ଦୁର୍ନୀତି ବିରୋଧରେ ବଡ଼ ସଂଗ୍ରାମ

ଅମର ପଟ୍ଟନାୟକ

ସରକାରୀ ଅଧିକାରୀ ତଥା ପାର୍ଟି କାର୍ଯ୍ୟକର୍ତ୍ତାମାନଙ୍କ ଦ୍ବାରା ସମ୍ପତ୍ତି ରିଟର୍ଣ୍ଣ ଦାଖଲ କରିବା ବାଧ୍ୟତାମୂଳକ ବୋଲି ଓଡ଼ିଶା ସରକାର କହିଛନ୍ତି। ନିକଟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଚକିତ କରିଦେଲା ଭଳି ଏକ ଘୋଷଣା କରିଥିଲେ ଯେ ସମସ୍ତ ରାଜ୍ୟ ସରକାରୀ ଅଧିକାରୀ, ବିଜୁ ଜନତା ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ସେ ନିଜେ ପ୍ରତ୍ୟେକ ବର୍ଷ ଶେଷରେ ଲୋକ ଆୟୁକ୍ତଙ୍କ ନିକଟରେ ସଂପତ୍ତି ରିଟର୍ଣ୍ଣ ଦାଖଲ କରିବେ। ଏହା ବାଧ୍ୟତାମୂଳକ ହେବ। ଏପରିକି ଏହି ସମସ୍ତ ରିଟର୍ଣ୍ଣ ଦାଖଲର ଫାଇଲ ସଂପର୍କିତ ତଥ୍ୟ ଏକ େୱବ୍‌ ପୋର୍ଟାଲରେ ମଧ୍ୟ ପ୍ରକାଶ ପାଇବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ରାଜନୈତିକ-ବ୍ୟୁରୋକ୍ରାଟିକ୍‌ ଲିଙ୍କ୍‌ ଭାରତରେ ଏକ ବ୍ୟବସ୍ଥିତ ପ୍ରଣାଳୀ ଏବ˚ ତୃଣମୂଳ ସ୍ତରରେ ବଢ଼ୁଥିବା ଦୁର୍ନୀତିର ଏହା ଏକ କାରଣ ହୋଇଥାଏ। କିନ୍ତୁ ଦୁର୍ନୀତିଗ୍ରସ୍ତଙ୍କୁ ଚିହ୍ନଟ କରିବା ଏବ˚ ଦଣ୍ତ ଦେବା ଅନେକ ସମୟରେ କେବଳ ନିୟମ ପୁସ୍ତିକାରେ ରହିଥିବା ଭଳି ମନେ ହୋଇଥାଏ। ଦୁର୍ନୀତିର ପ୍ରତିଷେଧମୂଳକ ଦିଗଟି ଅବହେଳିତ ହୋଇ ରହିଯାଏ। ଯଦିଓ ଜାତୀୟ ସ୍ତରରେ ‘ଲୋକପାଳ ଏବ˚ ଲୋକ ଆୟୁକ୍ତ ଆୟୋଗ ଅଧିନିୟମ, ୨୦୧୩’ ଅଧା ଦଶନ୍ଧିରୁ ଅଧିକ ସମୟ ଧରି ବିଦ୍ୟମାନ ଅଛି, କିନ୍ତୁ ଏହାର କାର୍ଯ୍ୟକାରିତା ଠିକ୍‌ ଭାବେ ହୋଇପାରୁ ନାହିଁ। ସମ୍ପତ୍ତି ଘୋଷଣା ଦାଖଲ କରିବାର ସମୟ ସୀମା କ୍ରମାଗତ ଭାବେ ସ୍ଥଗିତ ରଖାଯାଉଛି। ପ୍ରାରମ୍ଭରେ ୧୫ ସେପ୍‌ଟେମ୍ବର ୨୦୧୪ ପାଇଁ ଏହା ସ୍ଥିର ହୋଇଥିଲା, କିନ୍ତୁୁ ଥରକୁ ଥର କରି ଇତି ମଧ୍ୟରେ ୬ଥର ସମୟ ସୀମାକୁ ବୃଦ୍ଧିି କରାଯାଇଛି।

ପଂଚାୟତ ଠାରୁ ଆରମ୍ଭ କରି ଦଳର ସଭାପତି ପର୍ଯ୍ୟନ୍ତ ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷ ଏବ˚ ସମସ୍ତ ଅମଲାତାନ୍ତ୍ରିକ କାର୍ଯ୍ୟକର୍ତ୍ତାଙ୍କ ସମ୍ପତ୍ତିର ସାର୍ବଜନୀନ ଘୋଷଣାରୁ ବୁଝାପଡ଼ୁଛି ଯେ ଏହା ମୌଳିକ ଭାବରେ ସୂଚନା ଅସମତା (Information Asymmetry) ହ୍ରାସ କରି ନାଗରିକ ଏବ˚ ପ୍ରତ୍ୟେକ ସ୍ତରରେ କ୍ଷମତାରେ ଥିବା ଲୋକଙ୍କ ମଧ୍ୟରେ ସ୍ବଚ୍ଛତାକୁ ପ୍ରୋତ୍ସାହିତ କରିବ। ସୂଚନା ଅସମତା ଦ୍ବାରା ଅମଲା ଏବ˚ ରାଜନୈତିକ ବ୍ୟକ୍ତିମାନେ ଦୁର୍ନୀତିକୁ ବ୍ୟାପକ କରିବାର ପ୍ରଶ୍ରୟ ପାଆନ୍ତି। ଏହି ଦୁର୍ନୀତି ବିରୋଧରେ ଲଢ଼େଇ କରିବା ପାଇଁ ପ୍ରମାଣ ସୃଷ୍ଟି କରିବା, ଓଡ଼ିଶାର ଘୋଷଣାକୁ ଅଧିକ ପ୍ରାସଙ୍ଗିକ କରିଥାଏ। ଏହି ଉଦ୍ୟମକୁ ଆହୁରି ଦୃଢ଼ୀଭୂତ କରିବା ସକାଶେ ସମ୍ପତ୍ତିର ଏକ ‘ବେସ୍‌ ଲାଇନ୍‌’ ସୂଚନା ଭଣ୍ଡାର ବା ‘ଡାଟା ବେସ୍‌’ ପ୍ରସ୍ତୁତ କରାଯିବା ଦରକାର। ଯାହା ହେଲେ ସରକାରଙ୍କ ବିଭିନ୍ନ ପଦ ପଦବିରେ ଥିବା ଅଧିକାରୀଙ୍କ ସମ୍ପତ୍ତିର ମାଲିକାନା ବାବଦରେ ମହତ୍ତ୍ବପୂର୍ଣ୍ଣ ସୂଚନା ଉପଲବ୍‌ଧ ହୋଇ ପାରିବ ଏବ˚ ପରବର୍ତ୍ତୀ ତଦାରଖ ଓ ଅନୁସନ୍ଧାନ ପାଇଁ ଏକ ଦିଶା ନିର୍ଦ୍ଧାରଣ କରିପାରିବ।

ବ୍ୟବସ୍ଥିତ ଦୁର୍ନୀତିକୁ ବୁଝିବା ପାଇଁ ଆମେରିକୀୟ ଏକାଡେମିକ ରବର୍ଟ କ୍ଲିଟ୍‌ଗାର୍ଡଙ୍କ ମତ ସାହାଯ୍ୟ କରିଥାଏ। ସେ କହିଥିଲେ, ସାଧାରଣତଃ ‘ଏକଚାଟିଆ କାରବାର ବା ଏକାଧିପତ୍ୟ, ମନମୁଖୀ କାର୍ଯ୍ୟକଳାପର ସୁଯୋଗ ଏବ˚ ଉତ୍ତରଦାୟିତ୍ବ ଏଡ଼ାଇ ଯିବାର ସୁଯୋଗ ଉପରେ ଦୁର୍ନୀତି ନିର୍ଭର କରେ। ଅମଲାତନ୍ତ୍ରରେ ମୋର ଅଭିଜ୍ଞତାରୁ ମୁଁ ବିଶ୍ବାସ କରେ ଯେ ବ୍ୟବସ୍ଥାରେ ଦୁର୍ନୀତି ରୋକିବା, ଚିହ୍ନଟ କରିବା ଏବ˚ ହ୍ରାସ କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ। ଅଧିକ ଲୋକଙ୍କ ଅ˚ଶ ଗ୍ରହଣ ଦ୍ବାରା ଅଧିକ ପ୍ରଶ୍ନ ସୃଷ୍ଟି ହେବାର ଆଶା ଥାଏ, ଯାହା ଦୁର୍ନୀତିର ସମ୍ଭାବନାକୁ କମାଇ ଦେଇଥାଏ। ଯଦି କ୍ଷମତାର ଆସନରେ ଥିବା ବ୍ୟକ୍ତିଙ୍କ ସମ୍ପତ୍ତି ବିଷୟରେ ଅଧିକ ସୂଚନା ନିୟମିତ ଭାବେ ପ୍ରକାଶ ପାଏ, ତେବେ ଏଥି ପ୍ରତି ଲୋକଙ୍କ ଆଗ୍ରହ ଓ କୌତୂହଳ ବଢ଼େ ଓ ସେମାନଙ୍କ ଅ˚ଶଗ୍ରହଣ ମଧ୍ୟ ବୃଦ୍ଧି ପାଇପାରେ।

ଓଡ଼ିଶାର ଏହି ଘୋଷଣାନାମା ପ୍ରକୃତ ପକ୍ଷେ ଏହି ଦିଗରେ ଏକ ଉଦ୍ୟମ। ଦୁର୍ନୀତି ପାଇଁ ଅମଲାମାନଙ୍କ ମନମୁଖୀ କାର୍ଯ୍ୟକଳାପକୁ ରୋକିବା ସକାଶେ ରାଜ୍ୟ ସରକାର ନୂତନ ବୈଷୟିକ କୌଶଳର ଉପଯୋଗ କରୁଛନ୍ତି। ଉଦାହରଣ ସ୍ବରୂପ ଅନ୍‌ଲାଇନ ଟଙ୍କା ନେଣଦେଣ କାରବାରକୁ ଅଧିକ ପ୍ରୋତ୍ସାହନ ଦିଆଯାଉଛି। ସେମିତି ନିୟମ ମାନୁ ନଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯାଇ ଉତ୍ତରଦାୟିତ୍ବକୁ ମଧ୍ୟ ପ୍ରତିଷ୍ଠା କରାଯାଉଛି। ଏହାର ଉଦାହରଣ ହେଲା ଯେ କେବଳ ଗତ ୧ ବର୍ଷ ମଧ୍ୟରେ ପ୍ରାୟ ୧୦୦ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ ବା ନିଲମ୍ବନ କିମ୍ବା ବାଧ୍ୟତାମୂଳକ ଭାବେ ଅବସର ଦିଅାଯାଇଛି। କିନ୍ତୁ ଏହା ମଧ୍ୟ ସ୍ବୀକାର କରିବାକୁ ହେବ ଯେ ଦୁର୍ନୀତି ବିରୋଧରେ ଚାଲିଥିବା ଏହି ସ˚ଗ୍ରାମ ଏତେ ଶୀଘ୍ର ସମାପ୍ତ ହେବ ନାହିଁ। ଯେତେବେଳେ ଏକ ଭଲ ପ୍ରତିଷେଧମୂଳକ ବ୍ୟବସ୍ଥା ବାହାରିବ ସେତିକି ବେଳେ ଦୁର୍ନୀତି ଦୂର ହେବାର ବାଟ ଫିଟିବ। କେବଳ କଠୋରରୁ କଠୋରତମ ଦଣ୍ତ ବ୍ୟବସ୍ଥା ଦ୍ବାରା ଦୁର୍ନୀତିକୁ ସଂପୂର୍ଣ୍ଣ ବନ୍ଦ କରାଯାଇପାରବନି। ବର˚ ଦୁର୍ନୀତିଗ୍ରସ୍ତ ଯେ ନିଶ୍ଚିତ ଭାବେ ଚିହ୍ନଟ ହେବେ ଏବ˚ ଦୁର୍ନୀତିଗ୍ରସ୍ତଙ୍କୁ ନିଶ୍ଚିତ ଭାବେ ଦଣ୍ତ ମିଳିବ; ଏ ପ୍ରକାର ଧାରଣା ସମସ୍ତ ରାଜନେତା ଓ ଅମଲାଙ୍କ ଭିତରେ ସୃଷ୍ଟି ହେବା ଦରକାର ଏବଂ ଏହା ହିଁ ହେବ ଦୁର୍ନୀତି ଦୂର କରିବାରେ ଏକ ସକ୍ଷମ ପ୍ରତିଷେଧମୂଳକ ବ୍ୟବସ୍ଥା। ଏଥି ଲାଗି ଅନିୟମିତତା ଉପରେ ନଜର ରଖିବା ପାଇଁ ଲୋକ ଆୟୁକ୍ତ ଦ୍ବାରା ବିକଶିତ ପ୍ରକ୍ରିୟା ଆରମ୍ଭ କରାଯିବା ଆବଶ୍ୟକ।
ସଂପ୍ରତି ଗୁପ୍ତ ରିପୋର୍ଟ ଉପରେ ଯେଉଁ ମନିଟରି˚ ବ୍ୟବସ୍ଥା ରହିଛି ତାହା ମୁଖ୍ୟତଃ ଯାଞ୍ଚ ଏବ˚ କାର୍ଯ୍ୟାନୁଷ୍ଠାନ ଉପରେ ନିର୍ଭରଶୀଳ। ତେବେ ଯାଞ୍ଚଗୁଡ଼ିକୁ ପାରଦର୍ଶୀ କରାଯିବା ମଧ୍ୟ ଜରୁରୀ। ତେଣୁ, ଅଡିଟ୍‌ କରାଯିବା ସମୟରେ କୌଣସି ପକ୍ଷପାତ କରା ନଯିବା ସର୍ବାଦୌ ସ୍ପୃହଣୀୟ। ସେଥି ଲାଗି ବୈଷୟିକ ଜ୍ଞାନକୌଶଳ ଏବ˚ କୃତ୍ରିମ ବୁଦ୍ଧିମତ୍ତା (Artificial Intelligence)ର ବ୍ୟବହାର କରାଯିବା ଦରକାର। କେବଳ ସେତିକି ନୁହେଁ; କ୍ରମାଗତ ଭାବେ ଅଡିଟ୍‌ କରାଯିବା ମଧ୍ୟ ଉଚିତ।

ଗୁପ୍ତ ସୂଚନାକାରୀଙ୍କୁ ପ୍ରୋତ୍ସାହନ ଦେବା ଏବ˚ ସେମାନଙ୍କ ସୁରକ୍ଷା କରିବା ମଧ୍ୟ ଦୁର୍ନୀତି ନିବାରଣ କାର୍ଯ୍ୟକୁ ଅଧିକ ବଳ ଯୋଗାଇବ। ଯଦିଓ ଏ ସଂଦର୍ଭ‌େର ‘ହ୍ବିସଲ ବ୍ଲୋୟର୍‌ ସୁରକ୍ଷା ଆଇନ ୨୦୧୪’ ପାରିତ ହୋଇଛି, ତଥାପି ଆଜି ପର୍ଯ୍ୟନ୍ତ ଏହା ଆଇନ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ଏହି ପରିପ୍ରେକ୍ଷୀରେ କୁହାଯାଇପାରେ କି ଯେଉଁମାନେ କ୍ଷମତାକୁ ଉପଭୋଗ କରି ଦୁର୍ନୀତିଗ୍ରସ୍ତ ହୋଇ ଟଙ୍କା ହଡ଼ପ ଆଦି କରନ୍ତି, ସେମାନେ ପରିବାରର କୌଣସି ସଦସ୍ୟଙ୍କୁ ସେମାନଙ୍କ ଢାଲ ସଦୃଶ ଏକ ପ୍ରକ୍‌ସି ରୂପେ ବ୍ୟବହାର କରନ୍ତି। ଏଭଳି ସ୍ଥଳେ ଆୟକର ବିଭାଗର ୧୯୮୮ ବେନାମୀ ସମ୍ପତ୍ତି କାରବାର ଅଧିନିୟମ ଅଧୀନରେ ଦଣ୍ତ ଦିଆଯିବା ଉଚିତ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଓଡ଼ିଶା ଲୋକ ଆୟୁକ୍ତ ଅନ୍ୟ ପଦକ୍ଷେପ ନେବା ସହିତ ସୂଚନାକାରୀଙ୍କ ପରିଚୟକୁ ଗୋପନୀୟ ରଖିବା ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବା ଅନିବାର୍ଯ୍ୟ। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଗୁପ୍ତ ସୂଚନା ପ୍ରଦାନକାରୀଙ୍କ ସୁରକ୍ଷାକୁ ନେଇ ଏକ ଭିନ୍ନ ରୂପ ପ୍ରଦାନ କରି ଦେଶ ଲାଗି ଉଚିତ ମାର୍ଗ ଦେଖାଇପାରିବ।
ଦୁର୍ନୀତିର ବିପୁଳ ଅର୍ଥନୈତିକ କ୍ଷତି ରହିଛି। ଜାତିସ˚ଘ (UN) ଆକଳନ ଅନୁଯାୟୀ ବିକାଶଶୀଳ ଦେଶଗୁଡ଼ିକ ଦୁର୍ନୀତି, ଲାଞ୍ଚ, ଚୋରି ଏବ˚ ଟିକସ ଫାଙ୍କିବା କାରଣରୁ ପ୍ରତି ବର୍ଷ ପ୍ରାୟ ୧.୨୬ ଟ୍ରିଲିୟନ ଡଲାର ହରାଇଥାନ୍ତି। ଏହା ବ୍ୟତୀତ ଯଦି ସରକାର ନିଜ ଅଧିକାରୀ ଏବ˚ ରାଜନୈତିକ ପଦାଧିକାରୀଙ୍କୁ ଭୁଲ କାମ ପାଇଁ ଉତ୍ତରଦାୟୀ ନ କରନ୍ତି, ତେବେ ସରକାର ସାଧାରଣ ନାଗରିକଙ୍କ ବିଶ୍ବାସଭାଜନ ହୋଇପାରନ୍ତି ନାହିଁ।

ସେଥିପାଇଁ ଲୋକଙ୍କ ମଧ୍ୟରେ ଅଧିକାରୀଙ୍କ ସମ୍ପତ୍ତି ବିଷୟରେ ତଥ୍ୟ ପ୍ରସାରଣ କରିବା‌, ସୂଚନା ପ୍ରଦାନକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଏବ˚ ଦୋଷୀଙ୍କ ଲାଗି ଦଣ୍ତର ନିଶ୍ଚିତ ବ୍ୟବସ୍ଥା କରିବା ଦ୍ବାରା ଏଭଳି ଏକ ପରିବେଶ ସୃଷ୍ଟି କରାଯାଇପାରିବ।
ଲେଖକ ରାଜ୍ୟସଭା ସା˚ସଦ ଏବ˚
ପୂର୍ବତନ ପିଏଜି, ଓଡ଼ିଶା

ସମ୍ବନ୍ଧିତ ଖବର