ସାମ୍ବାଦିକଙ୍କୁ ତୃଣମୂଳ କର୍ମୀଙ୍କ ଆକ୍ରମଣକୁ ଏଡିଟର୍ସ ଗିଲ୍ଡର ନିନ୍ଦା, ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ : ଗତ କାଲି ଶେଷ ହୋଇଥିବା ୫ମ ପର୍ଯ୍ୟାୟ ନିର୍ବାଚନରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଦେଖାଦେଇଥିଲା । ରାଜ୍ୟର ବାରାକପୋରଠାରେ ବିଜେପି ପ୍ରାର୍ଥୀ ଅର୍ଜୁନ ସିଂଙ୍କ କାରଙ୍କୁ ତୃଣମୂଳ କର୍ମୀମାନେ ଭଙ୍ଗାରୁଜ୍ଜା କରିଥିଲେ । ଆହୁରିମଧ୍ୟ ତୃଣମୂଳ କର୍ମୀମାନେ କେକେତ ଜାତୀୟ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ଏସବୁ ଗଣମାଧ୍ୟମ ମଧ୍ୟରେ ରହିଛନ୍ତି ନ୍ୟୁଜଏକ୍ସ, ଏବିପି ଆନନ୍ଦ ଓ ଜି ନ୍ୟୁଜ ଆଦି । ଭୋଟ ଗ୍ରହଣର ରିପୋର୍ଟିଂ କରୁଥିବାବେଳେ ସେମାନଙ୍କ ଉପରେ ତୃଣମୂଳ କର୍ମୀମାନେ ଆକ୍ରମଣ କରିଥିଲେ । ଏହି ଆକ୍ରମଣକୁ ବେଶ ଗୁରୁତର ସହ ନେଇଛି ଏଡିଟର ଗିଲଡ ଅଫ ଇଣ୍ଡିଆ ।

 

ତୃଣମୂଳର ଏହି ଗୁଣ୍ଡାମାନଙ୍କ ବିରୋଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗିଲ୍ଡ ନିର୍ବାଚନ ଆୟୋଗକୁ ପତ୍ର ଲେଖି ଦାବି କରିଛି । ନିଜ ପତ୍ରରେ ଗିଲ୍ଡ ଲେଖିଛି ଯେ  କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କୁ ଆକ୍ରମଣ ସବୁବେଳେ ନିନ୍ଦନୀୟ । କିନ୍ତୁ ନିର୍ବାଚନ ସମୟରେ ସାମ୍ବାଦିକମାନଙ୍କୁ ଆକ୍ରମଣର ଅର୍ଥ ହେଉଛି ଯେ ମୁକ୍ତ ଓ ଅବାଧ ନିର୍ବାଚନ ଆଗରେ ପ୍ରତିବନ୍ଧକ ସୃଷ୍ଟି କରିବା । ନିର୍ବାଚନ ସମୟରେ ସାମ୍ବାଦିକମାନେ ଯେପରି ନିଜର କର୍ତ୍ତବ୍ୟ ପାଳନ କରିପାରିବେ ସେଦିଗରେ ପଦକ୍ଷେପ ନେବାକୁ ଗିଲ୍ଡ ଆୟୋଗ ନିକଟରେ ଦାବି କରିଛି ।

ସମ୍ବନ୍ଧିତ ଖବର