ଯାଜପୁର: କ୍ରୀଷ୍ଣା ଜୁଏଲାରୀ ଚୋରି ଉଦ୍ୟମ ପଣ୍ଡ, ୮ ଅନ୍ତଃଜିଲ୍ଲା ଡକାୟତ୍‌ ଗିରଫ

ଯାଜପୁର: ସ୍ଥାନୀୟ କ୍ରୀଷ୍ଣା ଜୁଏଲାରୀରୁ ଏକ ବଡ ଧରଣର ଚୋରି ଉଦ୍ୟମକୁ ଟାଉନ ପୁଲିସ ପଣ୍ଡ କରିଛି। ଚୋରି ପୂର୍ବରୁ ପୁଲିସ ଡକାୟତମାନଙ୍କୁୁ କାବୁ କରି ଏକ ବଡ ସଫଳତା ପାଇଛି। ଏହି ଘଟଣାରେ ପୁଲିସ କଟକ ଜିଲ୍ଲାର ୮ ଜଣ ଅନ୍ତଃଜିଲ୍ଲା ଡାକୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ ଗୁରୁବାର ରାତିରେ ଯାଜପୁର ସହରର ଲାଖବିନ୍ଧା ପଡିଆ ଠାରେ କିଛି ଡକାୟତ ସହରର କ୍ରୀଷ୍ଣ ଜୁଏଲାରୀକୁ ଚୋରି କରିବାକୁ ଏକଜୁଟ ହୋଇଥିବା ବେଳେ ବିଶ୍ୱସ୍ତ ସୂତ୍ରରୁ ପୁଲିସକୁ ସୂଚନା ମିଳିଥିଲା। ଏହି ସମୟ ଭିତରେ ଯାଜପୁର ପୁଲିସ ଟିମ୍‌ ସେଠାରେ ପହଞ୍ଚି ଚାରି ପାଖରୁ ଡକାୟତମାନଙ୍କୁ ଘେରି ଯାଇଥିଲା। ଫଳରେ ଡାକୟତମାନେ ଖସି ଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଅଭିଯୁକ୍ତମାନେ କଟକ ଅଞ୍ଚଳର ନିଶ୍ଚିତକୋଇଲି ଥାନା ଅନ୍ତର୍ଗତ ମାରୁତୀ ବେହେରା, ରାଜ କିଶୋର ସାହୁ, କାହ୍ନା ଦାସ, ମିଲୁ କାଣ୍ଡି, ଗୁଣ୍ଠୁଣି ଦାସ, ସନିଆ ଦାସ, କମଳାକାନ୍ତ ଦାସ ଓ ନେମାଳ ଥାନା ଅଞ୍ଚଳର ସୁଧୀର କୁମାର ଭୋଇ।

ସେମାନଙ୍କ ବିରୁଦ୍ଧରେ ନିଶ୍ଚିତ କୋଇଲିଥାନାରେ ଗୋଟିଏ, ଅନୁଗୁଳ ଜିଲ୍ଲାର କିଶୋର ନଗର ଥାନାରେ ଦୁଇଟି, ଯାଜପୁର ଜିଲ୍ଲାର କୋରେଇ ଥାନାରେ ୩ଟି ଅଭିଯୋଗ ରହିଛି। ଏହି ଗ୍ୟାଙ୍ଗଟି ଯାଜପୁର ରୋଡ, କୋରେଇ, ବାଲିଚନ୍ଦ୍ରପୁର, ଛତିଆ ଅଞ୍ଚଳରେ ଚୋରି କରୁଥିଲେ। ଏଥି ସହିତ କଟକ ଜିଲ୍ଲାର ଅନେକ ଥାନାରେ ମଧ୍ୟ ତାଙ୍କ ନାମରେ ହତ୍ୟା, ଡକାୟତି ପରି ଅନେକ ଅଭିଯୋଗ ରହିଛି। ପୁଲିସ ଗୋଟିଏ କତା, ଗୋଟିଏ ଛୁରୀ, ଗୋଟିଏ ବଡ କତା, ତାଲାକଟା ଯନ୍ତ୍ର, ଅନ୍ୟ କିଛି ଉପକରଣ ସହିତ ଗୋଟିଏ ପ୍ୟାନକାର୍ଡ, ଗୋଟିଏ ଭୋଟପରିଚୟ ପତ୍ର, ଗୋଟିଏ ଆକ୍ସିସ୍‌ ବ୍ୟାଙ୍କର ଏଟିଏମ୍‌ ସହିତ ଗୋଟିଏ ବୋଲେରୋ ଗାଡି (ଓଆର୍‌-୦୨ ବିଡବ୍ଲୁ- ୬୭୮୬)କୁ ଜବତ କରାଯାଇଛି।

ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମଲ୍ଲ ଓ ଥାନାଧିକାରୀ ସୁଦିପ୍ତ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ଏସ୍‌.ଏସ୍‌ ଗୁରୁ, ପିଏନ୍‌ ସେଠୀ,ଏମ୍‌ ଆର ଚକ୍ର, କର୍ମଚାରୀ ହୃଦାନନ୍ଦ ସାହୁ,ଉମାକାନ୍ତ ରାଉତ, ସୋମନାଥ ନାୟକ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର