ଭୁବନେଶ୍ବର: କାଇରୋରେ ଆୟୋଜିତ ଇଜିପ୍ଟ ପାରା ବ୍ୟାଡ୍ମିଣ୍ଟନ୍ ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଚମତ୍କାର ପ୍ରଦର୍ଶନ କରି ଏକାଧିକ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତାରେ ଓଡ଼ିଶାରୁ ୩ ଜଣ ଅଲିମ୍ପିଆନ୍ ପ୍ରମୋଦ ଭଗତଙ୍କ ସହ ପୂଜ୍ୟମ ମିଶ୍ର ଓ ନୁରୁଲ ହୁସେନ ଖାନ ପ୍ରତିଦ୍ବନ୍ଦ୍ବିତା କରି ପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି।
ପ୍ରମୋଦ ଏକାକୀ ୨ ସ୍ବର୍ଣ୍ଣ ଜିତି ଦ୍ବିମୁକଟ ହାସଲ କରିଥିଲା ବେଳେ ପୂଜ୍ୟମ ଓ ନୁରୁଲ ଗୋଟିଏ ଲେଖାଏଁ କାଂସ୍ୟ ପାଇଥିଲେ। ଏସ୍ଏଲ୍-୩ ପୁରୁଷ ଏକକ ଫାଇନାଲ୍ରେ ପ୍ରମୋଦ ୧୯-୨୧, ୨୧-୧୫, ୨୧-୧୩ରେ ନିଜ ଦେଶର ଉମେଶ ବିକ୍ରମ କୁମାରଙ୍କୁ ମାତ୍ ଦେଇଥିଲେ। ତେବେ ଏସ୍ଏଲ୍୩/ଏସ୍ଏଲ୍୪ ପୁରୁଷ ଯୁଗଳ ଫାଇନାଲ୍ରୁ ଉମେଶ ଓ ସୂର୍ଯ୍ୟକାନ୍ତ ଓହରି ଯିବାରୁ ପ୍ରମୋଦ ଓ ତାଙ୍କ ସାଥୀ ସୁକାନ୍ତ କଦମ ୱାକ୍ଓଭର ପାଇ ବିନା ପରିଶ୍ରମରେ ସ୍ବର୍ଣ୍ଣ ପଦକ ନିଶ୍ଚିତ କରିଥିଲେ।
ସେହିପରି ଏହି ବର୍ଗର ସେମିଫାଇନାଲ୍ରେ ପୂଜ୍ୟମ ଓ ତାଙ୍କ ସାଥୀ ମଣ୍ଟୁ କୁମାର ୨୧-୧୮, ୨୧-୧୫ରେ ଉମେଶ ଓ ସୂର୍ଯ୍ୟକାନ୍ତଙ୍କଠୁ ହାରି କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ଡବ୍ଲୁଏଚ୍୨ ପୁରୁଷ ଏକକରେ ନୁରୁଲ ୬-୨୧, ୯-୨୧ରେ ଇରାକ୍ର କରିମ ଅବୁଦ ଅଲ୍ମୀରଙ୍କଠୁ ହାରି କାଂସ୍ୟ ପଦକ ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/19/19bbs_30_19012026_112-2026-01-19-17-26-28.jpg)