ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସର ଇଓଡ଼ବ୍ଲ୍ୟୁ ଜଣେ ତାମିଲ ଅଭିନେତାଙ୍କୁ ଚେନ୍ନାଇରୁ ଗିରଫ କରିଛି। ତାମିଲ ଫିଲ୍ମରେ ଅଭିନୟ କରିଥିବା ଜଣାଶୁଣା ଅଭିନେତା ଏସ. ଶ୍ରୀନିବାସନଙ୍କୁ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଏକ ବଡ଼ ଠକେଇ ମାମଲାରେ ଚେନ୍ନାଇରୁ ଗିରଫ କରିଛି। ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ, ଶ୍ରୀନିବାସନ ଏକ କମ୍ପାନୀକୁ ୧୦୦୦ କୋଟି ଟଙ୍କା ଋଣ ଦେବା ନାଁରେ ୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଅଭିନେତା ୨୦୧୮ ମସିହାରୁ ଫେରାର୍ ଥିଲେ। ଶ୍ରୀନିବାସନଙ୍କୁ ପୋଲିସ ଦୁଇଥର ଅପରାଧୀ ମଧ୍ୟ ଘୋଷଣା କରିଥିଲା। କେବଳ ଏତିକି ନୁହେଁ, ଶ୍ରୀନିବାସନ ୨୦୧୮ ମସିହାରୁ କୋର୍ଟରେ ଚାଲିଥିବା ଶୁଣାଣିରୁ ମଧ୍ୟ ଫେରାର୍ ଥିଲେ। ୨୦୧୭ ମସିହାରେ ଜାମିନ ପାଇବା ପରେ ଶ୍ରୀନିବାସନ ଫେରାର୍ ହୋଇଯାଇଥିଲେ।
୨୦୧୦ ମସିହାରେ, ବ୍ଲୁ କୋଷ୍ଟ ଇନଫ୍ରାଷ୍ଟକ୍ଚର ଡେଭଲପମେଣ୍ଟ ଲିମିଟେଡ଼କୁ କିଛି ତଥାକଥିତ ପରାମର୍ଶଦାତାମାନେ ଭେଟି କମ୍ପାନୀକୁ ୧୦୦୦ କୋଟି ଟଙ୍କା ଋଣ ଦେବାର ପ୍ରତିଶ୍ରୁତି ଦେଇଥିଲେ। ସେମାନେ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ଋଣ ନ ମିଳେ, ତେବେ ୩୦ ଦିନ ମଧ୍ୟରେ ଅଗ୍ରିମ ରାଶି ଫେରସ୍ତ କରାଯିବ। ଏହି ପରାମର୍ଶଦାତାମାନେ କମ୍ପାନୀକୁ ଏସ୍. ଶ୍ରୀନିବାସନ ଓରଫ ପାୱାରଷ୍ଟାରଙ୍କ ସହ ପରିଚିତ କରାଇଥିଲେ, ଯିଏ ନିଜକୁ ବାବା ଟ୍ରେଡିଂ କମ୍ପାନୀର ମାଲିକ ଏବଂ ବଡ଼ ଫାଇନାନ୍ସର ଭାବରେ ପରିଚୟ ଦେଇଥିଲେ। ଏହା ପରେ, କମ୍ପାନୀ ୫ କୋଟି ଟଙ୍କା ଅଗ୍ରିମ ରାଶି ଦେଇଥିଲା। କିନ୍ତୁ ନା ଋଣ ଆସିଲା, ନା ଟଙ୍କା ଫେରସ୍ତ କରାଗଲା। ଗ୍ୟାରେଣ୍ଟି ପାଇଁ ଦିଆଯାଇଥିବା ଚେକ୍ ମଧ୍ୟ ବାଉନ୍ସ ହୋଇଗଲା।
ତଦନ୍ତରୁ ଜଣାପଡ଼ିଲା ଯେ ଶ୍ରୀନିବାସନ ଏବଂ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ସିଧାସଳଖ ୫ କୋଟି ଟଙ୍କା ସ୍ଥାନାନ୍ତର କରାଯାଇଥିଲା। ୫୦ ଲକ୍ଷ ଟଙ୍କା ନଗଦ ଆକାରରେ ଉଠାଯାଇଥିଲା ଏବଂ ୪ କୋଟିର ଫିକ୍ସଡ଼ ଡିପୋଜିଟ କରାଯାଇଥିଲା, ଯାହାକୁ ଜବତ କରାଯାଇଥିଲା। ଏହାପରେ ଇଓଡ଼ବ୍ଲ୍ୟୁ ଟିମ ଚେନ୍ନାଇର ଭାନାଗରମ ଅଞ୍ଚଳରେ ଅଭିଯୁକ୍ତଙ୍କ ସ୍ଥାନ ପାଇଥିଲା, ଯାହା ପରେ ତାଙ୍କୁ ଏକ ଆପାର୍ଟମେଣ୍ଟରୁ ଗିରଫ କରାଯାଇଥିଲା।