ଭୁବନେଶ୍ୱର: ପୁରୀ ଜିଲ୍ଲାର ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣାସରେ ଏପ୍ରିଲ ୨୩ରେ ମତଦାନ ବେଳେ ଇଭିଏମ୍ ଭାଙ୍ଗରୁଜା ନେଇ ବିଜୁ ଜନତା ଦଳ ନିଜର ପ୍ରତିକ୍ରିୟା ରଖିଛି। ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ବିଜେଡି ଅଭିଯୋଗ ଆଣିଛି ଯେ, ସତ୍ୟବାଦୀରୁ ବିଜେପି ବିଧାୟକ ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ଇଭିଏମ ଭଙ୍ଗାରୁଜା କରିଛନ୍ତି। ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଥିବା ବେଳେ ବିଜେପିର ନେତାମାନେ ଇଭିଏମ ଭଙ୍ଗାରୁଜା କରି ଓଡ଼ିଶା ରାଜନୀତିରେ ଇତିହାସ ସୃଷ୍ଟି କରିଛନ୍ତି।
ବିଜେଡି କହିଛି, ଓମ୍ ପ୍ରକାଶ ମିଶ୍ର ଏବେ କେଉଁଠି ଅଛନ୍ତି? ସେ ଫେରାର ହେବା ପରେ ଏକ ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଛି। ବିଜେପି ଓମ୍ ପ୍ରକାଶ ମିଶ୍ରଙ୍କୁ ସୁରକ୍ଷା ଦେଉଛି। ଜଣେ ଜାତୀୟ ଦଳର ନେତା ହୋଇ ସେ ସାହାଯ୍ୟ କରିବା ବଦଳରେ କାହିଁକି ଫେରାର ହୋଇଛନ୍ତି। ବିଜେଡି କହିଛି, ଓମ୍ ପ୍ରକାଶଙ୍କୁ ଫେରାର କରାଇବାରେ କିଏ ସାହାଯ୍ୟ କରିଛି? ମାଉଜର କାହା ନାଁରେ ଥିଲା ବୋଲି ପ୍ରଶ୍ନ କରିଛି ବିଜେଡି। ଅନ୍ୟପଟରେ ବିଜେଡିର ସାମ୍ବାଦିକ ସମ୍ମିଳନୀ ନେଇ ବିଜେପି ନିଜର ପ୍ରତିକ୍ରିୟା ରଖିଛି। ବିଜେପି କହିଛି, ଓମ୍ ପ୍ରକାଶକୁ ଅଯଥାରେ ଫସାଯାଇଛି।
ଅନ୍ୟ ଏକ ଘଟଣା ନେଇ ବିଜେଡି କହିଛି, ୩ୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବ୍ରହ୍ମଗିରି ଆସନରେ ବିଜେଡି କାର୍ଯ୍ୟକର୍ତ୍ତା ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲେ। ରାଜେନ୍ଦ୍ରଙ୍କର ଏବେ ଚିକିତ୍ସା ଚାଲିଛି। ସେହି ଦିନ କମା ଶାସନରେ ବିଜେପି କର୍ମୀମାନେ ଇଭିଏମ ଭଙ୍ଗାରୁଜା କରିଥିଲେ ବୋଲି ବିଜେଡି ଅଭିଯୋଗ ଆଣିଛି।