ମୁମ୍ବାଇ : ରାୟପୁର: ଦେଶରେ ଏବେ ନିର୍ବାଚନ ଚାଲିଛି । ବିଭିନ୍ନ ଦଳ ପ୍ରଚାରରେ ମାତିଛନ୍ତି । ପ୍ରଚାର ପାଇଁ ବିଭିନ୍ନ ପ୍ରକାରର ଅଭିନବ କୌଶଳ ଅବଲମ୍ବନ କରୁଛନ୍ତି । ଆଜି ମହାରାଷ୍ଟ୍ରର ନନ୍ଦରବାର ଟାଉନରେ ଭୋଟ ଗ୍ରହଣ ଚାଲିଥିବାବେଳେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା । ଏକ କୁକୁର ଶରୀରରେ ବିଜେପିକୁ ଭୋଟ ଦେବାକୁ ନିବେଦନ କରି ଏକ ଲେଖା ମରାଯାଇଥିଲା । ତେବେ ଅନ୍ୟ ରାଜନୈତିକ ଦଳଙ୍କ ଅଭିଯୋଗ କ୍ରମେ ପୁଲିସ ଉକ୍ତ କୁକୁରକୁ ଧରି ମ୍ୟୁନିସିପାଲିଟି ହାତରେ ଦେଇଛି । କୁକୁରର ମାଲିକକୁ ମଧ୍ୟ ପଚରାଉଚୁରା କରାଯାଉଛି ।

Advertisment

କିଛିଦିନ ତଳେ ଛତିଶଗଡ଼ରେ କଂଗ୍ରେସ ବିରୋଧରେ ମଧ୍ୟ ସମାନ ଏକ ଅଭିଯୋଗ ଆସିଥିଲା । ଛତିଶଗଡ଼ର କଓ୍ଵାର୍ଧା ଜିଲ୍ଲାରେ ଏକ ମଇଁଷିକୁ ବ୍ୟବହାର କରି କଂଗ୍ରେସ ପକ୍ଷରୁ ଭୋଟ ପ୍ରଚାର କରାଯାଉଥିଲା । ମଇଁଷି ପିଠିରେ କଂଗ୍ରେସକୁ ଭୋଟ ଦେବା ପାଇଁ ନିବେଦନ କରାଯାଇଛି । ହିନ୍ଦୀଭାଷାରେ ଲେଖାଥିବା ସ୍ଲୋଗାନର ଓଡ଼ିଆ ଅନୁବାଦ ଏହିପରି ହେବ … “ଆମେ ନିର୍ବାକ ପଶୁମାନଙ୍କ କଥା ଶୁଣ, ଏଥର କଂଗ୍ରେସକୁ ଭୋଟ ଦେଇ ଶାସନକୁ ଆଣ” । ଦେଶର ନିର୍ବାଚନ ନିୟମ ଅନୁସାରେ ଭୋଟ ପ୍ରଚାର ପାଇଁ କୌଣସି ପଶୁପକ୍ଷୀଙ୍କ ବ୍ୟବହାର କରିହେବ ନାହିଁ ।