ବୈଶିଙ୍ଗା: ଗତ ଗୁରୁବାର ଚାଷୀଙ୍କ ଦ୍ୱାରା ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈହାତୀ ମୃତ୍ୟୁ ଘଟିଥିବାବେଳେ ମୃତ୍ୟୁ ପରେ ହିଂସ୍ର ହେଉଛନ୍ତି ସାଥି ହାତୀପଲ l ରବିବାର ରାତିରେ ବେତନଟୀ ରେଞ୍ଜ ଅଧୀନ କୁରାଢ଼ିକ ଗ୍ରାମର କନ୍ଦା ଟୁଡୁଙ୍କ ଘରେ ପଶି ଭାଙ୍ଗିଛନ୍ତି ଘର, ଖାଇଯାଇଛନ୍ତି ଗରିବ ଚାଷୀ କନ୍ଦାଙ୍କ ଗଛିତ ଧାନ ଚାଉଳ l ଅଳ୍ପକେ ଘରୁ ବାହାରି ଯାଇ ଜୀବନ ବଞ୍ଚାଇଲେ କନ୍ଦା ଓ ତାଙ୍କ ଝିଅ l

Advertisment

ସୂଚନା ଅନୁଯାଇ ବିଦ୍ୟୁତ ଆଘାତରେ ମାଈ ହାତୀର ମୃତ ପରେ ସାଥିରେ ଥିବା ପଲରେ ଆଉ ୧୦ହାତୀ ପ୍ରତିଶୋଧ ପରାୟଣ ଓ ହିଂସ୍ର ହୋଇପଡିଛନ୍ତି l ପ୍ରତିଦିନ ଆସି ସନ୍ଧ୍ୟାରେ ଉକ୍ତ ହାତୀପଲ ପୋତା ଯାଇଥିବା ମାଈ ହାତୀର ମୃତ ଶରୀର ନିକଟରେ ପହଞ୍ଚି ଭୟଙ୍କର ଗର୍ଜନ କରୁଥିବାବେଳେ ଗତକାଲି ବିଳମ୍ବିତ ରାତିରେ ୮ଟି ହାତୀ ହଠାତ କୁରାଢ଼ିକ ଗ୍ରାମରେ ପଶି ଉତ୍ପାତ ଆରମ୍ଭ କରିଥିଲେ l ପରେ ଏକତ୍ରିତ ହୋଇ ଗ୍ରାମର କନ୍ଦା ଟୁଡୁ ଘରକୁ ଘେରି ଯାଇଥିଲେ l ହେଲେ ଭାଗ୍ୟକୁ କନ୍ଦା ଓ ତା ଝିଅ ହାତୀ ଗର୍ଜନ ଶୁଣି ଭୟଭୀତ ହୋଇ ଘରୁ ବାହାରି ପଳେଇଯାଇ ଅଳ୍ପକେ ନିଜ ଜୀବନ ବଞ୍ଚାଇ ପାରିଥିଲେ l 

ହେଲେ ହାତୀପଲ କନ୍ଦାର ଆବାସ ଯୋଜନାରେ ନିର୍ମିତ ଗୃହର କବାଟ ଭାଙ୍ଗି ୪ଟି ହାତୀ ଘର ଭିତରକୁ ପଶି ଯାଇଥିଲେ l ପରେ ଘରର ଆସବାପତ୍ର ସବୁକୁ ଛିନଭିନ କରିବା ସହିତ ଘରେ କନ୍ଦା ପରିବାର ପାଇଁ ଗଛିତ ବର୍ଷକର ୩କ୍ୱିଣ୍ଟାଲ ଧାନ, ୧କ୍ୱିଣ୍ଟାଲ ଚାଉଳ ଖାଇଯାଇଥିଲେ l ପରେ ଗାଁ ଦାଣ୍ଡରେ ହାତୀପଲ ରାତି ତମାମ ଉତ୍ପାତ ଜାରି ରଖିଥିଲେ, ଯେଉଁଥିପାଇଁ ଜଙ୍ଗଲ ପାଖ ଜାମଶୂଳି, ଫାଳଝରି, ଚାଁଛିପଦା ଓ କୁରାଢ଼ିକ ପ୍ରଭୁତି ଗ୍ରାମର ଶତାଧିକ ଗ୍ରାମବାସୀ ଭୟରେ ଥରୁଥିଲେ l ତାଟି କବାଟ କିଳି ସବୁ ଘରେ ଲୁଚି ରହିଥିଲେ l ତେବେ ଖବର ପାଇ ସ୍ଥାନୀୟ ଗଜସାଥୀମାନେ ଘଟଣା ସ୍ଥଳରେ ପହଁଛି ହାତୀ ଘଉଡାଇବାରୁ ଗ୍ରାମବାସୀ ଆଶ୍ବସ୍ତି ଲାଭ କରିଥିଲେ l