କୁମ୍ଭମେଳା : ଆକର୍ଷଣର କେନ୍ଦ୍ରରେ ନାଗାବାବାଙ୍କ ସହ ଆସିଥିବା କୁକୁର , କେଉଁ କୁକୁର ନାଁରେ ଆଧାର କାର୍ଡ ରହିଛି ତ କେଉଁ କୁକୁର ଗଙ୍ଗା ସ୍ନାନ କରୁଛି

କୁମ୍ଭନଗରୀ (ପ୍ରୟାଗରାଜ) : ପବିତ୍ର ତୀର୍ଥ କ୍ଷେତ୍ର ତ୍ରିବେଣୀ ସଂଗମ ବା ପ୍ରୟାଗରାଜଠାରେ ଏବେ ଚାଲିଛି ହିନ୍ଦୁମାନଙ୍କର ମହାସମ୍ମିଳନୀ କୁମ୍ଭ ମେଳା । ଦେଶବିଦେଶରୁ ଲକ୍ଷ ଲକ୍ଷ ସାଧୁସନ୍ୟାସୀ, ଭକ୍ତ ଓ ପର୍ଯ୍ୟଟକମାନେ ଏଠାରେ ଭୀଡ ଜମାଇଛନ୍ତି । ବିବିଧତା ଭରା ସନାତନ ଧର୍ମର ଅନେକ ଅଦ୍ଭୁତ କଥା ଏଠାରେ ଦେଖିବାକୁ ମିଳୁଛି । ମେଳାକୁ ଆସିଥିବା କେତେକ ସାଧୁ ନିଜ ନିଜର ପୋଷା କୁକୁରମାନଙ୍କୁ ନେଇଆସିଛନ୍ତି । ଏହି କୁକୁରମାନେ ସବୁବେଳେ ବାବାମାନଙ୍କ ପାଖରେ ରହୁଛନ୍ତି । ଏପରିକି ଶାହୀ ସ୍ନାନ ବେଳେ ବୁଡ଼ ମଧ୍ୟ ପକାଉଛନ୍ତି । ହୋମଯଜ୍ଞବେଳେ ସେଠାରେ ଉପସ୍ଥିତ ରହୁଛନ୍ତି ।

ପଂଜାବରୁ ଆସିଥିବା ଜୁନା ଆଖଡାର ଓମପୁରୀ ଓ ଗୁଜୁରାଟରୁ ଆସିଥିବା ରାମରାଜୀପୁରୀ ମଧ୍ୟ ନିଜର କୁକୁରକୁ ନେଇ ଆସିଛନ୍ତି । ହିନ୍ଦୁ ପରମ୍ପରାରେ ଭୈରବ ଉପାସକ (ଶିବଙ୍କର ଏକ ରୂପ) ଶ୍ୱାନ (କୁକୁର) ପାଳିବାର ପରମ୍ପରା ରହିଛି । ଭୈରବ ଉପାସକ ଚୈତନ୍ୟପୁରୀ, ତିରୁପତି ସ୍ୱାମୀ ଓ ଅର୍ଜୁନ ପୁରୀ ନିଜ ସହିତ କୁକୁର ରଖିଛନ୍ତି । ଅର୍ଜୁନ ପୁରୀଙ୍କ କୁକୁର ନାଁରେ ଏକ ବ୍ୟାଙ୍କ ଖାତା ରହିଛି ଓ ସେଥିରେ ଲକ୍ଷାଧିକ ଟଙ୍କା ରହିଛି । ମଜା କଥା ହେଉଛି ଗୁଜୁରାଟର କଚ୍ଛରୁ ଆସିଥିବା ଦ୍ୱିଗେନ୍ଦ୍ର ନାଥ ମହାରାଜଙ୍କ କୁକୁର ନାଁ ଟାଇସନ ରଖାଯାଇଛି । ଟାଇସନ ନାଁରେ ୨୫୫ ବିଘା ଜମି ଅଛି । ସେହିପରି କେଦାରନାଥରୁ ଆସିଥିବା ନାଗା ସନ୍ୟାସୀ ପ୍ରେମଗିରି ନିଜ କୁକୁର ଜ୍ୟାକିର ଆଧାର କାର୍ଡ ମଧ୍ୟ ରହିଛି ।

ସମ୍ବନ୍ଧିତ ଖବର