ରାଉରକେଲା: ଅବାଧ ଜଙ୍ଗଲ କଟା, ଖଣି ଖନନ ଓ ଅନ୍ୟାନ୍ୟ କାରଣରୁ ଖାଦ୍ୟ ଅନ୍ବେଷଣରେ ସହର, ଗାଁ ଓ ବସ୍ତି ମୁହାଁ ହାତୀପଲ। ଉଜୁଡ଼ିଯାଉଛନ୍ତି ଚାଷୀଙ୍କ ଏକର ଏକର ଧାନ କ୍ଷେତ ଓ ପନିପରିବା ଫସଲ। କେବଳ ଧାନ ଓ ପନିପରିବା ନଷ୍ଟ କରୁଛନ୍ତି ତା’ ନୁହେଁ ରାତି ଅଧରେ ଗାଁ ଓ ବସ୍ତିରେ ପଶି ଖାଦ୍ୟ ଖାଇବାକୁ ଘରଗୁଡ଼ିକ ଭାଙ୍ଗି ଦେଉଛନ୍ତି। ହାତୀପଲଙ୍କ ଆକ୍ରମଣରେ ଅନେକ ପରିବାର ଗୃହଶୂନ୍ୟ ନେଉଛନ୍ତି ନିରୀହ ଗରିବ ପରିବାର। କିଛି ପରିବାରଙ୍କ ଘର ଆଂଶିକ ଓ ଅଧା କ୍ଷତିଗ୍ରସ୍ତ ହୋଇଛି। ଏମିତି ସ୍ଥିତି ଉପୁଜିଛି ବଣଜଙ୍ଗଲ ଘେରା ସୁନ୍ଦରଗଡ଼ରେ। ଜିଲ୍ଲାରେ ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ଥମିବାର ନାଁ ନେଉନି। ‌ଘଉଡ଼ାଇବାକୁ ବନକର୍ମଚାରୀ ନାକେଦମ୍‌ ହେଉଥିଲେ ହେଁ ହାତୀପଲ ଜନବସତି ଛାଡୁନାହାନ୍ତି। ସୁନ୍ଦରଗଡ଼ ଜିଲ୍ଲାର ବଣାଇ, ସୁନ୍ଦରଗଡ଼ ଓ ରାଉରକେଲା ତିନି ବନଖଣ୍ଡରେ ବର୍ଷତମାମ ହାତୀପଲଙ୍କ ଏମିତି ଉପଦ୍ରବ ଜାରି ରହିଛି।

Advertisment

 ଗତ ୭୧ ମାସ (୨୦୧୯ରୁ ୨୦୨୪ ନଭେମ୍ବର) ମଧ୍ୟରେ ହାତୀପଲ ୨୨୩୫ ଘର ଭାଙ୍ଗିଛନ୍ତି। ଅର୍ଥାତ୍‌ ମାସକୁ ହାତୀ ଜିଲ୍ଲାରେ ୩୨ ଘର ଭାଙ୍ଗୁଛି। ଭାଙ୍ଗିଥିବା ୨୨୩୫ ଘର ମଧ୍ୟରୁ ୬୭୬ ଘର ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଛନ୍ତି। ୧୧୫୯ ଘର ଆଂଶିକ ଓ ୫୦% କ୍ଷତିଗ୍ରସ୍ତ ‌ହୋଇଛି। କ୍ଷତିପୂରଣ ବାବଦରେ ବନବିଭାଗ କ୍ଷତିଗ୍ରସ୍ତ ପରିବାରକୁ ଆର୍ଥିକ ସହାୟତା ଦେଇ କାମସାରି ଦେଉଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଜନବସତିମୁହାଁ ହାତୀପଲକୁ ଘଉଡାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ବଣାଇ ଓ ରାଉରକେଲା ବନଖଣ୍ଡରେ ହାତୀପଲ ସର୍ବାଧିକ ଘର ଭାଙ୍ଗିଛନ୍ତି। ଗୃହଶୂନ୍ୟ ପରିବାର ଜୀବନ ବଞ୍ଚାଇବା ଭୟରେ ଭିଟାମାଟି ଛାଡ଼ି ସମ୍ପର୍କୀୟ ଓ ବନ୍ଧୁବାନ୍ଧବ ଘରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି। ରାଉରକେଲା ବନଖଣ୍ଡରେ ୨୦୧୯ରେ ହାତୀପଲଙ୍କ ଆକ୍ରମଣରେ ୩୧, ୨୦୨୦ରେ ୨୧, ୨୦୨୧ରେ ୬୨, ୨୦୨୨ରେ ୬୫, ୨୦୨୩ରେ ୨୦ ଓ ୨୦୨୪ ନଭେମ୍ବର ଶେଷ ସୁଦ୍ଧା ୪ଟି ଘର ଭାଙ୍ଗି ମାଟିରେ ମିଶାଇଦେଇଛନ୍ତି। ସେମିତି ୨୦୧୯ରେ ୭୮, ୨୦୨୦ରେ ୬୯, ୨୦୨୧ରେ ୧୧୦, ୨୦୨୨ରେ ୪୦, ୨୦୨୩ରେ ୧୫୭ ଓ ୨୦୨୪ରେ ୧୩୬ ଘର ଆଂଶିକ ଓ ୫୦ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଛି। ବଣାଇ ବନଖଣ୍ଡରେ ୨୦୧୯ରେ ୪୬, ୨୦୨୦ରେ ୨୯, ୨୦୨୧ରେ ୭୨, ୨୦୨୨ରେ ୧୦୭, ୨୦୨୩ରେ ୨୧ ଓ ୨୦୨୪ରେ ୩ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛନ୍ତି। ସେମିତି ୨୦୧୯ରେ ୯୫, ୨୦୨୦ ରେ ୨୯, ୨୦୨୧ରେ ୮୭, ୨୦୨୨ରେ ୧୨୮, ୨୦୨୩ରେ ୨୯୬ ଓ ୨୦୨୪ରେ ୧୬୨ ଘର ଅଧାରୁ ଅଧିକ ଭାଙ୍ଗି ଦେଇଛନ୍ତି। ସେମିତି ସୁନ୍ଦରଗଡ଼ ବନଖଣ୍ଡରେ ୨୦୧୯ରେ ସର୍ବାଧିକ ୧୮୦ ଘର ସମ୍ପୂର୍ଣ୍ଣ ଭାଙ୍ଗିଦେଇଛନ୍ତି। ୨୦୨୧ରେ ୧, ୨୦୨୨ ଓ ୨୦୨୩ରେ ୫ଟି ଲେଖାଏଁ ଓ ୨୦୨୪ରେ ୪ଟି ଘରକୁ ଭାଙ୍ଗି ମାଟିରେ ମିଶାଇଦେଇଛନ୍ତି। ସେମିତି ୨୦୧୯ରେ ୨୯, ୨୦୨୧ରେ ୯,‌ ୨୦୨୨ରେ ୨୩, ୨୦୨୩ରେ ୨୩ ଓ ୨୦୨୪ରେ ୩୯ଟି ଘର ଅଧା ଭାଙ୍ଗି ଦେଇଛନ୍ତି।

ସୁନ୍ଦରଗଡ଼ରେ ହାତୀ ଭାଙ୍ଗିଥିବା ଘର
ବର୍ଷ          ସମ୍ପୂର୍ଣ୍ଣ         ଅଧା    
୨୦୧୯        ୨୫୭        ୨୦୨
୨୦୨୦        ୫୦        ୯୮
୨୦୨୧        ୧୩୫        ୨୦୬
୨୦୨୨        ୧୭୭        ୧୯୧
୨୦୨୩        ୪୬        ୫୨୬
୨୦୨୪        ୧୧        ୩୩୭
ମୋଟ        ୬୭୬        ୧୫୫୯