କରୋନା ସତର୍କତା : ପ୍ଲାଟଫର୍ମ ଟିକେଟ ମୂଲ୍ୟ ୫୦କୁ ବୃଦ୍ଧି କଲା ପୂର୍ବତଟ ରେଳପଥ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଦୃଷ୍ଟିରୁ ଓଡ଼ିଶା ସମେତ ସାରାଦେଶରେ ସତର୍କତା ଜାରି କରାଯାଇଛି । ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଭିଡ଼ କମାଇବାକୁ ପଦକ୍ଷେପ ନିଆଯାଉଛି । ରେଳ ଷ୍ଟେସନଗୁଡ଼ିକରେ ଭିଡ଼ କମାଇବାକୁ ପ୍ଲାଟଫର୍ମ ଟିକେଟର ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଗତକାଲି ପଶ୍ଚିମ ଓ କେନ୍ଦ୍ର ରେଳବାଇ ପକ୍ଷରୁ ପ୍ଲାଟଫର୍ମ ଟିକେଟ ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବାବେଳେ ଆଜି ପୂର୍ବତଟ ରେଳବାଇ ପକ୍ଷରୁ ମଧ୍ୟ ସମାନ ନିଷ୍ପତ୍ତି ନିଆଯାଇଛି । ପୂର୍ବତଟ ରେଳବାଇ ଅଧିନରେ ଆସୁଥିବା ୫ଟି ପ୍ରମୁଖ ତଥା ଜନଗହଳିପୂର୍ଣ୍ଣ ଷ୍ଟେସନ ଭୁବନେଶ୍ୱର, କଟକ, ପୁରୀ, ଭଦ୍ରକ, ବ୍ରହ୍ମପୁରରେ ଏହି ବର୍ଦ୍ଧିତ ଦର ଲାଗୁ ହେବ । ସେହିପରି ପୂର୍ବତଟ ରେଳପଥ ଅଧିନରେ ଆସୁଥିବା ବିଶାଖାପାଟଣା ଷ୍ଟେସନରେ ମଧ୍ୟ ଏହା ପୂର୍ବରୁ ଲାଗୁ ହୋଇସାରିଛି ।


କରୋନା ସଂକଟ ଟଳିବା ପରେ ପ୍ଲାଟଫର୍ମ ଟିକେଟ ମୂଲ୍ୟ ପୂର୍ବ ଭଳି ୧୦ ଟଙ୍କାକୁ ଫେରିଯିବ ବୋଲି ଭାରତୀୟ ରେଳ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ସାରାଦେଶରେ ଷ୍ଟେସନ ଓ ରେଳଗାଡ଼ିଗୁଡ଼ିକରେ ପରିଚ୍ଛନ୍ନତା ଲାଗି ପଦକ୍ଷେପ ନିଆଯାଇଛି । ସେହିପରି ସାରାଦେଶରେ ବିଭିନ୍ନ ଟ୍ରେନକୁ ବାତିଲ କରାଯାଇଛି ।
କରୋନା ଭାଇରସ ଏବେ ବିଶ୍ୱର ୧୬୫ଟି ଦେଶରେ ପହଞ୍ଚିଥିବାବେଳେ ପ୍ରାୟ ୨ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି ଓ ୮୫୦୦ ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଭାରତରେ ଏପର୍ଯ୍ୟନ୍ତ ୧୪୭ ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ଓ ୩ ଜଣ ମୃତ୍ୟୁବରଣ କରିଛନ୍ତି ।

ସମ୍ବନ୍ଧିତ ଖବର