ଘୁ.ଉଦୟଗିରି: ସାରା ରାତି ଶୁଆଇ ଦେଉନି ହାତୀ | ହାତୀ ଭୟରେ ରାତି ଉଜାଗର ଅଞ୍ଚଳବାସୀ।ଦୀର୍ଘ ଦିନ ହେଲା ହାତୀପଲଙ୍କ ଚାଲିଛି ଉତ୍ପାତ। ସଞ୍ଜ ନଇଁଲେ ହାତୀ ଭୟରେ କଳିଙ୍ଗା ପଞ୍ଚାୟତବାସୀଙ୍କ ଆଖିରେ ନିଦ ନାହିଁ।ହାତୀପଲଙ୍କ ଗର୍ଜନରେ କମ୍ପୁଛି ସାରା ଅଞ୍ଚଳ। ଜଙ୍ଗଲ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କିଛି ଦିନ ହେଲା ହାତୀ ଭୟ ଯୋଗୁଁ ସ୍ଥାନୀୟ ଅଧିବାସୀଙ୍କ ଜୀବନ ଜୀବିକା ପ୍ରଭାବିତ ହେବାରେ ଲାଗିଛି। ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତର ଦୁଗୁଡିପାରି, କୁରୁମିଙ୍ଗିଆ, ରେଟୁଡି, ସୁଯେଲି, ରାଇପଦା ଅଞ୍ଚଳରେ ହାତୀପଲ ବ୍ୟାପକ କ୍ଷୟକ୍ଷତି କରିଚାଲିଛି।
ଆମ୍ବ ବଗିଚା, କଦଳୀ ବଗିଚା ,ବାଉଁଶ ଗଛ ସବୁ ନଷ୍ଟ କରିସାରିଲେଣି | ଅନ୍ୟପଟେ ଖରାଦିନିଆ ଧାନ ଚାଷ ହୋଇଥିବା ଜମିରେ ପଶି ସମସ୍ତ ଫସଲ ଧ୍ୱଂସ କରିସାରିଲାଣି। ଏହାପରେ ଜନବସତି ମୁଁହା ହାତୀ ପଲ ଘର ଦ୍ୱାର ଭାଙ୍ଗିବା ସହ ଘରର ଆସବାସପତ୍ର ନଷ୍ଟ କରିବାରେ ଲାଗିଛି। ଜନବସତିରୁ ଏବେ ରାସ୍ତା ଉପରକୁ ଚାଲିଆସିଲାଣି।କଳିଙ୍ଗା ଘୁ.ଉଦୟଗିରି ରାଜ୍ୟ ରାଜପଥରେ ହାତୀପଲଙ୍କ ରାଜୁତି ଚାଲିଥିବା ଦୃଶ୍ୟ ଦେଖିବାକୁ ମିଳିଛି।
ହାତୀ ଭୟରେ କଳିଙ୍ଗା ଘୁ.ଉଦୟଗିରି ରାଜ୍ୟରାଜପଥରେ ଯାତାୟତ କରିବାକୁ ଗାଡି ଚାଳକମାନେ ଅସୁରକ୍ଷିତ ମନେ କରୁଛନ୍ତି।ବନବିଭାଗ ହାତୀପଲଙ୍କ ଗତିବିଧି ଉପରେ ତୀକ୍ଷଣ ନଜର ରଖିଥିବାବେଳେ ହାତୀଙ୍କୁ ଘଉଡେଇବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ରେ ସମସ୍ତ କର୍ମଚାରୀ ଲାଗିପଡିଛନ୍ତି। ବନବିଭାଗ ପକ୍ଷରୁ ପ୍ରାପ୍ତ ସୁଚନାନୁସାର ହାତୀ ପଲରେ ୨୫ଗୋଟି ହାତୀ ରହିଥିବା ବେଳେ ସେଥିରେ ୫ଗୋଟି ଦନ୍ତା, ୮ଗୋଟି ପିଲା ହାତୀ ଏବଂ ୧୨ଗୋଟି ମାଈ ହାତୀ ଅଛନ୍ତି।୫ଟି ଦନ୍ତା ହାତୀ ଏହି ସମସ୍ତଙ୍କ ନେତୃତ୍ୱ ନେଉଥିବା ଦେଖିବାକୁ ମିଳିଛି। ଦିନରେ ଜଙ୍ଗଲରେ ସଞ୍ଜ ନଇଁଲେ ଜନବସତି ଏବଂ ରାସ୍ତା ମୁଁହା ହେଉଛନ୍ତି ହାତୀପଲ।ଏହି କାରଣରୁ ଲୋକଙ୍କ ମନରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହେବାରେ ଲାଗିଛି।