ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଡ୍ରଗ୍ସ ବିରୋଧୀ ଅଭିଯାନରେ ପୁଣିଥରେ ବଡ଼ ସଫଳତା ହାସଲ କରିଛି। ଗତକାଲି ପୁଲିସ ରମେଶ ନଗର ଅଞ୍ଚଳର ଏକ ଗୋଦାମରୁ ୨୦୦୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ କରିଥିଲା। ଆଉ ଏହି ଘଟଣାକୁ ନେଇ ଏବେ ନୂଆ ନୂଆ ଖୁଲାସା ହେବାରେ ଲାଗିଛି | ପୁଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ଡ୍ରଗ୍ସ ବାବଦରେ ଯେମିତି କେହି ଜାଣିନପାରିବେ ସେଥିପାଇଁ ଏହାକୁ ଏକ ମିକଶ୍ଚର ପ୍ୟାକେଟରେ ରଖାଯାଇଥିଲା | କୋଡ଼ ୱାର୍ଡରେ ହିଁ ସବୁ କାରବାର ହେଉଥିଲା | ଅର୍ଥାତ ଯାହାର ଡ୍ରଗ୍ସ ଆବଶ୍ୟକ ହେଉଥିଲା, ତାଙ୍କୁ ନିର୍ଦ୍ଦିଷ୍ଟ କୋର୍ଡ ୱାର୍ଡ ଦିଆଯାଉଥିଲା |

Advertisment

 ଏହି କୋର୍ଡ ୱାର୍ଡ କହିଲେ ହିଁ ଡ୍ରଗ୍ସ ମିଳୁଥିଲା | ବାହାରକୁ ଯଦିଓ ଏହା ଏକ ନମକିନ ପ୍ୟାକେଟ ଭଳି ଦେଖାଯାଉଥିଲା, କିନ୍ତୁ ଭିତରେ ଡ୍ରଗ୍ସ ଥିଲା | ପୁଲିସ ଚଢ଼ାଉ ବେଳେ ବିପୁଳ ପରିମାଣର ନମକିନ ପ୍ୟାକେଟ ସହ ଡ୍ରଗ୍ସ ଜବତ କରିଥିଲା | ମିଳିଥିବା ସୂଚନା ମୁତାବକ ଏକ ସପ୍ତାହ ମଧ୍ୟରେ ଦିଲ୍ଲୀ ପୁଲିସର ଏହା ହେଉଛି ଦ୍ୱିତୀୟ ପ୍ରମୁଖ ସଫଳତା | ଗତ ସପ୍ତାହରେ ମହିପାଲପୁରରୁ ୫୬୦ କିଲୋଗ୍ରାମ କୋକେନ ଜବତ କରାଯାଇଥିଲା। ଯାହାର ମୂଲ୍ୟ ପ୍ରାୟ ୫୦୦୦ କୋଟି ଟଙ୍କା ଥିଲା। ୫୦୦୦ କୋଟି ଟଙ୍କାର ଡ୍ରଗ୍ସ ମାମଲାରେ ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ସିଣ୍ଡିକେଟ୍ ସହ ଜଡିତ ସପ୍ତମ ଅଭିଯୁକ୍ତକୁ ଗିରଫ କରିଥିଲା । ଅଭିଯୁକ୍ତଙ୍କ ନାମ ଅଖଲାଖ ଯିଏ ଉତ୍ତରପ୍ରଦେଶର ହାପୁରର ବାସିନ୍ଦା। ଅଖଲାଖଙ୍କୁ ପଚରାଉଚରା କରିବା ପରେ ସ୍ପେଶାଲ ସେଲ ଦିଲ୍ଲୀର ରମେଶ ନଗରଠାରେ ଚଢ଼ାଉ କରି ୨୦୦ କିଲୋଗ୍ରାମ କୋକେନ ଉଦ୍ଧାର କରିଥିଲା।

ଦିଲ୍ଲୀ ପୁଲିସର ସ୍ପେଶାଲ୍ ସେଲ୍ ଏହି ସମଗ୍ର ସିଣ୍ଡିକେଟ୍ ସହିତ ଜଡିତ ସମସ୍ତ ଦିଗକୁ ଅନୁଧ୍ୟାନ କରୁଛି। ଯେଉଁ ବ୍ୟକ୍ତି ଏହି କୋକେନ ରଖିଥିଲେ ସେହି ବ୍ୟକ୍ତି ବ୍ରିଟେନର ନାଗରିକ ଥିଲେ ଏବଂ କୋକେନ ରଖି ଫେରାର ହୋଇଯାଇଥିଲେ। ଅଖଲାଖଙ୍କୁ ପଚରାଉଚରା କରିବା ପରେ ହିଁ ଏହି ବ୍ରିଟେନର ନାଗରିକଙ୍କ ବିଷୟରେ ପୁଲିସ ସୂଚନା ପାଇଥିଲା।