ନୂଆଦିଲ୍ଲୀ: ଜଣେ ମହିଳା ବାରବୁଲା କୁକୁର ପ୍ରତି ଦୟାଳୁ ସ୍ୱଭାବ ଦେଖାଉଥିବାର ଏକ ଭିଡିଓ ଗତ ବର୍ଷ ଭାଇରାଲ ହୋଇଥିଲା। ଏବେ ପୁଣିଥରେ ସୋସିଆଲ ମିଡିଆରେ ସେହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ବେଶ ପସନ୍ଦ ବି ଆସିଛି। ତୁର୍କୀରେ ପ୍ରସ୍ତୁତ ହୋଇଥିବା ଏହି ଭିଡିଓରେ ଜଣେ ମହିଳା ବର୍ଷାରେ ଥରି ଉଠୁଥିବା ଏକ କୁକୁରକୁ ନିଜର ସ୍କାର୍ଫ ଘୋଡାଇ ଦେଉଥିବା ଦେଖିବାକୁ ମିଳୁଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, କୁକୁର ପ୍ରତି ଦୟାଳୁ ସ୍ୱଭାବ ଦେଖାଉଥିବା ମହିଳାଙ୍କ ନାମ ଡୁଗୁ ଏଲମା ବୋଲି ଜଣାପଡିଛି। ଭିଡିଓରେ ସେ ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ଖାଲି ସ୍ଥାନରେ ଛତା ଧରି ଛିଡ଼ା ହୋଇଛନ୍ତି। ଏହି ସମୟରେ ସେ ତାଙ୍କ ପାଖରେ ଏକ କୁକୁର ଶୋଇଥିବା ଦେଖିବାକୁ ପାଇଥିଲେ। ଆଉ ଏହି କୁକୁରଟି ବର୍ଷା ପାଣିରେ ଭିଜି ଯାଇ ଥରିବାକୁ ଲାଗିଥିଲା। କୁକୁରର ଏଭଳି ଅବସ୍ଥା ଦେଖି ମହିଳା ନିଜ ବେକରେ ଗୁଡ଼ାଇ ହୋଇଥିବା ସ୍କାର୍ଫକୁ ଖୋଲିଥିଲେ। ଏବଂ ସେହି ସ୍କାର୍ଫକୁ ସେ ଥରି ଉଠୁଥିବା କୁକୁର ଉପରେ ଘୋଡ଼ାଇ ଦେଉଥିବା ଦେଖିବାକୁ ମିଳୁଛି।
ବୋଧହୁଏ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜରେ ଏହି ଘଟଣାର ଦୃଶ୍ୟ କୈଦ ହୋଇଥିଲା ଓ ପରେ ତାହା ଭାଇରାଲ ହୋଇଯାଇଥିଲା। ଗତ ବର୍ଷ ଜାନୁଆରିରେ ମହିଳାଙ୍କ ଏଭଳି କାମର ଭିଡିଓ ପୋଷ୍ଟ ହେବା ପରେ ବିଭିନ୍ନ ଆଡୁ ମହିଳାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଥିଲା।
God does not look at your possessions,
but he looks at your heart & deeds 🙏🙏 pic.twitter.com/PQqQ5x05RV— Susanta Nanda IFS (@susantananda3) August 24, 2020
ଏହି ଭିଡିଓ ଅଗଷ୍ଟ ୨୪ରେ ଭାରତୀୟ ବନ ସେବା ଅଧିକାରୀ ସୁଶାନ୍ତ ନନ୍ଦ ଟୁଇଟରରେ ସେୟାର କରି ଲେଖିଥିଲେ, ଭଗବାନ ଆପଣଙ୍କ ସମ୍ପତ୍ତିକୁ ଦେଖି ନଥାଆନ୍ତି। ସେ କେବଳ ଆପଣଙ୍କ ହୃଦୟ ଓ କାମକୁ ଦେଖିଥାଆନ୍ତି।
ଏହି ଭିଡିଓକୁ ଏ ପର୍ଯ୍ୟନ୍ତ ୧୦ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଲୋକମାନେ ଉକ୍ତ ମହିଳାଙ୍କୁ ବହୁତ ପ୍ରଶଂସା କରିବା ସହିତ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ମାନବିକତା ଏବେ ବି ଜୀବିତ ଅଛି’।