ନୂଆଦିଲ୍ଲୀ: ମାର୍ଚ୍ଚ ୧୦ ତାରିଖରୁ ସାଧାରଣ ନିର୍ବାଚନର ତାରିଖ ଘୋଷଣା ହେବା ସହିତ ତତ୍କାଳ ପ୍ରଭାବରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହା ସତ୍ତ୍ବେ ଦେଶର ବିଭିନ୍ନ ରାଜ୍ୟରୁ ଆଚରଣ ବିଧି ଉଲ୍ଲଂଘନର ୩୯୦ଟି ମାମଲା ବର୍ତ୍ତମାନ ସୁଦ୍ଧା ନିର୍ବାଚନ ଆୟୋଗଙ୍କ ଦ୍ବାରା ରୁଜୁ ହୋଇଥିବା ବେଳେ କିଛି ମାମଲାରେ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଛନ୍ତି। ରାଜନୈତିକ ଦଳର ନେତାମାନଙ୍କ ଦ୍ବାରା ଆଦର୍ଶ ଆଚରଣ ବିଧିର ଏକାଧିକ ମାମଲା ଲୋକଲୋଚନରେ ଆସିଥିବା ବେଳେ ସରକାରୀ ଅଧିକାରୀ ମାନେ ଆଚରଣ ବିଧିର ପାଳନକୁ ନେଇ ଅତ୍ୟନ୍ତ ସତର୍କତା ଅବଲମ୍ବନ କରୁଛନ୍ତି। ଗୋଟିଏ କଥା ସ୍ପଷ୍ଟ ହେଉଛି ସରକାରୀ ଅଧିକାରୀ କାହାକୁ ଡରନ୍ତୁ ବା ନଡରନ୍ତୁ ନିର୍ବାଚନ ଆୟୋଗଙ୍କ ସାମ୍ଭବ୍ୟ ଛାଟ ଭୟରେ ଆଦର୍ଶ ଆଚରଣ ବିଧିକୁ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ପ୍ରୟାସ କରୁଛନ୍ତି।
ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ଯୋଗୁଁ ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଆନ୍ଧ୍ରପ୍ରଦେଶ, ବିହାର, ତେଲେଙ୍ଗାନା ଓ ମହାରାଷ୍ଟ୍ର ଭଳି ରାଜ୍ୟମାନଙ୍କରେ ଥିବା ଶହ ଶହ ସଂଖ୍ୟାର ଆମ୍ବ ବଗିଚା ଗୁଡ଼ିକ ନିଲାମ ହୋଇ ପାରୁନଥିବାର ଜଣାପଡ଼ିଛି । ଏସବୁ ରାଜ୍ୟମାନଙ୍କରେ ରାଜ୍ୟ ସରକାରଙ୍କ ଉଦ୍ୟାନ ବିଭାଗ ଅଧିନରେ ଅନେକ ଆମ୍ବ ବଗିଚା ରହିଛି। ଆମ୍ବର ବଉଳ ଆସିବା ସହିତ ଏହି ବଗିଚା ଗୁଡ଼ିକର ନିଲାମି ପ୍ରକ୍ରିୟା ଆରମ୍ଭ ହୋଇଥାଏ। ବିଶେଷ ଭାବରେ ମାର୍ଚ୍ଚ ମାସର ଦ୍ବିତୀୟ ସପ୍ତାହରେ ରାଜ୍ୟ ସରକାର ମାନଙ୍କ ପକ୍ଷରୁ ରୁଟିନ୍ ଅନୁସାରେ ନିଲାମି ସମ୍ପର୍କିତ ଆବେଦନ ଆମନ୍ତ୍ରଣ କରାଯାଇଥାଏ। ନିଲାମି ପ୍ରକ୍ରିୟାରେ ଗୋଟିଏ ଋତୁ ପାଇଁ ଫଳ ବିକ୍ରେତା ଓ ଇଚ୍ଛୁକ ଲୋକ (ବ୍ୟବସାୟୀ) ମାନେ ଭାଗ ନେଇଥାନ୍ତି । ଏଥିରେ ସରକାରଙ୍କୁ ବିପୁଳ ପରିମାଣରେ ରାଜସ୍ବ ହାସଲ ହୋଇଥାଏ। ମିଳିଥିବା ସୂଚନା ଅନୁସାରେ ଆଦର୍ଶ ନିର୍ବାଚନ ଆଚରଣ ବିଧିର କଟକଣା ଥିବା ଯୋଗୁଁ ରାଜ୍ୟ ସରକାର ନିଲାମି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିପାରୁ ନାହାନ୍ତି। ନିଲାମି ବିଜ୍ଞାପନ ଯୋଗୁଁ ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ନେଇ ଅଭିଯୋଗର ଆଶଙ୍କା ଥିବା ଯୋଗୁ ସରକାରୀ ଅଧିକାରୀମାନେ ଦ୍ବନ୍ଦରେ ପଡ଼ିଯାଇଛନ୍ତି। ଅପରପକ୍ଷେ ମାର୍ଚ୍ଚ ମାସରୁ ବଉଳ ଧରିଥିବା ଗଛରେ ଆମ୍ଭ ଧରିସାରିଲାଣି । ଏମିତିରେ ନିର୍ବାଚନ ପ୍ରକ୍ରିୟା ଆସନ୍ତା ମାସ ଶେଷ ସୁଦ୍ଧା ସମ୍ପନ୍ନ ହେଉଥିବାରୁ ଆଉ କାଳ ବିଳମ୍ବ ନକରି ଆମ୍ବ ବହୁଳ ରାଜ୍ୟର ଅଧିକାରୀ ମାନେ ସେମାନଙ୍କ ରାଜ୍ୟମାନଙ୍କ ସମୁଦାୟ କେତୋଟି ବଗିଚାରେ ନିଲାମି ପ୍ରକ୍ରିୟା ରହିଛି ସେନେଇ ତଥ୍ୟ ଏକତ୍ରୀତ କରିବା ପ୍ରୟାସ ଆରମ୍ଭ କରିଛନ୍ତି। ବିଭିନ୍ନ ରାଜ୍ୟମାନଙ୍କୁ ପର୍ଯ୍ୟାୟ କ୍ରମେ ନିର୍ବାଚନ ଆୟୋଗଙ୍କ ନିକଟକୁ ସ୍ଥିତି ସମ୍ପର୍କରେ ଅବଗତ କରାଇ ଅନୁମତି ଲୋଡ଼ାଯିବା ନିଲାମ ପ୍ରକ୍ରିୟା ଆରମ୍ଭ କରିବା ପାଇଁ।
/sambad/media/post_attachments/wp-content/uploads/2019/04/Election-commission-300x173.jpg)
ମିଳିଥିବା ସୂଚନା ଅନୁସାରେ ମଧ୍ୟ ପ୍ରଦେଶ ସରକାରଙ୍କ ଦ୍ବାରା ସେମାନଙ୍କ ରାଜ୍ୟରେ ଥିବା କିଛି ଆମ୍ବ ବଗିଚା ଗୁଡ଼ିକର ନିଲାମି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ନିକଟରେ ଆବେଦନ କରାଯାଇଥିଲା। ନିର୍ବାଚନ ଆୟୋଗଙ୍କ ଦ୍ବାରା ନିଲାମି ପ୍ରକ୍ରିୟା ଆରମ୍ଭ କରିବା ଅନୁମତି ଦିଆଯାଇଥିବା ଜଣାପଡ଼ିଛି। ଖୁବ୍ ଶୀଘ୍ର ମଧ୍ୟ ପ୍ରଦେଶ ସରକାର ନିଲାମି ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଯୋଜନା କରୁଥିବା ବେଳେ ଦୁଇଦିନ ତଳେ ଝଡ଼ ତୋଫାନରେ ଅନେକ ଆମ୍ବ ବଗିଚାର କ୍ଷତିଗସ୍ତ ହୋଇଛି । ଏହାସତ୍ତ୍ବେ ନିଲାମି ପ୍ରକ୍ରିୟା ଆରମ୍ଭ କରାଯିବ। କେବଳ ଆମ୍ବ ନୁହେଁ ଉତ୍ତର ପ୍ରଦେଶ ଓ ବିହାର ର ଲିଜୁ ବଗିଚାର ମଧ୍ୟ ଅନରୂପ ସ୍ଥିତି ରହିଛି। ଏଠାରେ ଉଦ୍ୟାନ ବିଭାଗ ଦ୍ବାରା ପରିଚାଳିତ ଲିଚୁ ବଗିଚାରେ ନିଲାମି ପ୍ରକ୍ରିୟା ଆଦର୍ଶ ନିର୍ବାଚନ ଆଚରଣ ବିଧି ଯୋଗୁଁ ଆରମ୍ଭ ହୋଇ ପାରିନାହିଁ। ଖୁବ୍ ଶୀଘ୍ର ଏସବୁ ରାଜ୍ୟମାନଙ୍କ ଦ୍ବାରା ନିର୍ବାଚନ ଆୟୋଗଙ୍କ ନିକଟରେ ନିଲାମି ପ୍ରକ୍ରିୟାର ଅନୁମତି ଦେବାର ଆବେଦନ କରାଯିବାର ସମ୍ଭାବନା ଥିବା ବେଳେ ଚଳିତ ନିର୍ବାଚନ ଋତୁରେ ଆମ୍ବ ଓ ଲିଚୁର ମଜା ଉଠାଇବା ପାଇଁ ଲୋକମାନଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ।