ଗାଧୋଇବାକୁ ଯାଇଥିବା ବେଳେ ବୃଦ୍ଧାଙ୍କୁ କଚାଡ଼ି ମାରିଲା ଦନ୍ତା

ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ପର୍ଜଙ୍ଗ ଥାନା ବାରିହାପୁର ପଞ୍ଚାୟତ ଚକ୍ରଧରପୁର ସାହିର ବୃଦ୍ଧାଙ୍କୁ ସକାଳ ପ୍ରାୟ ୯ଟା ବେଳେ ଦନ୍ତା କଚାଡ଼ି ମାରିଦେଇଥିବାର ଖବର ମିଳିଛି। ଖବର ନେବାରେ ଜଣାପଡ଼ିଛି ଏହି ସାହିର ପବିତ୍ର ମାଝୀଙ୍କ ପତ୍ନୀ ଅଘୋରି ମାଝୀ (୬୦) ଆଜି ସକାଳେ ଉଭୟ ପତିପତ୍ନୀ ଘର ଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିବା ପଥର କୁଆଁରୀ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପତ୍ନୀ ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡିଯାଇଥିଲେ।

ଦନ୍ତାର ଗର୍ଜନ ଶୁଣି ସ୍ୱାମୀ ପବିତ୍ର ଜୀବନ ବଞ୍ଚାଇ ପଳାଇ ଆସିଥିଲେ। ସାହି ଲୋକଙ୍କୁ ଡ଼ାକି ବନ ବିଭାଗକୁ ଖବର ଦେଇଥିଲେ। ବୃଦ୍ଧାଙ୍କୁ ଅତି କଦର୍ଯ୍ୟ ଭାବେ ଦଳି ଦେଇଛି ହାତୀ। ସ୍ଥାନୀୟ ସାହିରେ ଉତ୍ତେଜନା ଦେଖାଯାଇଥିଲା। ଲୋକେ ଅଭିଯୋଗ କରିଥିଲେ କି ବନ ବିଭାଗ କର୍ମଚାରୀଙ୍କ ପେଟ୍ରୋଲିଂ ହେଉନାହିଁ। ସାହି ପାଖରେ ପୋଖରୀ ନାହିଁ, ଯେଉଁ ପୋଖରୀ ଅଛି କ୍ରସର ଗୁଣ୍ଡ ପଡ଼ି ଦୂଷିତ ହେଉଛି l ସାହି ବାସିନ୍ଦା ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି କି ତାଙ୍କ ସାହିରେ ପ୍ରାଥମିକ ସ୍କୁଲ ରହିଥିଲା, ସେ ସ୍କୁଲକୁ ବନ୍ଦ କରିଦେଇଛନ୍ତି। ଏହି ଜଙ୍ଗଲ ରାସ୍ତାରେ ପ୍ରାୟ ଦୁଇ କିଲୋମିଟର ପାଠପଢିବା ପାଇଁ ଯାଉଛନ୍ତି l ଘଟଣା ସ୍ଥଳରେ ମହାବିରୋଡ ରେଞ୍ଜର ହିମାଂଶୁ ପୃଷ୍ଟି, ଜିଲ୍ଲା ପରିଷଦ ସଭ୍ୟ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ l ବନ ବିଭାଗ ପକ୍ଷରୁ ବୃଦ୍ଧlଙ୍କ ଶବ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ସମ୍ବନ୍ଧିତ ଖବର