ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅସ୍ତ୍ରବିରତି ଘୋଷଣା କରିବାର ମାତ୍ର ୩ ଘଣ୍ଟାରୁ କମ୍ ସମୟ ମଧ୍ୟରେ ପାକ୍ ସେନା ଏହାର ଘୋର ଉଲ୍ଲଂଘନ କରିଥିଲା । ପାକିସ୍ତାନର ଏଭଳି ଆଭିମୁଖ୍ୟକୁ ଭାରତ କଡ଼ା ସମାଲୋଚନା କରିଥିଲା ଏବଂ ଅସ୍ତ୍ରବିରତି ବୁଝାମଣାର ଏଭଳି ଉଲ୍ଲଂଘନ ପାଇଁ ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ବିଦେଶ ସଚିବ ବିକ୍ରମ ମିସ୍ରି ଚେତାଇ ଦେଇଥିଲେ। ପାକିସ୍ତାନ ପଟୁ ଯେ କୌଣସି ଆକ୍ରମଣ ଓ ଉଲ୍ଲଂଘନର କଡ଼ା ଜବାବ ଦେବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପାକିସ୍ତାନ ପକ୍ଷରୁ ଜମ୍ମୁ-କାଶ୍ମୀର, ରାଜସ୍ଥାନ, ଗୁଜରାଟ ଓ ପଞ୍ଜାବର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ଡ୍ରୋନ୍ ଆକ୍ରମଣ ହୋଇଥିଲା। ପାକିସ୍ତାନ ଅନ୍ତର୍ଜାତୀୟ ସୀମା ଏବଂ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳିଗୋଳା ବର୍ଷା କରିଥିଲା, ଆଉ ଭାରତୀୟ ସେନା ଏହାର କଡା ଜବାବ ଦେଇଥିଲା। ଏହା ଉପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏବଂ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ କହିଥିଲେ, "ପାକିସ୍ତାନ କୁକୁରର ଲାଞ୍ଜ ପରି ବଙ୍କା। ଯଦି ସେମାନେ ତାଙ୍କ କାର୍ଯ୍ୟକଳାପ ବନ୍ଦ ନ କରନ୍ତି, ତେବେ ଦେଶପ୍ରେମୀ ନରେନ୍ଦ୍ର ମୋଦୀ ତାଙ୍କ ଲାଞ୍ଜ କାଟି ଦେବେ।"
ଏକନାଥ କହିଛନ୍ତି, "ପାକିସ୍ତାନର ଡିଜିଏମଓ ମଧ୍ୟ ଅସ୍ତ୍ରବିରତି ପଦକ୍ଷେପ ନେଇଥିଲେ। ସେ ଭାରତର ଡିଜିଏମଓଙ୍କ ସହ କଥା ହୋଇଥିଲେ। ଉଭୟ ଦେଶର ସମ୍ମତି ପରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହୋଇଥିଲା। ଭାରତ ସର୍ବଦା ନିଜର ପ୍ରତିଶ୍ରୁତି ପୂରଣ କରିଥାଏ କିନ୍ତୁ ପାକିସ୍ତାନ ବେଈମାନ । ଏହା ପୂର୍ବରୁ ମଧ୍ୟ ଏହା ଅନେକ ଥର ଅସ୍ତ୍ର ଚୁକ୍ତିନାମା ଉଲ୍ଲଂଘନ କରିଛି।" ଏକନାଥ ସିନ୍ଦେ ଆହୁରି କହିଛନ୍ତି, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ସୁଧାରିବାର ସୁଯୋଗ ଦେଇଥିଲେ, କିନ୍ତୁ ମୁଁ ଭାବୁନାହିଁ ଯେ ପାକିସ୍ତାନ ସୁଧୁରିବ ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, "ପାକିସ୍ତାନ ଜାଣେ ଯେ ଭାରତ ସହିତ ଲଢ଼ିବା ସହଜ ନୁହେଁ। ଯଦି ଆମେ ଭାରତ ସହିତ ଲଢ଼ିବୁ, ତେବେ ଆମେ ହାରିଯିବୁ ଏବଂ ଆମର ଚିହ୍ନ ହଜିଯିବ। କିନ୍ତୁ, ଯେପରି କୁକୁରର ଲାଞ୍ଜ କେବେ ସିଧା ହୋଇପାରେ ନାହିଁ, ଏହା ସର୍ବଦା ବଙ୍କା, ପାକିସ୍ତାନ ମଧ୍ୟ ସେହିପରି। ସେହି ଲାଞ୍ଜକୁ କାଟିବାକୁ ପଡିବ ଏବଂ ଯଦି ପାକିସ୍ତାନ ତା'ର ପଥ ନ ସୁଧାରେ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଞ୍ଜ କାଟିବାର କାମ କରିବେ। ଆମେ ବିଶ୍ୱାସଘାତକ ଏବଂ ବେଇମାନ ପାକିସ୍ତାନକୁ ଉଚିତ ଜବାବ ଦେବୁ।"