ଦେଶରେ ଆବଶ୍ୟକତାଠାରୁ ଅଧିକ ପରିମାଣରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ମହଜୁଦ ଅଛି : ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଏବେ ଭାରତରେ ପ୍ରଚୂର ପରିମାଣରେ ଉତ୍ପାଦନ ହେଉଥିବା କ୍ଲୋରୋକ୍ୱିନର ଚାହିଦା ବଢିଯାଇଛି । ଆମେରିକା, ବ୍ରାଜିଲ, ଇସ୍ରାଏଲ ଆଦି ଦେଶମାନେ ଭାରତରୁ ଏହି ଔଷଧକୁ ଆମଦାନୀ କରୁଛନ୍ତି । ତେବେ ବିଦେଶକୁ ରପ୍ତାନି ସତ୍ତେ୍ୱ ଦେଶରେ ଯଥେଷ୍ଟ ପରିମାଣରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ମହଜୁଦ ଅଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି ଯେ ବିଭିନ୍ନ ଦେଶ ଭାରତରୁ ଏହି ଔଷଧ ମଗାଇଛନ୍ତି । କିନ୍ତୁ ଦେଶରେ ଆବଶ୍ୟକ ପରିମାଣରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ମହଜୁଦ ରଖିବା ପରେ ରପ୍ତାନି କରାଯାଉଛି । ଦେଶରେ ଏବେ ପ୍ରାୟ ୩.୨୮ କୋଟି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ମହଜୁଦ ରହିଛି । ଆଗାମୀ କିଛି ସପ୍ତାହ ପାଇଁ ଦେଶ ପ୍ରାୟ ୧ କୋଟି ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଆବଶ୍ୟକ କରିବ । ଏଣୁ ଦେଶରେ ଆବଶ୍ୟକତାଠାରୁ ଅଧିକ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ମହଜୁଦ ଅଛି ବୋଲି ସେ କହିଛନ୍ତି । ଏକ ପ୍ରଶ୍ନ ଉତ୍ତର ଦେଇ ସେ କହିଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ । ଏପରି ସ୍ଥିତି ଉପୁଜିଲେ ସେ ସଂପର୍କରେ ସୂଚନା ଦିଆଯିବ । ଏଣୁ ସେ ନେଇ ଆତଙ୍କିତ ହେବାର କାରଣ ନାହିଁ । ତେବେ ଲୋକମାନେ ସତର୍କ ରହିବା ଆବଶ୍ୟକ ବୋଲି ଶ୍ରୀ ଅଗ୍ରଓ୍ୱାଲ କହିଛନ୍ତି ।

ସମ୍ବନ୍ଧିତ ଖବର