କରୋନା ବିରୋଧୀ ଲଢେଇ ପାଇଁ ଅଣ୍ଟାଭିଡ଼ିଲା ଡିଆରଡିଓ, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମାଣ କଲା ଭେଣ୍ଟିଲେଟର, ଏନ-୯୯ ମାସ୍କ

ନୂଆଦିଲ୍ଲୀ : ଭାରତରେ ଏବେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ମୃତ୍ୟୁସଂଖ୍ୟା ମଧ୍ୟ ୧୬ ରେ ପହଞ୍ଚିଲାଣି । ଏହାକୁ ଦୃଷ୍ଟିରେ ରଖି ସରକାର ୨୧ ଦିନିଆ ଦେଶବ୍ୟାପୀ ଲକଡାଉନ ଘୋଷଣା କରିଛନ୍ତି । ଭାରତରେ କରୋନାକୁ ହରାଇବାକୁ ଡାକ୍ତରଙ୍କଠାରୁ ଆରମ୍ଭ କରି ନର୍ସ, ଆଶାକର୍ମୀ ସମସ୍ତେ ଉଦ୍ୟମ କରିଚାଲିଛନ୍ତି । ତେବେ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ମହଜୁଦ ଥିବା ଭେଣ୍ଟିଲେଟର, ମାସ୍କ ଆଦି ଯଥେଷ୍ଟ ହେଉନାହିଁ ।

ଏହି ଜରୁରୀ ସମୟରେ ଭାରତର ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ସ୍ୱଦେଶୀ ଜ୍ଞାନକୌଶଳରେ ଭେଣ୍ଟିଲେଟର ନିର୍ମାଣ କରିଛି । ଡିଆରଡିଓ ଓ ସୋସାଇଟି ଫର ବାୟୋମେଡିକାଲ ଟେକନଲୋଜୀ ପକ୍ଷରୁ ଏହି ଭେଣ୍ଟିଲେଟରର ବିକାଶ କରାଯାଇଛି । ଏହାର ଟେକନଲୋଜୀ ମହୀଶୂରର ଏକ କମ୍ପାନିକୁ ଦିଆଯାଇଛି । ଏହି କମ୍ପାନି ଏବେ ସୁଲଭ ମୂଲ୍ୟରେ ଭେଣ୍ଟିଲେଟର ନିର୍ମାଣ କରି ସରକାରଙ୍କୁ ଯୋଗାଉଛି ବୋଲି ଡିଆରଡିଓ ଅଧ୍ୟକ୍ଷ ଜି.ସତୀସ ରେଡ୍ଡୀ କହିଛନ୍ତି । କେବଳ ଏତିକି ନୁହେଁ ଡିଆରଡିଓ ପକ୍ଷରୁ ଏନ-୯୯ ମାସ୍କ ଓ ଥ୍ରୀ-ଲେୟର ମାସ୍କ ନିର୍ମାଣ କରାଯାଇଛି । ଏପରି ୨୦ ହଜାର ମାସ୍କ ନିର୍ମାଣ କରାଯାଇ ବିଭିନ୍ନ ସରକାରୀ ଏଜେନ୍ସିମାନଙ୍କୁ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି । ଦେଶରେ କରୋନାଭାଇରସ ମୁକାବିଲା ବେଳେ ଡିଆରଡିଓର ଏସବୁ ଉଦ୍ଭାବନ ବେଶ ଉପଯୋଗୀ ହେବ ବୋଲି ମନେକରାଯାଉଛି ।

ସମ୍ବନ୍ଧିତ ଖବର