୁ ଆସିଛି। ଏହାର କାରଣ ଦର୍ଶାଇ ‌‌େଯୗନ ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ଦୀପକ ଜୁମାନି କହନ୍ତି, ଜୀବନସାଥୀ ଖୋଜୁଥିବା ଯୁବତୀମାନେ ସାଧାରଣ ଭାବେ ଯତ୍ନବାନ୍‌, ଦୟାଳୁ ଓ ଦାୟିତ୍ବବାନ୍‌ ପୁରୁଷଙ୍କୁ ପସନ୍ଦ କରିଥାଆନ୍ତି। ଯେତେବେଳେ ସେମାନେ ଦେଖନ୍ତି ଜଣେ ନିଜର ପୋଷା କୁକୁର ପ୍ରତି ଖୁବ୍‌ ଯତ୍ନବାନ୍ ଓ ସ୍ନେହଶୀଳ ତ ସେମାନେ ଅବଚେତନ ଅବସ୍ଥାରେ ତାଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ନ୍ତି। 

ବିଜ୍ଞାନ କହେ,  କୁକୁର ଦୁଇ ବର୍ଷର ଶିଶୁ ପରି ସ୍ମାର୍ଟ ବା ତତ୍ପର। କୁକୁରକୁ ତାଲିମ ଦେବା ମଧ୍ୟ ଅତି ସହଜ। ଅନେକ ମାଲିକ କୁକୁରକୁ ଆଦେଶ ପାଳନ ଶିକ୍ଷା ଦେବା ସହିତ ବିଭିନ୍ନ କୌଶଳ ଶିଖାନ୍ତି। କୁକୁର ୧୦୦ରୁ ଅଧିକ ଶବ୍ଦର ଅର୍ଥ ଓ ଇସାରା ବୁଝିପାରେ। ତା’ର ଆଘ୍ରାଣ ଶକ୍ତି ମନୁଷ୍ୟ ଠାରୁ ୪୦ ଗୁଣ ଅଧିକ। ସେଥିପାଇଁ ସେ କୌଣସି ସ୍ଥାନକୁ ଆସି ଚାଲିଯାଇଥିବା ଲୋକବାକ ଏବଂ ଜୀବଜନ୍ତୁଙ୍କର ଗନ୍ଧ ବାରିପାରେ। ଏହି ଗୁଣ ଯୋଗୁଁ କୁକୁରକୁ ପୁଲିସ ଅନୁସନ୍ଧାନରେ ବ୍ୟବହାର କରାଯାଏ। ଭୁକିବା ବ୍ୟତିରେକେ ଭାବ ବିନିମୟ ଲାଗି କୁକୁର ତା’ର କାନ, ଆଖିପତା, କାନ୍ଧ ଓ ଲାଞ୍ଜ ଆଦିରେ ଇସାରା ଦେଇଥାଏ। କୁକୁରର କେବଳ ତଳିପା ଝାଳାଏ। ତା’ର ଝାଳ ମନୁଷ୍ୟ ଝାଳଠାରୁ ଅଧିକ ତୈଳାକ୍ତ। ସେଥିରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ମଧ୍ୟ ଥାଏ। ମନୁଷ୍ୟ ଭଳି କୁକୁର ବି ବାଉଁଆ ଅଥବା ଡାଉଁଆ ହୋଇଥାଏ। ସେ କଥା ତା’ ଚାଲିରୁ ଜଣାପଡ଼ିଯାଏ। ଚାଲିବା ବେଳେ କୁକୁର ପ୍ରଥମେ ପକାଇଥିବା ପାହୁଣ୍ଡରୁ ତାହାର ସୂଚନା ମିଳିଥାଏ।