ଭାରତର ଟିକା ଗବେଷଣା ଉପରେ ସାରା ବିଶ୍ବର ନଜର, ଭାରତ ବାୟୋଟେକ ପରିଦର୍ଶନ କରିବେ ୮୦ ଦେଶର ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତ

ହାଇଦ୍ରାବାଦ :  ଆସନ୍ତା ୯ ତାରିଖରେ ପ୍ରାୟ ୮୦ଟି ଦେଶର ରାଷ୍ଟ୍ରଦୂତ ଓ ଉଚ୍ଚାୟୁକ୍ତ ହାଇଦ୍ରାବାଦରେ ପହଞ୍ଚି କୋରନା ଟିକା ଉପରେ ଗବେଷଣା କରୁଥିବା ଫାର୍ମାସୁଟିକାଲ କମ୍ପାନି ଭାରତ ବାୟୋଟେକ ଓ ବିଇ ଲିମିଟେଡ୍ ପରିଦର୍ଶନ କରିବେ ।

ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । କରୋନା ମୁକାବିଲା ଦିଗରେ ଭାରତ ପକ୍ଷରୁ କରାଯାଉଥିବା ଗବେଷଣାକୁ ଦର୍ଶାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି ।

ଆଜି ତେଲେଙ୍ଗାନାର ମୁଖ୍ୟ ଶାସନ ସଚିବ ସୋମେଶ କୁମାର ଏକ ଉଚ୍ଚସ୍ତରୀୟ ବୈଠକରେ ଏହି କାର୍ଯ୍ୟକ୍ରମ ଲାଗି ପ୍ରଶାସନ ପକ୍ଷରୁ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ରାଷ୍ଟ୍ରଦୂତମାନଙ୍କ ଲାଗି ହାଇଦ୍ରାବାଦ ପ୍ରଶାସନ ପକ୍ଷରୁ ୫ଟି ଶୀତତାପ ନିୟନ୍ତ୍ରିତ ବସ, ଏକ ସ୍ବତନ୍ତ୍ର ଡାକ୍ତରୀ ଦଳର ବ୍ୟବସ୍ଥା କରାଯାଇଛି । ଏହି ବୈଠକରେ ତେଲେଙ୍ଗାନାର ଚିଫ ପ୍ରୋଟୋକୋଲ ଅଫିସର ନାଗେଶ ସିଂ ଉପସ୍ଥିତ ଥିଲେ ।

କିଛିଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଗବେଷଣା କରୁଥିବା ଦେଶର ବିଭିନ୍ନ କାରଖାନା ବୁଲି ଦେଖିଥିଲେ ।

ସୂଚନାଯୋଗ୍ୟ ଯେ ଭାରତରେ ଏବେ ଚାରିଟି ଟିକାର ପରୀକ୍ଷଣ ଚାଲିଛି । ସେଗୁ଼ଡ଼ିକ ହେଉଛି ଭାରତ ବାୟୋଟେକର କୋଭାକ୍ସିନ, କାର୍ଡିଲାର ଜାଇକୋଭ-ଡି, ଅକ୍ସଫୋର୍ଡର କୋଭିସିଲ୍ଡ ଓ ଋଷିଆର ସ୍ପୁଟନିକ ଟିକା । ଏଗୁଡ଼ିକ ମଧ୍ୟରୁ କୋଭାକ୍ସିନ ଓ କୋଭିସିଲ୍ଡର ପରୀକ୍ଷଣ ଚୂଡ଼ାନ୍ତ ସ୍ତରରେ ପହଞ୍ଚିଛି ।

ସମ୍ବନ୍ଧିତ ଖବର