ଯେଉଁଠି ସେଠି ମନଇଚ୍ଛା ପାଣି ପିଇବା ଉଚିତ ନୁହେଁ। ଅନ୍ୟର ଅଇଁଠା ପାଣି, ଗୋଡ଼ଧୁଆ ପାଣି, ଗାଧୁଆ ପାଣି, ସନ୍ଧ୍ୟା-ପୂଜାରେ ବ୍ୟବହୃତ ପାଣି ପିଇବା ଅନୁଚିତ ବୋଲି ଶାସ୍ତ୍ରରେ କୁହାଯାଇଛି। ଚାଣକ୍ୟଙ୍କ ମତରେ:
‘‘ପାନଶେଷଂ ସ୍ନାନଶେଷଂ ପାଦଶେଷଂ ତଥୈବ ଚ।
ସନ୍ଧ୍ୟାଶେଷଂ ଜଳଞ୍ଚୈବ ପୀତ୍ବା ଚାନ୍ଦ୍ରାୟଣଂ ଚରେତ୍।।’’
ଅର୍ଥାତ୍ କେହି ଜଣେ ପିଇବା ପରେ ବଳିଥିବା ପାଣି ବା ଅଇଁଠା ପାଣି ପିଇବ ନାହିଁ। ଅନ୍ୟ ପାଟିର ଲାଳ ସେହି ପାଣିରେ ବା ପାଣିପାତ୍ରର ଫନ୍ଦରେ ଲାଗିଥାଇପାରେ। ସେଥିରେ ଥିବା ରୋଗକାରକ ଜୀବାଣୁ ଆମ ଦେହକୁ ସଂକ୍ରମିତ ହୋଇପାରେ। ତେଣୁ ଘରେ ବା ବାହାରେ ପାଣି ଗ୍ଲାସ୍ ବା ବୋତଲ ସବୁବେଳେ ଟେକି ପିଇବା ଉଚିତ। ସେହିପରି ଅନ୍ୟର ଗାଧୁଆ (ସ୍ନାନଶେଷ) ଓ ଗୋଡ଼ଧୁଆ (ପାଦଶେଷ) ପାଣିରେ ବି ରୋଗ ଜୀବାଣୁ ସଂକ୍ରମିତ ହୋଇପାରନ୍ତି। ସନ୍ଧ୍ୟାଶେଷ କହିଲେ ସନ୍ଧ୍ୟା (ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟା) ସମୟରେ ସନ୍ଧ୍ୟାପୂଜା, ପ୍ରାର୍ଥନା, ଜପ ଇତ୍ୟାଦି ସମୟରେ ଆଚମନାଦି କାର୍ଯ୍ୟରେ ବ୍ୟବହୃତ ଜଳର ଅବଶିଷ୍ଟାଂଶକୁ ବୁଝାଏ। ଏହି ଜଳରେ ହାତ ବୁଡାଯାଇଥିବାରୁ ତାହା ପାନ ଉପଯୋଗୀ ହୁଏ ନାହିଁ। ତେଣୁ ଏହି ଅପବିତ୍ର ଜଳ ପାନ କଲେ ଚାନ୍ଦ୍ରାୟଣ ବ୍ରତ କରି ପ୍ରାୟଶ୍ଚିତ୍ତ କରିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।
ଜଳ ହିଁ ଜୀବନ, ଯାହାର ଅଭାବରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ। ଆବଶ୍ୟକତାଠାରୁ କମ୍ ପାଣି ପିଉଥିବା ଲୋକମାନଙ୍କର ଜଳଶୂନ୍ୟତା (ଡିହାଇଡ୍ରେସନ୍), ଶରୀରର ତାପମାତ୍ରା ବୃଦ୍ଧି, କିଡ୍ନୀ ସମସ୍ୟା, ପରିସ୍ରାପୋଡ଼ା, ହଳଦିଆ ପରିସ୍ରା, ଲୋପ୍ରେସର, ବଦହଜମି, କ୍ଷୁଧାମାନ୍ଦ୍ୟ, ଆଲର୍ଜି (ଅନୁର୍ଜତା), ଓକାର, ଗଣ୍ଠିବ୍ୟଥା, ଅକାଳବାର୍ଦ୍ଧକ୍ୟ ଆଦି ସମସ୍ୟା ଦେଖାଦେଇପାରେ। ଦେହର ନାନା କ୍ଷତି ଏଡାଇବାକୁ ହେଲେ ପ୍ରତିଦିନ ପ୍ରଚୁର ଜଳପାନର ବିକଳ୍ପ ନାହିଁ। ଗବେଷକମାନେ ପ୍ରତିଦିନ ତିନିରୁ ଚାରି ଲିଟର ଜଳପାନର ପରାମର୍ଶ ଦେଇଛନ୍ତି। ପାନୀୟ ଭିତରେ ବିଶୁଦ୍ଧ ପାନୀୟ ଜଳ ହିଁ ଶ୍ରେଷ୍ଠ। ସ୍ବାସ୍ଥ୍ୟ ଓ ଦୀର୍ଘାୟୁ କାମନା କରୁଥିବା ବ୍ୟକ୍ତି ମଦ, ମୃଦୁ ପାନୀୟ ଆଦି ସମ୍ପୂର୍ଣ୍ଣ ବର୍ଜନ କରିବା ସହ ଚା, କଫି ଯେତେ କମ୍ ପିଇବେ ସେତେ ଭଲ।
ଶୋଷ ହେଉଥିଲେ ଓ ସଙ୍ଗେ ସଙ୍ଗେ ପାଣି ନ ମିଳିଲେ ସାଦା ପାନ ଖଣ୍ଡେ ଚୋବେଇଦେଇ କିଛି ସମୟ ଶୋଷକୁ ନିୟନ୍ତ୍ରଣରେ ରଖାଯାଇପାରେ। ତା’ ବି ଯଦି ସମ୍ଭବ ନ ହୁଏ, ତେବେ ଆପଣ କଟା ଲେମ୍ବୁ ଲୁଣ ଦେଇ ଚାଟୁଛନ୍ତି ବା କମଳା ଚୋପା ଛଡ଼େଇ ଖାଉଛନ୍ତି ବୋଲି ମନେମନେ ଭାବନ୍ତୁ। ଏହି ଭାବିବା ଭିତରଦେଇ ଯେଉଁ ପାଚକରସ ବା ଲାଳ ପାଟିରୁ ଝରିବ ତାକୁ ଢୋକିଦିଅନ୍ତୁ। ଏହାଦ୍ବାରା କିଛି ସମୟ ଶୋଷକୁ ନିୟନ୍ତ୍ରଣ କରାଯାଇପାରିବ। ତା’ପରେ ପାଣି ମିଳିଲେ ପିଇ ଶୋଷ ନିବାରଣ କରିପାରିବେ। ବଜାରରେ ମିଳୁଥିବା ବୋତଲ ପାଣି ଅପେକ୍ଷା ଆଖୁରସ, ଫଳରସ ବା ପଇଡ଼ପାଣି ସବୁଠାରୁ ଭଲ। କିଣା ବୋତଲ ପାଣି ଅନେକ ଦିନର ବାସି ହୋଇଥିବାରୁ ଓ ସେଥିରେ ପ୍ଲାଷ୍ଟିକ୍ର କଣିକା ମିଶିବାର ସମ୍ଭାବନା ଥିବାରୁ ତାହା ସ୍ବାସ୍ଥ୍ୟ ପାଇଁ ହାନିକାରକ। ଖାଇବାର ଦେଢ଼ଘଣ୍ଟା ପରେ ପାଣି ପିଇବାର ନିୟମ ଥିବାରୁ ଭୋଜି ସମୟରେ ଆପଣଙ୍କୁ ଦିଆଯାଉଥିବା ପ୍ଲାଷ୍ଟିକ୍ ବୋତଲ ଆଦୌ ନିଅନ୍ତୁ ନାହିଁ କିମ୍ବା ନ ପଚାରି କେହି ପାଖରେ ଥୋଇଦେଇ ଗଲେ ତାକୁ ଆଦୌ ଖୋଲନ୍ତୁ ନାହିଁ। ଫ୍ରିଜ୍ର ଥଣ୍ଡାପାଣି କଦାପି ପିଇବା ଉଚିତ ନୁହେଁ। ଥଣ୍ଡା ପାଣି ଯଦି ଆପଣଙ୍କର ଖୁବ୍ ପସନ୍ଦ, ତେବେ କେବଳ ଖରାଦିନେ ମାଟି ମାଠିଆ ବା ସୁରେଇର ପାଣି ପିଇପାରିବେ।
-ଦୋଳଗୋବିନ୍ଦ ପଣ୍ଡା (୭୦୦୮୯୬୦୫୦୨)