ପୂର୍ବତନ ବିଧାୟକ ପ୍ରହ୍ଲାଦ ବେହେରାଙ୍କ ପରଲୋକ

ବୌଦ୍ଧ: ଅବିଭକ୍ତ ଫୁଲବାଣୀର ପୂର୍ବତନ ବିଧାୟକ ପ୍ରହ୍ଲାଦ ବେହେରାଙ୍କ ଆଜି ସକାଳେ ପରଲୋକ ଘଟିଛି। ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ବୁର୍ଲାର ଭିମସାର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ପ୍ରହ୍ଲାଦ ବେହେରା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସାରଥୀ ଭାବେ ଜଣାଶୁଣା ଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ହେବ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ସେ ପାଖାପାଖି ୨୦ ଦିନ ହେବ ବୁର୍ଲାର ଭିମସାର ମେଡିକାଲରେ ଚିକିତ୍ସିତ ହେଉଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।


ସ୍ୱର୍ଗତ ପ୍ରହ୍ଲାଦ ବେହେରା ୧୯୩୮ ମସିହା ଅଗଷ୍ଟ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଜନତା ପାର୍ଟି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇ ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ବିଧାୟକ ଥିଲେ। ଘଟଣାକ୍ରମେ ପ୍ରହ୍ଲାଦ ବେହେରା ବିଜୁ ବାବୁଙ୍କର ଅତି ଘନିଷ୍ଠ ହୋଇଯାଇଥିଲେ। ଏହାପରେ ବିଜୁବାବୁଙ୍କ ଆଗ୍ରହକ୍ରମେ ସେ ରାଜନୀତି କ୍ଷେତ୍ରକୁ ଆସିଥିଲେ। ସେ ଜଣେ ଓଜସ୍ବୀ ବକ୍ତା ଭାବେ ପରିଚିତ ଥିଲେ। ତାଙ୍କ ବିୟୋଗରେ ଅବିଭକ୍ତ ଫୁଲବାଣୀ ଜିଲ୍ଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର