ବାରିପଦା/ଭୁବନେଶ୍ୱର: ରାଜାରାଜୁଡ଼ା ଶାସନ ଚାଲିଯାଇଛି ସତ, ହେଲେ ଏବେ ବି ବଞ୍ଚିରହିଛି ପରମ୍ପରା | ରାଜାଙ୍କ ସୈନିକ ତଥା ସେନା ନାହିଁ ସିନା କିନ୍ତୁ ଏବେ ବି ଚାଲିଛି ଶକ୍ତି ଆବାହନର ପ୍ରୟାସ | ଆପଣ ତ ଅନେକ ପୂଜା ମଣ୍ଡପ ହେଉ କି ମନ୍ଦିରରେ ମା'ଦୁର୍ଗାଙ୍କ ପୂଜା ସହ ଭବ୍ୟ ମୂର୍ତ୍ତି ଦେଖିଥିବେ | ପୂଜକଙ୍କ ମନ୍ତ୍ର ଶୁଣିଥିବେ କିନ୍ତୁ ଥରେ ଭାବିଲେ ଶକ୍ତି-ପରାକ୍ରମର ପ୍ରତୀକ ମା ଦୁର୍ଗାଙ୍କୁ ରାଜାରାଜୁଡ଼ା ଶାସନ ସମୟରେ କିଭଳି ପୂଜା କରାଯାଉଥିଲା | ଏବେ ବି ସେହି ଢଙ୍ଗରେ ପୂଜା ଚାଲିଛି | ଆମେ ଆପଣଙ୍କୁ ଏଥର ଏମିତି ଏକ ରାଜବାଟୀରେ ପୂଜା ବାବଦରେ କହିବୁ, ଯାହାକି ଆପଣଙ୍କୁ ଯେତିକି ରୋମାଂଚିତ କରିବ ନାରୀଶକ୍ତିକୁ କିଭଳି ବାସ୍ତବରେ ପ୍ରାଧାନ୍ୟ ଦିଆଯାଏ ତାହାର କାହାଣୀ ବଖାଣିବ | ମୟୂରଭଞ୍ଜ ରାଜପ୍ରାସାଦ ଏକ ଭିନ୍ନ ତଥା ନିଆରା ପୂଜା ରୀତିନୀତି ଆଧାରରେ କରାଯାଏ | ଭଞ୍ଜ ଦେଓ ଶାସକମାନେ ୧୯ଶ ଶତାବ୍ଦୀର ଶେଷ ଭାଗରେ ଆନୁଷ୍ଠାନିକ ଭାବରେ ଏହି ଉତ୍ସବ ପାଳନ କରିବା ଆରମ୍ଭ କରିଥିଲେ। ଏହି ରାଜପରିବାରର ଇଷ୍ଟଦେବୀ ଚାମୁଣ୍ଡା ଦେବୀ ହୋଇଥିବାବେଳେ ଶୌର୍ଯ୍ୟ, ନାରୀଶକ୍ତିକୁ ପ୍ରାଥମିକତା ହିଁ ପୂଜାର ମୂଳ ଉଦ୍ଦେଶ୍ୟ ହୋଇଥାଏ | ପୂର୍ବରୁ କାରିଗରମାନେ ମୂର୍ତ୍ତି ନିର୍ମାଣ ପରେ ଏମପିସିରେ ଥିବା ଟେରାକୋଟା ମନ୍ଦିରରେ ସ୍ଥାପନ କରୁଥିଲେ, ଯେଉଁଠାରେ ପୂଜା ହେଉଥିଲା |
ବର୍ତ୍ତମାନ କିନ୍ତୁ ମୟୁରଭଞ୍ଜ ରାଜବଂଶର ବେଲଗାଡ଼ିଆରେ ଥିବା ରାଜପ୍ରାସାଦରେ ପୂଜା ଅନୁଷ୍ଠିତ ହୋଇଆସୁଛି | ରାଜ ପୁରୋହିତ ଚଣ୍ଡୀପାଠ, ଯଜ୍ଞ ଇତ୍ୟାଦି ସମ୍ପାଦନ କରୁଥିବାବେଳେ ଜେନାନାର ମହିଳାମାନେ କୁମାରୀ ପୂଜା କରନ୍ତି | କୁଆଁରୀ ଝିଅମାନଙ୍କୁ ଜୀବନ୍ତ ଦେବୀ ଭାବରେ ପୂଜା କରିବାର ପରମ୍ପରା କାହିଁ କେଉଁ କାଳରୁ ଚାଲିଆସିଛି। ରାଜବାଟୀରେ କେମିତି ପୂଜା କରାଯାଏ ତାହାର ଇତିହାସ କଣ ବଖାଣିବାକୁ ଯାଇ ରାଜକୁମାରୀ ଅକ୍ଷିତା ଭଞ୍ଜଦେଓ କହିଛନ୍ତି ଯେ ଅତୀତରେ ବିଜୟା ଦଶମୀରେ, ମହାରାଜା ଖଣ୍ଡା, ହାତୀ ଏବଂ ଘୋଡାକୁ ଆଶୀର୍ବାଦ କରି ବାରିପଦା ଦେଇ ଶୋଭାଯାତ୍ରାରେ ବାହାରିବା ପୂର୍ବରୁ ଶସ୍ତ୍ର ପୂଜା କରୁଥିଲେ |
ରାଜପ୍ରାସାଦରେ ଦୁର୍ଗାପୂଜାରେ ଅଳଙ୍କାର ସାଜସଜ୍ଜା ବହୁତ କମ ରହୁଥିବାବେଳେ ସାର୍ବଭୌମତ୍ୱ ଏବଂ ସଂହତିକୁ ପ୍ରାଥମିକତା ଦିଆଯାଉଥିଲା | ରାଜକୀୟ ଉତ୍ସବ ପାଇଁ ଦୁଇଟି ମୁଖ୍ୟ ମନ୍ଦିର - ଅମ୍ବିକା ମନ୍ଦିର ବାରିପଦା ଏବଂ ମା କୀଚିକେଶରୀଙ୍କ ସହିତ ଖିଚିଙ୍ଗରେ ଯେଉଁଠାରେ ମହାରାଜା ଏବଂ ମହାରାଣୀ ସମସ୍ତ ୧୦ ଦିନ ପାଳନ କରୁଥିଲେ। କେବଳ ଯେ ପୂଜା କରାଯାଏ ତାହା ନୁହେଁ ମୟୁରଭଞ୍ଜର ସ୍ଥାନୀୟ ଲୋକକଳା ତଥା କଳା-କାରିଗରୀକୁ ମଧ୍ୟ ଗୁରୁତ୍ୱ ଦିଆଯାଏ | ସେଥିପାଇଁ ତ ମୟୂରଭଞ୍ଜର ଛଉ, ଓଡ଼ିଶୀ, ଝୁମର ସହ ସ୍ଥାନୀୟ ଟେରାକୋଟା, ଡୋକରା ଏବଂ ସବାଇ ଘାସରେ ହିଁ ସାଜସଜ୍ଜା କରାଯାଏ | ଏବେ ଭଞ୍ଜ ରାଜବଂଶର ୪୮ ତମ ବଂଶଧର ମହାରାଜକୁମାରୀ ମୃଣାଳିକା ମଞ୍ଜରୀ ଭଞ୍ଜ ଦେଓ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜ ଦେଓଙ୍କ ସହିତ ଦଶହରାର ପୂଜାର ପରମ୍ପରା ଜାରି ରଖିଛନ୍ତି।