ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ମଣିଷ-ହାତୀ ସଂଘର୍ଷ ଚିନ୍ତା ବଢ଼ାଇଦେଇଛି। ଗତ ୫ ବର୍ଷ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ତିନୋଟି ବନଖଣ୍ଡ ରାଉରକେଲାରେ ୧୬, ସୁନ୍ଦରଗଡ଼ରେ ୩ ଓ ବଣାଇରେ ୧୮ ହାତୀଙ୍କ ମୃତ୍ୟୁ ହୋଇଛି। କେତେବେଳେ ଟ୍ରେନ୍‌ ଧକ୍କା ତ ପୁଣି କେତେବେଳେ ବିଦ୍ୟୁତ୍‌ ସଂସ୍ପର୍ଶ ହାତୀଙ୍କ ଜୀବନ ନେଉଛି। ଏହା ସହିତ ହାତୀ-ହାତୀ ଲଢ଼େଇରେ କ୍ଷତାକ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି। ହାତୀପଲ ମଣିଷ ଜୀବନ ମଧ୍ୟ ନେଉଛନ୍ତି। ଗତ ୫ ବର୍ଷ ଭିତରେ ଜିଲ୍ଲାରେ ହାତୀ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ଏକ ସୂତ୍ରରୁ ଜଣାଯାଇଛି। ମୃତକଙ୍କ ମଧ୍ୟରେ ରାଉରକେଲା ବନଖଣ୍ଡ ଅଧୀନରେ ୧୪, ବଣାଇରେ ୧୩ ଓ ସୁନ୍ଦରଗଡ଼ରେ ୨ ଜଣ ଅଛନ୍ତି। 

Advertisment

ଯାଉଛି ହାତୀ ଜୀବନ
ଚଳିତବର୍ଷ ଜାନୁଆରି ୨୫ ତାରିଖ ସୁନ୍ଦରଗଡ଼ ବନଖଣ୍ଡ ଅଧୀନସ୍ଥ ଉଜ୍ବଲପୁର ବନାଞ୍ଚଳରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଥିଲା। ଦୁଇ ଦନ୍ତା ମଧ୍ୟରେ ସଂଘର୍ଷ ହୋଇ କ୍ଷତାକ୍ତ ହାତୀର ଜୀବନ ଯାଇଥିଲା। 
ଗତବର୍ଷ ଅର୍ଥାତ୍‌  ୨୦୨୪ ମସିହାରେ ୫ଟି ହାତୀର ମୃତ୍ୟୁ ହୋଇଥିଲା। ଅକ୍ଟୋବର ୨୪ ରେ ରେଳଧାରଣା ପାର୍‌ ହେଉଥିବାବେଳେ ଟ୍ରେନ୍‌ ଧକ୍କାରେ ଏକ ହାତୀଛୁଆର ମୃତ୍ୟୁ ହୋଇଥିଲା। ସେପ୍ଟେମ୍ବର ୧୦ ତାରିଖରେ ପାନପୋଷ ବନାଞ୍ଚଳର ନୂଆଗାଁଠାରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୋଟିଏ ମାଈହାତୀର ମୃତ୍ୟୁ ହୋଇଥିଲା। ଜଣେ ଇଟାଭାଟି ମାଲିକ ବେଆଇନଭାବେ ବିଦ୍ୟୁତ ସଂଯୋଗ କରିଥିବାବେଳେ ଏହା ସଂସ୍ପର୍ଶରେ ହାତୀ ଆସିଯାଇଥିଲା। ଅଗଷ୍ଟ ୧୯ ତାରିଖରେ ବିମଳାଗଡ଼ରୁ କିରିବୁରୁ ଯାଉଥିବା ଏକ ମାଲବାହୀ ଟ୍ରେନ୍‌ ଧକ୍କା ଦେବାରୁ ୫ ବର୍ଷର ହାତୀଛୁଆର ମୃତ୍ୟୁ ହୋଇଥିଲା। ବଣାଇ ବନଖଣ୍ଡ ଅନ୍ତର୍ଗତ ବରସୁଆଁ ବନାଞ୍ଚଳର ରକ୍ସି ନିକଟରେ ଏହି ଘଟଣା ଘଟିଥିଲା। ଏପ୍ରିଲ ୨୬ ତାରିଖରେ ରାଉରକେଲା ବନଖଣ୍ଡ ଅନ୍ତର୍ଗତ ବାଙ୍କି ରେଞ୍ଜ୍‌ର କେ.ବଲାଙ୍ଗ ସେକ୍ସନରେ ଏକ ଛୁଆ ହାତୀ (୧୦)ର ମୃତ୍ୟୁ ହୋଇଥିଲା। ବାଇଟ୍-ବମ୍ ଯୋଗୁଁ ଆଭ୍ୟନ୍ତରୀଣ ମୁହଁ ଆଘାତ ହୋଇଥିବାରୁ ହାତୀଟି ପାଖାପାଖି ୧ ମାସ ପର୍ଯ୍ୟନ୍ତ କିଛି ଖାଇପାରିନଥିଲା, ଯଦ୍ବାରା ତା’ର ମୃତ୍ୟୁ ହୋଇଥିଲା। 

ହାତୀ ନେଉଛି ମଣିଷ ଜୀବନ
ହାତୀ ଆକ୍ରମଣରେ ଜନଜୀବନ କ୍ଷତି ହେଉଥିବାର ମଧ୍ୟ ଲମ୍ବା ତାଲିକା ରହିଛି। ଗତ ମେ’ ୬ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ସଦର ଫରେଷ୍ଟ୍‌ ରେଞ୍ଜ୍‌ ଅନ୍ତର୍ଗତ କରମଡିହି ଗୀତପଡ଼ାରେ ଏକ ଜଙ୍ଗଲୀ ହାତୀ ଜଣେ ମହିଳା ମେରୀ ଟେଟେଙ୍କୁ ଦଳି ଦେଇଥିଲା। ୨୦୨୪ ଡିସେମ୍ବର ୧୫ ତାରିଖ ବଣାଇ ବନଖଣ୍ଡର ତାମାଡା ରେଞ୍ଜ୍‌ର କଣ୍ଟାପାଲି ଗାଁରେ ଦୁଇ ଭଉଣୀ ସାମିଆ ମୁଣ୍ଡା (୧୨) ଓ ଚାନ୍ଦନୀ ମୁଣ୍ଡା (୩) ଶୋଇଥିବା ସମୟରେ ହାତୀ ସେମାନଙ୍କୁ ଦଳିଦେଇଥିଲା। ୨୦୨୪ ଜୁନ ୧୪ ତାରିଖରେ କାଲଟା ଡିଭିଜନ୍‌ରେ ସୋମରା ସମାସୀ(୫୬)ଙ୍କ ହାତୀ ଆକ୍ରମଣରେ ଜୀବନ ଯାଇଥିଲା। ଏତଦ୍‌ବ୍ୟତୀତ, ଏକାଧିକ ହାତୀ ଆକ୍ରମଣ ଘଟଣାରେ ଲୋକଙ୍କ ମୃତ୍ୟୁ ଘଟିଛି। ଉଲ୍ଲେଖଯୋଗ୍ୟ, ହାତୀମୃତ୍ୟୁକୁ ରୋକିବାକୁ ମନିଟରିଂ ଉନ୍ନତ କରିବା ପାଇଁ ପ୍ରୟାସ କରାଯାଉଛି। ରାଉରକେଲା ବନଖଣ୍ଡ ଅଧୀନସ୍ଥ ରେଳଧାରଣା ଓ ସଂଘର୍ଷ ପ୍ରବଣ ଅଞ୍ଚଳ ନିକଟରେ ହାତୀ ଗତିବିଧି ଉପରେ ନଜର ରଖିବା ପାଇଁ ୪ଟି ସ୍ଥାନରେ କୃତ୍ରିମ ବୁଦ୍ଧିମତା (ଏଆଇ)ଏଆଇ-ସକ୍ଷମ କ୍ୟାମେରା ଟାୱାର କାର୍ଯ୍ୟକ୍ଷମ। ଗତ ଡିସେମ୍ବର ମାସରେ, ସୋନାପର୍ବତ ସଂରକ୍ଷିତ ଜଙ୍ଗଲ ନିକଟରେ ରାଉରକେଲା-ବରସୁଆଁ ରେଳ ଧାରଣା ଆଡକୁ ଯାଉଥିବା ପାଞ୍ଚଟି ହାତୀଙ୍କ ଏକ ପଲକୁ ଏଆଇ କ୍ୟାମେରା ଦ୍ବାରା ସମୟୋଚିତ ଚିହ୍ନଟ ପରେ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା କରାଯାଇଥିଲା। 

ହାତୀ ସୁରକ୍ଷା ଆମର ଦାୟିତ୍ବ ହେଉ: ବନଖଣ୍ଡ ଅଧିକାରୀ
ଏନେଇ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ କହିଛନ୍ତି, ଉଭୟ ହାତୀ ଓ ଜନସାଧାରଣଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ବିଦ୍ୟୁତ ବିଭାଗ ସହ ମିଳିତଭାବେ ପାଟ୍ରୋଲିଂ କରାଯିବା ସହ ଗ୍ରାମାଞ୍ଚଳରେ ହାତୀ ସୁରକ୍ଷା ନେଇ ସଚେତନ କରାଯାଉଛି। ହାତୀସହ ମିଶି ଚଳିବାକୁ ହେବ। ଫସଲ ନଷ୍ଟହେଲେ ସରକାରଙ୍କ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ବି ଦିଆଯାଉଛି। ଏଣୁ ହାତୀ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ।