ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନରେ ଦୀର୍ଘ ଦିନ ହେବ ୪୬ଟିକିଆ ହାତୀ ପଲ ବିଭିନ୍ନ ଜଙ୍ଗଲରେ ରହିଆସୁଛନ୍ତି। ଗତ ୩ଦିନ ଧରି ସ୍ଥାନୀୟ ଶିଳପୁରିଆ ଜଙ୍ଗଲରେ ରହୁଥିବାବେଳେ ବୁଧବାର ଠାରୁ ଆସି କ୍ଷୀରପଦା ଜଙ୍ଗଲରେ ରହୁଛନ୍ତି। ତେବେ ଉକ୍ତ ହାତୀପଲ ଦିବା ସମୟରେ ଜଙ୍ଗଲରେ ରହୁଥିବା ବେଳେ ରାତ୍ରୀ ସମୟରେ ଖାଦ୍ୟ ଅନ୍ୱେଷଣରେ ଗ୍ରାମକୁ ଆସି ଘର ଭାଙ୍ଗିବା ସହ ବ୍ୟାପକ ଧନଜୀବନ ନଷ୍ଟ କରୁଥିବାର ଅନେକ ଘଟଣା ସାମ୍ନାକୁ ଆସୁଛି। ଆଜି ମଧ୍ୟ ଉକ୍ତ ହାତୀପଲ ଜଙ୍ଗଳରୁ ବାହାରି ବୈଶିଙ୍ଗା-ମାଣତ୍ରୀ ରାସ୍ତା ପାର୍ଶ୍ୱରେ ବିଚରଣ କରୁଥିବାର ଦେଖାଯାଇଥିଲା। ଯୋଉଁଥିପାଇଁ ରାସ୍ତାରେ ଯାଉଥିବା ଶତାଧିକ ଲୋକ ହାତୀ ଦେଖିବାକୁ ଅଟକି ରହିଥିଲେ।
ଏହି ୪୬ ଟିକିଆ ହାତୀପଲ ମଧ୍ୟରେ ଦନ୍ତାହାତୀ ସହ ମାଇହାତୀ ଏବଂ ଛୋଟ ହାତୀ ଗୁଡ଼ିକ ଥିବାରୁ ସେମାନେ ଗୋଟିଏ ଜଙ୍ଗଲ ଛାଡ଼ି ଶୀଘ୍ର ଯାଉ ନଥିବାର ଦେଖାଯାଉଛି। ଅନ୍ୟପଟେ ବେତନଟୀ ରେଞ୍ଜ ଅଧିକାରୀ ମନୁୱାର ଖାନ, ବୈଶିଙ୍ଗା ବନପାଳ ପ୍ରଶାନ୍ତ ସିଂ ସାମନ୍ତ, ବନରକ୍ଷୀ ଏବଂ ଗଜସାଥୀଙ୍କ ଟିମଙ୍କ ସହ ମିଶି ଦୀର୍ଘ ସମୟ କଶରତ ପରେ ଆଜି ସନ୍ଧ୍ୟା ସମୟରେ ୪୬ ଟିକିଆ ହାତୀପଲକୁ ଘଉଡାଇବା ବେତନଟୀ ରେଞ୍ଜରୁ ବୁଢ଼ାବଳଙ୍ଗ ନଦୀ ପାର କରି ବଡ଼ସାହି ବ୍ଲକ ଅଞ୍ଚଳକୁ ଚାଲି ଯାଇଥିବାର ଜଣାଯାଇଛି। ହାତୀପଲଙ୍କ ଗତିପଥ ଉପରେ ତୀକ୍ଷ୍ମ ନଜର ରଖିଥିବା ରେଞ୍ଜର ଶ୍ରୀଖାନ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/9e05bedd-9908-4da0-9989-bdf4e5e68e7d.jpeg)