ବୈଶିଙ୍ଗା: ଶନିବାର ବିଳମ୍ବିତ ରାତିରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନସ୍ଥ ବଡାମପୁର ସେକ୍ସନ ଅଞ୍ଚଳରେ ୧୩ଟି ହାତୀ ପଶି ଲୋକଙ୍କ ଘର ଭାଙ୍ଗିବା ସହ ବହୁ କ୍ଷୟକ୍ଷତି କରିଛନ୍ତିl ମୁଖ୍ୟତଃ ଉକ୍ତ ସେକ୍ସନ ଅଧୀନ କୁରାଢ଼ିକ ଗ୍ରାମର ମକରା ହାଁସଦାଙ୍କ ଘର ଭାଙ୍ଗି ଗଛିତ ଧାନ ଚାଉଳ ଖାଇଯାଇଛନ୍ତି l 

Advertisment

ସୂଚନା ଅନୁଯାୟୀ, ବିଗତ କିଛିଦିନ ହେବ ବଡାମପୁର ସେକ୍ସନ ଅଞ୍ଚଳରେ ୪ଟି ହାତୀ ରହି ଉତ୍ପାତ କରୁଥିଲେl ହେଲେ ଗତକାଲି ରାତିରେ ଅଚାନକ ପୁଣି ଆଉ ୯ଟିକିଆ ହାତୀପଲ ଗ୍ରାମ ପାର୍ଶ୍ୱ ଜଙ୍ଗଲକୁ ପଶି ଆସିଥିଲେ ଏବଂ ଏକତ୍ରିତ ହୋଇ ୯ ହାତୀ ଶନିବାର ବିଳମ୍ବିତ ରାତିରେ ଅଚାନକ ଗାଁ ଭିତରକୁ ପଶି ଆସି ଆତଙ୍କ ସୃଷ୍ଟି କରିଥିଲେl ପରେ ମକରା ତା ସ୍ତ୍ରୀ କୁନି ଓ ସାନ ଝିଅ ସହିତ ଘରେ ଶୋଇଥିବା ସମୟରେ ହଟାତ ହାତୀପଲ ଘରକୁ ପଶି ଆସିବାରୁ ପରିବାର ସଦସ୍ୟ ଭୟଭୀତ ହୋଇ ଯାଇଥିଲେl ଜୀବନ ବଞ୍ଚେଇ ମକରା ଓ ପରିବାର ଲୋକ ଘର ବାହାରକୁ ପଳେଇ ଯାଇଥିବାବେଳେ ସମସ୍ତେ ଅଳ୍ପକେ ରକ୍ଷା ପାଇ ଯାଇଥିଲେl ହେଲେ ହାତୀପଲ ତାଙ୍କ ଘରକୁ ସମ୍ପୂର୍ଣ ଭାଙ୍ଗିରୁଜି ଦେଇଥିଲେ ଓ ଘରେ ଗଛିତ ଧାନ ଚାଉଳ ସବୁ ଖାଇଯାଇଥିଲେl

ମକରା ଜଣେ ଦିନ ମଜୁରିଆ ଓ ଗରିବ ଶ୍ରେଣୀର ହୋଇଥିବାରୁ ହାତୀ ଉପଦ୍ରଵ ପାଇଁ ଘର ଭାଙ୍ଗିଯିବା ଓ ଗଚ୍ଛିତ ଶସ୍ୟ ଖାଇଯିବାରୁ ସେ ଆଜି ପୁରା ଅସହାୟ ହୋଇ ପଡ଼ିଛନ୍ତିl ବର୍ତ୍ତମାନ ବର୍ଷା ଋତୁ ସମୟରେ ଘରଗୁଡ଼ିକ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାରୁ ରହିବା ପାଇଁ ଅସୁବିଧା ହେବାକୁ ପଡ଼ିବ ବୋଲି ମକରା ହାଁସଦା କହିଛନ୍ତିl ପ୍ରକାଶ ଥାଉ କି ଏହି ଗାଁ ପାର୍ଶ୍ୱ ଜଙ୍ଗଲ ଓ ଗ୍ରାମ ଭିତରେ ବର୍ଷ ସାରା ହାତୀପଲ ବିଚରଣ କରିବା ସହ ଲୋକଙ୍କ ଘର ଭାଙ୍ଗୁଛନ୍ତି, ଫସଲ ନଷ୍ଟ କରୁଛନ୍ତିl ତେବେ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ବନ ବିଭାଗ ପକ୍ଷରୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ତଥା ସ୍ଥାନୀୟ ସମାଜସେବୀ ସଚ୍ଚିଦାନନ୍ଦ ମହାନ୍ତ ଦାବି କରିଛନ୍ତିl ଖବର ପାଇ ବେତନଟୀ ବନାଞ୍ଚଳ ଅଧିକାରୀ ମନୁୱାର ଖାନ ଓ ସ୍ଥାନୀୟ ବନପାଳ ଦୀପକ ପାତ୍ର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତିl