ନିର୍ବାଚନୀ ବଣ୍ଡ୍‌: ବିଜେପିକୁ ୨୧୦ କୋଟି, କଂଗ୍ରେସ ୫ କୋଟି

ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ଦ୍ବାରା ରାଜନୈତିକ ଦଳ ଗୁଡ଼ିକୁ ନିର୍ବାଚନୀ ପାଣ୍ଠି ଯୋଗାଣରେ ସ୍ବଚ୍ଛତା ଆଣିବା ଲାଗି ଆରମ୍ଭ କରାଯାଇଥିବା ନିର୍ବାଚନୀ ବଣ୍ଡ୍‌ରୁ ସର୍ବାଧିକ ଫାଇଦା ବିଜେପିକୁ ମିଳିଛି। ବିଜେପିକୁ ଏହି ବଣ୍ଡ୍ ମାଧ୍ୟମରେ ୨୧୦ କୋଟି ଟଙ୍କା ମିଳିଥିବା ବେଳେ କଂଗ୍ରେସକୁ ମାତ୍ର ୫ କୋଟି ଟଙ୍କା ମିଳିଛି। ଦେଶରେ ନିର୍ବାଚନୀ ବଣ୍ଡ୍‌କୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ମାଧ୍ୟମରେ ବିକ୍ରି କରାଯାଉଛି। ଏହି ବଣ୍ଡ୍‌ କ୍ରୟ କରି ବିଭିନ୍ନ ଲୋକ ଓ ପ୍ରତିଷ୍ଠାନ ଗୁଡ଼ିକ ‌ରାଜନୈତିକ ଦଳଗୁଡ଼ିକୁ ଚାନ୍ଦା ପ୍ରଦାନ କରୁଛନ୍ତି। ତେବେ ଏକ ଆରଟିଆଇ ଆବେଦନର ଉତ୍ତରରୁ ଜଣାଯାଇଛି ଯେ, ୨୦୧୮ ତୁଳନାରେ ୨୦୧୯ର ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଦେଶରେ ନିର୍ବାଚନୀ ବଣ୍ଡ୍ ବିକ୍ରିରେ ୬୨ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୮ରେ ୧୦୫୬ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ୍ ବିକ୍ରି ହୋଇଥିବାବେଳେ ଏବର୍ଷ ଏହି ରାଶି ୧୭୧୬ କୋଟି ଟଙ୍କାରେ ପହଞ୍ଚିଛି। ନିର୍ବାଚନୀ ପାଣ୍ଠି ଆଦି ପ୍ରସଙ୍ଗ ଉପରେ ଗବେଷଣା କରୁଥିବା ସଂସ୍ଥା ଏଡିଆର (ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ) ପକ୍ଷରୁ ଏ ନେଇ ଅଧିକ ବିଶ୍ଳେଷଣ କରାଯାଇଛି। ଏଡିଆର ଏହାର ବିଶ୍ଳେଷଣରେ କହିଛି, ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ଜାତୀୟ ଦଳ ଗୁଡ଼ିକ ଅଧିକ ଅର୍ଥ ଯୋଗାଡ଼ କରିପାରିଛନ୍ତି। ବିଜେପି ସର୍ବାଧିକ ଅର୍ଥ ପାଇଛି। ୨୦୧୭-୧୮ରେ ନିର୍ବାଚନୀ ବଣ୍ଡ୍‌ରେ ଆଦାୟ ହୋଇଥିବା ୨୧୫ କୋଟି ଟଙ୍କା ମଧ୍ୟରୁ ବିଜେପି ଏକାକୀ ୨୧୦ କୋଟି ଟଙ୍କା ପାଇଥିବାବେଳେ ବିରୋଧୀ କଂଗ୍ରେସ ୫ କୋଟି ଟଙ୍କା ପାଇଛି। ତେବେ ଆଞ୍ଚଳିକ ଦଳ ଗୁଡ଼ିକ ଏହି ବଣ୍ଡ୍ ମାଧ୍ୟମରେ ବିଶେଷ କିଛି ଲାଭବାନ ହୋଇପାରି ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ, ଜଣେ ବ୍ୟକ୍ତି ନିଜର ନାମ ଗୋପନ ରଖି ବ୍ୟାଙ୍କରୁ ୧ କୋଟି ଟଙ୍କା ପର୍ଯ୍ୟନ୍ତ ବଣ୍ଡ୍ କ୍ରୟ କରି ତାଙ୍କ ମନ ପସନ୍ଦର ରାଜନୈତିକ ଦଳକୁ ଦାନ ଦେଇପାରିବ। ଏ ବାଦରେ ପ୍ରଦାନ କରାଯାଉଥିବା ଅର୍ଥ ମଧ୍ୟ ଟିକସମୁକ୍ତ ରହିଛି। ଏଡିଆରର ପ୍ରତିଷ୍ଠାତା ତ୍ରିଲୋଚନା ଶାସ୍ତ୍ରୀ କହିଛନ୍ତି, କେବଳ କେତେକ ମୁଷ୍ଟିମେୟ ଧନୀ ବ୍ୟକ୍ତି ଓ କର୍ପୋରେଟ୍ ହାଉସ ପାଣ୍ଠି ଯୋଗାଉଛନ୍ତି କି। ଯଦି ଏହା ହେଉଥାଏ ତାହେଲେ ସରକାର ସାଧାରଣ ଲୋକଙ୍କ ହିତ ପରିବର୍ତ୍ତେ କେବଳ ସେହି ବର୍ଗର ଲୋକଙ୍କ ହିତ ପାଇଁ କାର୍ଯ୍ୟ କରିବେ। ଭାରତୀୟ ଗଣତନ୍ତ୍ର ପ୍ରତି ଏହା ଏକ ବଡ଼ ବିପଦ ବୋଲି ଶ୍ରୀ ଶାସ୍ତ୍ରୀ କହିଛନ୍ତି। ଏଡିଆର ପକ୍ଷରୁ ନିର୍ବାଚନୀ ବଣ୍ଡ୍ ବ୍ୟବସ୍ଥାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।

ରହିତାଦେଶ ଦେବାକୁ ମନାକଲେ ସୁପ୍ରିମକୋର୍ଟ, ପରବର୍ତ୍ତୀ ଶୁଣାଣି ୧୦ରେ

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ ମାମଲାରେ ଅନ୍ତରୀଣ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ଆଜି ମନା କରିଦେଇଛନ୍ତି। ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ରଂଜନ ଗୋଗୋଇ କହିଛନ୍ତି, ଏହାର ବିସ୍ତୃତ ଶୁଣାଣି ହେବାର ଆବଶ୍ୟକତା ରହିଛି। ତେଣୁ ମାମଲାର ଶୁଣାଣି ଆସନ୍ତା ୧୦ ତାରିଖରେ ହେବ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ସ୍ବେଚ୍ଛାସେବୀ ସଂଗଠନ ଏଡିଆର ପକ୍ଷରୁ ହୋଇଥିବା ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ପରିଚାଳନା କରୁଛନ୍ତି। ଏହା ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ବେନାମୀ ଭାବେ ରାଜନୈତିକ ଦଳଗୁଡ଼ିକୁ ଦିଆଯାଉଛି। ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, କେବଳ ଶାସକ ଦଳକୁ ୯୫ ପ୍ରତିଶତ ପାଣ୍ଠି ପ୍ରଦାନ କରାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ଯୁକ୍ତି ବାଢ଼ିଥିଲେ ଯେ, ନିର୍ବାଚନ ପାଣ୍ଠି ଯୋଗାଣରେ କଳାଟଙ୍କାକୁ ରୋକିବା ପାଇଁ ଏହି ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ୯୫ ପ୍ରତିଶତ ନିର୍ବାଚନୀ ବଣ୍ଡ ବାବଦ ଅର୍ଥ ଶାସକ ଦଳକୁ ଯାଉଛି ବୋଲି ଭୂଷଣ ଯାହା କହୁଛନ୍ତି ତାହା ରାଜନୈତିକ ଭାଷଣ ଭଳି ଲାଗୁଛି ବୋଲି ବେଣୁଗୋପାଳ ମତ ଦେଇଥିଲେ। ଏହାପରେ ଖଣ୍ଡପୀଠ ପରିବେଶକୁ ହାଲୁକା କରିବା ପାଇଁ ଏହା ନିର୍ବାଚନ ସମୟ, ଆସନ୍ତା ୧୦ ତାରିଖରେ ଏହି ମାମଲାର ଶୁଣାଣି ହେବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର