କୁଲଡ଼ିହା ଅଭୟାରଣ୍ୟରୁ ମାଈ ହାତୀର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ନୀଳଗିରି: କୁଲଡ଼ିହା ଅଭୟାରଣ୍ୟରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଥିବା ଜଣାଯାଇଛି। ଆଜି ବନ ବିଭାଗର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ସମୟରେ ମାଈ ହାତୀ ମୃତ ଭାବେ ପଡ଼ିଥିବା ଦେଖିବାକୁ ପାଇଥିଲେ। ହାତୀ ମୃତ୍ୟୁର କାରଣ ଯଦିଓ ଜଣାପଡ଼ି ନାହିଁ, ତଥାପି ଏହା ଶିକାରୀମାନଙ୍କ କାଣ୍ଡ ବୋଲି ଅନୁମାନ କରାଯାଉଛି।

ସୂଚନା ଅନୁସାରେ ବନ ବିଭାଗର କର୍ମଚାରୀମାନେ ଆଜି ମୃତ ମାଈ ହାତୀକୁ ଦେଖି ରେଞ୍ଜର ଓ ଡିଏଫ୍‌ଓଙ୍କୁ ସୂଚନା ଦେଇଥିଲେ। ବିଭାଗୀୟ କର୍ମଚାରୀମାନଙ୍କ ଠାରୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଥିଲେ ଏ.ସି.ଏଫ. ସମୀର ସାହୁ, ଡି.ଏଫ୍‌.ଓ ବିଶ୍ୱରାଜ ପଣ୍ଡା, କୁଲଡ଼ିହା ରେଞ୍ଜର ବିଜୟ ମହାପାତ୍ର, କୁଲଡିଆ ବନପାଳ ନରେଶ ସିଂଙ୍କ ସମେତ ପଶୁଡାକ୍ତର।

ବନ ବିଭାଗର ସୂଚନା ଅନୁସାରେ ୩/୪ ଦିନ ପୂର୍ବରୁ ମାଈ ହାତୀର ମୃତ୍ୟୁ ଘଟିଥିଲା। ହାତୀର ବୟସ ପ୍ରାୟ ୫ ବର୍ଷ ହେବ ବୋଲି ଡି.ଏଫ୍‌.ଓ ସୂଚନା ଦେଇଛନ୍ତି। ତେବେ ମାଈ ହାତୀ ଏକ ଦନ୍ତା ହାତୀ ସହ ଲଢ଼େଇ କରି ମରିଯାଇଥିବାର ଅନୁମାନ କରାଯାଉଛି ବୋଲି ସେ କହିଛନ୍ତି। ଶବ ବ୍ୟବଚ୍ଛେଦ ପରେ ହାତୀକୁ ପୋତି ଦିଆଯାଇଛି।

ତେବେ ମାଈ ହାତୀର ମୃତ୍ୟୁକୁ ନେଇ ଲୋକେ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଇଛନ୍ତି। କିଛି ଲୋକ କହୁଛନ୍ତି, ଯେଉଁ ସ୍ଥାନରେ ହାତୀର ମୃତ୍ୟୁ ଘଟିଛି, ସେହି ରାସ୍ତା ଦେଇ ବନ ବିଭାଗର କର୍ମଚାରୀମାନେ ପ୍ରତିଦିନ ପାଟ୍ରୋଲିଂ କରୁଥିଲେ ମଧ୍ୟ ଏହାକୁ ପୂର୍ବରୁ କେମିତି ଜାଣି ପାରିଲେ ନାହିଁ। ହାତୀ ଲଢ଼େଇ କରି ମରିଛି ନାଁ ଆଉ କୌଣସି କାରଣରୁ ତାର ମୃତ୍ୟୁ ହୋଇଛି, ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର