‘ଆମେ ଚଳାଇବୁ ଦେଶ ଆମରି, ଆମରି ନାଆର ଆମେ ନାଉରି।’ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ମୂଳମନ୍ତ୍ର ହେଲା ସାଧାରଣ ଜନତା ହିଁ ନିଜର ପ୍ରତିନିଧି ବାଛି ସେମାନଙ୍କ ମାଧ୍ୟମରେ ଶାସନ ପରିଚାଳନା କରିବେ। କିନ୍ତୁ ଦୀର୍ଘ ଦିନ ଧରି ରାଜାରାଜୁଡ଼ା ଓ ଜମିଦାରମାନଙ୍କ ଅଧୀନରେ ରହିଆସିଥିବା ଆମ ରାଜ୍ୟର ସାଧାରଣ ଜନତାଙ୍କୁ ଏ କଥାଟିର ମହତ୍ତ୍ଵ ବୁଝିବା ପାଇଁ ବେଶ୍ ସମୟ ଲାଗିଥିଲା। ରାଜ୍ୟର ପ୍ରଥମ କେତୋଟି ନିର୍ବାଚନରେ ବିଭିନ୍ନ ଗଡ଼ଜାତ ଅଞ୍ଚଳରୁ ରାଜା ଓ ଜମିଦାରମାନେ ସହଜରେ ନିର୍ବାଚନ ଜିଣିଥିବା ସମୟରେ, ଯେଉଁ ଗଡ଼ଜାତ ଅଞ୍ଚଳରେ ରାଜାଙ୍କ ମନୋମୁଖୀ ଶାସନ, ଅତ୍ୟାଚାର ଓ ଶୋଷଣ ବିରୁଦ୍ଧରେ ପ୍ରଜାମଣ୍ଡଳ ଆନ୍ଦୋଳନ ତେଜି ଉଠିଥିଲା ସେଠାରେ ପରିସ୍ଥିତି ହେଲା ଅଲଗା। ବିଶେଷ କରି ରାଜ ଅତ୍ୟାଚାରରେ ବହୁତ ଦିନରୁ ତ୍ରସ୍ତ ଓ ପୀଡ଼ିତ ଥିବା ଢେଙ୍କାନାଳ ଅନୁଗୁଳ ଅଞ୍ଚଳର ଲୋକେ ପବିତ୍ରମୋହନ ପ୍ରଧାନଙ୍କ ପରି ଜଣେ ଲଢ଼ୁଆ ନେତାଙ୍କୁ ପାଇବା ପରେ ନିର୍ବାଚନ ମାଧ୍ୟମରେ ନିଜର ରୋଷ ବ୍ୟକ୍ତ କରିବା ପାଇଁ ସାହସ କଲେ। ୧୯୬୧ ମସିହା ବିଧାନସଭା ନିର୍ବାଚନରେ ପବିତ୍ରମୋହନ ପ୍ରଧାନ ଏକ ସଂଗେ ତାଳଚେର ଏବଂ ପାଲଲହଡ଼ା ନିର୍ବାଚନ ମଣ୍ଡଳୀରୁ ଲଢ଼ି ଦୁଇ ଦୁଇଜଣ ପୂର୍ବତନ ରାଜାଙ୍କୁ ଧରାଶାୟୀ କଲେ।
ତାଳଚେର ଅଞ୍ଚଳର ପୋଇପାଳ ଗାଁରେ ୧୯୦୮ ମସିହା ଫେବ୍ରୁଆରି ୮ ତାରିଖରେ ଜନ୍ମିତ ପବିତ୍ରମୋହନ ପ୍ରଧାନ ଅତି ଛୋଟ ବୟସରୁ ପିତା ଭରତ ପ୍ରଧାନ ଓ ମାତା ଶାନ୍ତି ଦେବୀଙ୍କୁ ହରାଇଥିଲେ। ବହୁ ଦୁଃଖ କଷ୍ଟ ମଧ୍ୟରେ ବଢ଼ି ଜନସେବାରେ ନିଜକୁ ସମର୍ପିତ କରିଥିବା ଏହି ନେତା ଗଡ଼ଜାତ ରାଜାମାନଙ୍କର ଶୋଷଣ ଓ ଅତ୍ୟାଚାରକୁ ବିରୋଧ କରି ଗଢ଼ିଉଠିଥିବା ପ୍ରଜା ଆନ୍ଦୋଳନର ନେତୃତ୍ଵ ନେଲେଏବଂ ୧୯୩୮ ମସିହାରେ ମାତ୍ର ୩୦ ବର୍ଷ ବୟସରେ ପ୍ରଜାମଣ୍ଡଳ ଆନ୍ଦୋଳନର ସଭାପତି ହେଲେ। ରାଜବିରୋଧୀ କାର୍ଯ୍ୟକଳାପ ଓ ସ୍ୱାଧୀନତା ଆନ୍ଦୋଳନରେ ଅଂଶଗ୍ରହଣ କରି ବାରମ୍ବାର କାରାବରଣ କରିଥିବା ପବିତ୍ରମୋହନ ହେଲେ ଏହି ଅଞ୍ଚଳର ମୁକ୍ତିକାମୀ ଜନସାଧାରଣଙ୍କର ଆଶା ଓ ଭରସାର କେନ୍ଦ୍ରବିନ୍ଦୁ।
ସ୍ୱାଧୀନତା ପୂର୍ବରୁ ୧୯୩୭ ଓ ୧୯୪୬ରେ ଓଡ଼ିଶାରେ ଅନୁଷ୍ଠିତ ହୋଇଥିବା ଦୁଇଟି ନିର୍ବାଚନରେ ଗଡ଼ଜାତ ଅଞ୍ଚଳଗୁଡ଼ିକ ସାମିଲ ନଥିବାରୁ ପବିତ୍ରବାବୁ ସେଥିରେ ଅଂଶଗ୍ରହଣ କରିନଥିଲେ। ମାତ୍ର ଗଡ଼ଜାତ ମିଶ୍ରଣ ପରେ ଅନୁଷ୍ଠିତ ହୋଇଥିବା ୧୯୫୨ ଓ ୧୯୫୭ ସାଧାରଣ ନିର୍ବାଚନରେ ସେ ତାଳଚେର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ରୂପେ ବିଜୟୀ ହୋଇଥିଲେ। ତେବେ ୧୯୬୧ର ବିଧାନସଭା ନିର୍ବାଚନରେ ସେ ଏଭଳି କିଛି କରି ଦେଖାଇଲେ ଯାହା ସାରା ରାଜ୍ୟର ଦୃଷ୍ଟି ଆକର୍ଷଣ କଲା। ଏକାଠି ପାଲଲହଡ଼ା ଓ ତାଳଚେର ଦୁଇଟି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ସେ ଉଭୟ ଆସନରେ ଦୁଇଜଣ ପୂର୍ବତନ ରାଜାଙ୍କୁ ବହୁ ଭୋଟରେ ପରାସ୍ତ କଲେ। ସେମାନେ ହେଲେ ପାଲଲହଡ଼ା ଆସନରୁ ରାଜା ମହୀନ୍ଦ୍ର ବାହାଦୂର ପ୍ରତାପ ସିଂହଦେଓ ଏବଂ ତାଳଚେର ଆସନରୁ ଆହ୍ଲାଦଚନ୍ଦ୍ର ଦେବ ରାଉତରାୟ।
ନିଜର ଆତ୍ମଜୀବନୀ ପୁସ୍ତକ ‘ମୁକ୍ତି ପଥେ ସୈନିକ’ରେ ପବିତ୍ର ବାବୁ ଲେଖିଛନ୍ତି- ‘‘କେନ୍ଦ୍ର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ମତେ ଦୁଇଟି ନିର୍ବାଚନ ମଣ୍ଡଳୀରେ (ତାଳଚେର ଓ ପାଲଲହଡ଼ା-ପରଜଙ୍ଗ) ଦୁଇଜଣ ରାଜାଙ୍କ ବିରୋଧରେ ଠିଆ ହେବାକୁ ପଡ଼ିଥିଲା। ମୁଁ ଉଭୟ ରାଜାଙ୍କୁ ହରାଇ ଜୟଯୁକ୍ତ ହୋଇଥିଲି। ଦୁଇଟି ନିର୍ବାଚନ ମଣ୍ଡଳୀରୁ ଏକସଂଗେ ଦୁଇଜଣ ରାଜାଙ୍କୁ (ତାଳଚେର ଓ ଢେଙ୍କାନାଳ ରାଜା) ହରାଇ ଆସିଥିବାରୁ ମୋତେ ନିର୍ବାଚନ ବୀର ଆଖ୍ୟା ଦିଆଗଲା।’’
ପ୍ରକୃତରେ ତାହା ହିଁ ଥିଲା ଗଣତନ୍ତ୍ରର ବିଜୟ। ରାଜତନ୍ତ୍ର ତଳେ ଦବି ରହିବାର ମାନସିକତାକୁ ପରିହାର କରି ସାଧାରଣ ଜନତା ନିଜ ହାତରେ ନିଜ ଶାସନ ଡୋରି ନେବାର ଏକ ବଳିଷ୍ଠ ପଦକ୍ଷେପ।